www.samajalive.in
Friday, December 12, 2025
16.1 C
Bhubaneswar

ଅଭିବୃଦ୍ଧି ହାର ୯.୨ ପ୍ରତିଶତ

୨୦୨୨-୨୩ରେ ୮ରୁ ୮.୫% ଅଭିବୃଦ୍ଧି ଲକ୍ଷ୍ୟ
କୃଷି କ୍ଷେତ୍ରରେ ୩.୯ ପ୍ରତିଶତ ଅଭିବୃଦ୍ଧି ଅନୁମାନ
ଶିଳ୍ପ ଅଭିବୃଦ୍ଧି ୧୧.୮ % ଓ ସେବା କ୍ଷେତ୍ରରେ ୮.୨ ପ୍ରତିଶତ ଆକଳନ

ନୂଆଦିଲ୍ଲୀ : ଆସନ୍ତା ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଥିବା ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ଆର୍ଥିକ ଅଭିବୃଦ୍ଧି ହାର ୮ରୁ ୮.୫% ହେବା ଆକଳନ କରିଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଏଥିସହିତ ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୨% ହେବା ଅନୁମାନ କରାଯାଇଛି। ଏଥିରୁ ଅର୍ଥନୀତିର ଅଭିବୃଦ୍ଧି ହାର ମହାମାରୀ ପୂର୍ବସ୍ତରକୁ ଫେରୁଥିବା ପ୍ରତିଫଳିତ ହେଉଛି । ସୂଚନାଯୋଗ୍ୟ ଯେ କୋଭିଡ ମହାମାରୀ ଏବଂ ତାହାକୁ ନିୟନ୍ତ୍ରଣ କରିବା ପାଇଁ ଦେଶବ୍ୟାପୀ ତାଲାବନ୍ଦ କାରଣରୁ ୨୦୨୦-୨୧ ଆର୍ଥିକ ବର୍ଷରେ ଅର୍ଥନୀତିର ସଙ୍କୋଚନ ୭.୩% ହୋଇଥିଲା। ଲୋକସଭାରେ ସୋମବାର ଦିନ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ଆସନ୍ତା ଆର୍ଥିକ ବର୍ଷରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୦ରୁ ୭୫ ଡଲାର ମଧ୍ୟରେ ରହିବା, ମୌସୁମୀ ସ୍ୱାଭାବିକ ହେବା ଏବଂ ଆଉ କୌଣସି ବଡ ଧରଣର ମହାମାରୀଜନିତ ବ୍ୟାଘାତ ପରିସ୍ଥିତି ସୃଷ୍ଟି ନହେବା ଆଶା କରାଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ମୁଦ୍ରାସ୍ଫୀତି ଚିନ୍ତାର କାରଣ ହୋଇଛି। ତେବେ ଦେଶର ବୃହତ ଅର୍ଥନୈତିକ ସ୍ଥିରତା ସୂଚକଗୁଡିକୁ ଆକଳନ କରିବାପରେ ଏଥିରେ କୁହାଯାଇଛି ଯେ ୨୦୨୨-୨୩ରେ ଯେକୌଣସି ଆହ୍ୱାନମୂଳକ ପରିସ୍ଥିତିର ସାମନା କରିବାକୁ ଭାରତୀୟ ଅର୍ଥନୀତି ଉତ୍ତମ ସ୍ଥିତିରେ ରହିଛି। ସୂଚନାଯୋଗ୍ୟ ଯେ ଗତବର୍ଷ ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ୨୦୨୧-୨୨ ଆର୍ଥିକ ବର୍ଷ (ଚଳିତ ଆର୍ଥିକ ବର୍ଷ)ରେ ଜିଡିପି ଅଭିବୃଦ୍ଧି ରେକର୍ଡ ୧୧% ହେବାନେଇ ଆକଳନ କରାଯାଇଥିଲା। ତାହା ପୂର୍ବରୁ ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ଆର୍ଥିକ ଅଭିବୃଦ୍ଧି ୭.୩% ସ୍ତରରେ ରହିଥିଲା। ଋିପୋର୍ଟରେ କୁହାଯାଇଛି, ଦେଶରେ କୋଭିଡ ଟିକାକରଣ ଅଭିଯାନ ବ୍ୟାପକ କରାଯିବା ଦ୍ୱାରା ତାହା ଅଭିବୃଦ୍ଧି ପାଇଁ ସହାୟକ ହେବ ଏବଂ ତାହାସହିତ ଯୋଗାଣ କ୍ଷେତ୍ରରେ ସଂସ୍କାର ଏବଂ କଟକଣା କୋହଳ କରାଯିବା, ରପ୍ତାନ୍ତି କ୍ଷେତ୍ରରେ ଦମଦାର ଅଭିବୃଦ୍ଧି ଏବଂ ମୂଳଧନ ବ୍ୟୟ ବୃଦ୍ଧି ପାଇଁ ବିତ୍ତୀୟ ସୁବିଧା ସୁଯୋଗର ଉପଲବ୍ଧତା ଭଳି ବିଷୟ ଆର୍ଥିକ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବାରେ ସହାୟକ ହେବ। ଆସନ୍ତା ଆର୍ଥିକ ବର୍ଷରେ ବେସରକାରୀ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ନେଇ ମଧ୍ୟ ଏଥିରେ ଆଶା ପ୍ରକଟ କରାଯାଇଛି। ଏଥିସହିତ କୁହାଯାଇଛି ଯେ ଅର୍ଥନୀତିର ପୁନରୁଦ୍ଧାର ପ୍ରକ୍ରିୟାକୁ ସମର୍ଥନ କରିବାକୁ ଦେଶର ଆର୍ଥିକ ବ୍ୟବସ୍ଥା ଭଲ ସ୍ଥିତିରେ ରହିଛି। ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ବର୍ଷ ଆଉ କୌଣସି ମହାମାରୀଜନିତ ଅର୍ଥନୈତିକ ବ୍ୟାଘାତ ସୃଷ୍ଟି ନହେବା, ମୌସୁମୀ ବୃଷ୍ଟିପାତ ସ୍ୱାଭାବିକ ରହିବା, ଆନ୍ତର୍ଜାତିକ ବଜାରରେ ଅଶୋଧିତ ପେଟ୍ରୋଲିୟମ ଦର ବ୍ୟାରେଲ ପିଛା ୭୦ରୁ ୭୫ ଡଲାର ମଧ୍ୟରେ ରହିବା ଆଦି ବିଷୟକୁ ଆଶା କରି ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ୮ରୁ ୮.୫% ଅଭିବୃଦ୍ଧି ଲକ୍ଷ୍ୟ ରଖାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories