www.samajalive.in
Wednesday, December 10, 2025
23.1 C
Bhubaneswar

ଭାରତବର୍ଷର ଗୌରବମୟ ଇତିହାସର ଶ୍ରୀବୃଦ୍ଧି କରୁଛନ୍ତି ମୋଦୀ ସରକାର : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ପ୍ରଦର୍ଶନୀରେ ସ୍ଥାନିତ ବିଭାଜନ ସମୟର କରୁଣ ଫଟୋଚିତ୍ରକୁ ଦେଖିବାକୁ ନାଗରକିକଙ୍କୁ ନିବେଦନ 

ଦୁଇ ସ୍ୱାଧୀନତା ସଂଗ୍ରାମୀଙ୍କୁ ତ୍ରିରଙ୍ଗା ଦେଇ ସମ୍ମାନିତ କରିବା ସହ ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ 
ଅନାଲୋଚିତ ସଂଗ୍ରାମୀ ମାନଙ୍କୁ ଇତିହାସ ପୃଷ୍ଠାରେ ଲିପିବଦ୍ଧ କରିବା ମୋଦି ସରକାର କଟିବଦ୍ଧ 
ପୂର୍ବଜଙ୍କ ବଳିଦାନ, ତ୍ୟାଗ, ସମର୍ପଣ ଭାବକୁ ଦେଶ ଭୁଲିଗଲେ ସମାଜ ପଥଭ୍ରଷ୍ଟ ହୋଇପାରେ
୧୯୪୭ ଅଗଷ୍ଟ ୧୪ରେ ବିଭାଜନର ପୀଡ଼ା ଏବେ ବି ଅନେକଙ୍କୁ ମର୍ମାହତ କରୁଛି 
ସମାଜର ନିଷ୍ପେସିତ, ଗରିବ, ବଞ୍ଚିତଙ୍କ ଦାୟିତ୍ୱ ନେବା ପାଇଁ ସଂକଳ୍ପ କରିବାକୁ ଆହ୍ୱାନ 
ଭୁବନେଶ୍ୱର :  ମୋଦୀ ସରକାର ଇତିହାସର ପୁନଃରଚନା କରିବା ଦିଗରେ ନୁହେଁ ବରଂ ଇତିହାସ ପୃଷ୍ଠାରେ ଅନାଲୋଚିତ ବୀର ସଂଗ୍ରାମୀ ମାନଙ୍କୁ ଲିପିବଦ୍ଧ କରି ଭାରତବର୍ଷର ଗୌରବମୟ ଇତିହାସକୁ ଶ୍ରୀବୃଦ୍ଧି କରିବା କାର୍ଯ୍ୟରେ ପ୍ରଚେଷ୍ଟାରତ ବୋଲି  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
“ବିଭାଜନ ବିଭୀଷିକା ସ୍ମୃତି ଦିବସ” ଅବସରରେ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ଏକ ପ୍ରଦର୍ଶନୀକୁ ଉଦଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁ ମାନଙ୍କର ତ୍ୟାଗ ତପସ୍ୟା ବଳରେ ଆମକୁ ସ୍ୱାଧୀନତା ମିଳିଲା ସେମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଇତିହାସ ପୃଷ୍ଠାରୁ ବଞ୍ଚିତ କରି ଦିଆଗଲା । ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତ, ବୈଷ୍ଣବ ଚରଣ ପଟ୍ଟନାୟକ, ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ଲକ୍ଷ୍ମଣ ନାୟକ, ଚକରା ବିଶୋଇ, ଡୋରା ବିଶୋଇ, ମାଧୋ ସିଂହ, ଓଡିଶାର ଜାଲିଆନାଓ୍ୱାଲା ବାଗ ଆମକୋ ସିମକୋ ଗୁଳିକାଣ୍ଡ, ବିପ୍ଳବୀ ନିର୍ମଳ ମୁଣ୍ଡାଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କୁ ଇତିହାସ ପୃଷ୍ଠାରେ ସଗୌରବେ ଲିପିବଦ୍ଧ କରିବା ପାଇଁ ମୋଦୀ ସରକାର ଅଣ୍ଟା ଭିଡ଼ିଛନ୍ତି । ତେଣୁ ମୋଦୀ ସରକାର ଇତିହାସକୁ ପୁନଃରଚନା କରିବାରେ ଲାଗିନାହାନ୍ତି ବରଂ ଇତିହାସ ପୃଷ୍ଠାରେ ଅନାଲୋଚିତ ନାୟକଙ୍କୁ ଇତିହାସ ପୃଷ୍ଠାରେ ସ୍ଥାନ ଦେବା ଦିଗରେ କାର୍ଯ୍ୟ କରୁଛନ୍ତି ।
୧୯୪୭ ଅଗଷ୍ଟ ୧୪ରେ ଭାରତ-ପାକିସ୍ତାନ ବିଭାଜନ ସମୟରେ ଘୃଣା ଓ ହିଂସାର ସ୍ଥିତି କିଭଳି ରୂପ ନେଇଥିଲା, ଆଜି ତାହାକୁ ମନେ ପକାଇବାର ଅବସର । ଆମ ପୂର୍ବଜଙ୍କ ବଳିଦାନ, ତ୍ୟାଗ,ସମର୍ପଣ ଭାବକୁ ଦେଶ ଭୁଲିଗଲେ ସମାଜ ପଥଭ୍ରଷ୍ଟ ହୋଇ ପାରେ । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୪ ତାରିଖକୁ “ବିଭାଜନ ବିଭୀଷିକା ସ୍ମୃତି ଦିବସ” ରୂପେ ପାଳନ କରିବାକୁ କହିଛନ୍ତି । ଭାରତ ପାକିସ୍ତାନ ବିଭାଜନ ସମୟରେ ଘୃଣା ଓ ହିଂସା ହେତୁ ଲକ୍ଷ ଲକ୍ଷ ଭାଇ ଓ ଭଉଣୀମାନେ ବିସ୍ଥାପିତ ସହ ତ୍ୟାଗ ଏବଂ ବଳିଦାନ ଦେଇଥିଲେ । ଏହାର ଦୃଶ୍ୟ, ପୀଡ଼ା ଓ କ୍ଷତ ଏବେ ବି ଅନେକଙ୍କୁ ମର୍ମାହତ କରୁଛି । ଏହି ସବୁ ଦେଶର ଇତିହାସକୁ ନୂଆପିଢିଙ୍କ ପାଖରେ ପହଞ୍ଚାଇବାକୁ ପଡ଼ିବ। ଏହା ବିଷୟରେ ନୂଆପିଢି ଜାଣିବା ସହ ଭବିଷ୍ୟତ ପାଇଁ ପ୍ରେରିତ ହେବା ଦରକାର। ଏହି ଦିନ ଆମକୁ କେବଳ ଭେଦଭାବ, ଶତ୍ରୁତା ଏବଂ ଅନୈତିକତାର ବିଷ ଦୂର କରିବାକୁ ପ୍ରେରଣା ଦେବ ନାହିଁ ବରଂ ଏହା ଏକତା,ସାମାଜିକ ସୌହାର୍ଦ୍ଦ୍ୟ ଏବଂ ମାନବ ସମ୍ବେଦନଶୀଳତାକୁ ମଧ୍ୟ ଦୃଢ଼ କରିବ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୪୭ ସୁଦ୍ଧା ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ । ଏହି ସମୟରେ ଦେଶକୁ ପୃଥିବୀରେ ଏକ ନମ୍ବର କରିବା ପାଇଁ ପୁରୁଷାର୍ଥ ରଖୁଥିବା ସମାଜ କେବଳ ସ୍ୱପ୍ନ ଦେଖିଲେ ହେବ ନାହିଁ ବରଂ ସ୍ୱପ୍ନକୁ ଅଖଣ୍ଡ ପରିଶ୍ରମ ଓ ସମର୍ପଣ ମାଧ୍ୟମରେ ଚରମ ପୁରୁଷାର୍ଥରେ ପରିଣତ କରିବାକୁ ପଡ଼ିବ । ଅନେକ ନାଗରିକ ମାନେ ବସ, ଟ୍ରେନ ଯାତ୍ରା କରିବା ବେଳେ ଏକ ନକରାତ୍ମକ ଅଧିକାରକୁ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି । କିନ୍ତୁ ବାସ୍ତବରେ ଅନେକ ସଂଗ୍ରାମୀଙ୍କ ତପସ୍ୟା ଓ ବଳିଦାନ ପରେ ଆମକୁ ଆଜି ଗୌରବର ଅଧିକାର ମିଳିଛି । ଆଗାମୀ ୨୫ ବର୍ଷ ପାଇଁ ସମାଜର ନିଷ୍ପେସିତ, ଗରିବ, ବଞ୍ଚିତ, ପଛୁଆ, ପାଇଁ ଦାୟିତ୍ୱ ନେବା ପାଇଁ ସଂକଳ୍ପ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ କ୍ରମେ ସେହି ସମୟର ସ୍ମୃତିକୁ ପ୍ରଦର୍ଶନୀ ମାଧ୍ୟମରେ ଯୁବପିଢିଙ୍କ ମନରେ ଆଣିବା ପାଇଁ ହୋଇଥିବା ପ୍ରୟାସ ପ୍ରଶଂସନୀୟ। ପ୍ରଦର୍ଶନୀ ମାଧ୍ୟମରେ ଆୟୋଜିତ ବିଭାଜନ ସମୟର କରୁଣ ଫଟୋଚିତ୍ରକୁ ଦେଖିବାକୁ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ରାମହରି ଗୋସ୍ୱାମୀ ଏବଂ ଶ୍ରୀ ଶ୍ୟାମ ସୁନ୍ଦର ବେହେରାଙ୍କୁ ତ୍ରିରଙ୍ଗା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ମାନିତ କରିବା ସହ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ପ୍ରଦାନ କରିଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

Related Articles

Popular Categories