ଡେସ୍କ: ମୁମ୍ବାଇର ଘାଟକୋପର ଅଞ୍ଚଳରେ ସୋମବାର ହଠାତ୍ ଧୂଳିଝଡ଼ ଯୋଗୁଁ ଏକ ବିଶାଳ ହୋର୍ଡିଂ ଭୁଶୁଡ଼ି ପଡ଼ିଥିବା ବେଳେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ସେଠାରେ ଚାଲିଥିବା ତଲାସୀ ଓ ଉଦ୍ଧାର ଅଭିଯାନ ଶେଷ କରିଛି। ଏହି ଦୁଃଖଦ ଘଟଣାରେ ସମୁଦାୟ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୫ ଜଣ ଆହତ ହୋଇଛନ୍ତି।
ଆଜି ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ଜଣେ ଅବସରପ୍ରାପ୍ତ ଜେନେରାଲ ମ୍ୟାନେଜର ଓ ତାଙ୍କ ପତ୍ନୀଙ୍କ ମୃତଦେହ ହୋର୍ଡ଼ିଂ ତଳେ ଥିବା ଏକ କାର୍ ମଧ୍ୟରୁ ଉଦ୍ଧାର କରାଯିବାର କିଛି ଘଣ୍ଟା ପରେ ଉଦ୍ଧାର ଅଭିଯାନ ବନ୍ଦ କରାଯାଇଛି। ଘଟଣାସ୍ଥଳ ପରିଦର୍ଶନ କରିବା ପରେ ମୁମ୍ବାଇର କମିଶନର ଭୂଷଣ ଗଙ୍ଗରାନୀ ଗଣମାଧ୍ୟମକୁ କହିଛନ୍ତି ଯେ ଭଗ୍ନାବଶେଷ ତଳେ ଯେପରି ଆଉ କେହି ଫସି ନ ରହିବେ ସେଥିପାଇଁ ସେମାନେ ଘଟଣାସ୍ଥଳକୁ ଭଲ ଭାବେ ଯାଞ୍ଚ କରିଛନ୍ତି।
ଘଟଣାସ୍ଥଳରୁ ଆବର୍ଜନା ହଟାଇବା କାର୍ଯ୍ୟ ଜାରି ରହିଥିବା ବେଳେ ସମସ୍ତ ବେଆଇନ ହୋର୍ଡିଂ ହଟାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି ବୋଲି କମିଶନର କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ କେବଳ ହୋର୍ଡିଂର ଆକାର ନୁହେଁ ବରଂ ମାଲିକମାନେ କୌଣସି ହୋର୍ଡିଂ ଲଗାଇବା ପୂର୍ବରୁ ଦୃଢ଼ ଭିତ୍ତିଭୂମି, ଢାଞ୍ଚାଗତ ସ୍ଥିରତା ଏବଂ ବାୟୁ ଚଳାଚଳ ଭଳି ନିର୍ଦ୍ଦିଷ୍ଟ ମାନ ପୂରଣ କରିବା ଆବଶ୍ୟକ।



