ନୂଆଦିଲ୍ଲୀ : ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ସେବା କ୍ଷେତ୍ରରେ ଅଭିବୃଦ୍ଧି ଘଟିଛି। ଗ୍ରସ ଷ୍ଟେଟ ଭ୍ୟାଲୁ ଆଡେଡ (ଜିଏସଭିଏ)ର ସେବା କ୍ଷେତ୍ରରେ ଚଣ୍ଡୀଗଡ଼଼ ସର୍ବୋତ୍ତମ ପ୍ରଦର୍ଶନକାରୀ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପ୍ରଥମ ସ୍ଥାନରେ ରହିଛି। ସେହିପରି ଓଡ଼ିଶା, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ରାଜ୍ୟରେ ଜିଏସଭିଏରେ ସେବା କ୍ଷେତ୍ରର ଅଂଶ ଚାରି ପ୍ରତିଶତରୁ ଅଧିକ ବୃଦ୍ଧି ପରିଲକ୍ଷିତ ହୋଇଛି। ୨୦୧୮-୧୯ ବର୍ଷରେ ଓଡ଼ିଶାରେ ଜିଏସଭିଏରେ ସେବା କ୍ଷେତ୍ରର ଅଂଶ ୩୦.୨୭ ପ୍ରତିଶତ ଏବଂ ୨୦୧୯-୨୦ ବର୍ଷରେ ୩୨.୭୦ ପ୍ରତିଶତ ରହିଥିଲା। ୨୦୨୦-୨୧ ବର୍ଷରେ
ସେବା କ୍ଷେତ୍ରର ଅଂଶ ବୃଦ୍ଧି ପାଇ ୩୪.୩୭ ପ୍ରତିଶତ ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। କରୋନା ପ୍ରତିକୂଳ ପରିସ୍ଥିତି ଯୋଗୁଁ ୨୦୨୦-୨୧ ବର୍ଷରେ ସେବା କ୍ଷେତ୍ର ଅଭିବୃଦ୍ଧି ବିଯୁକ୍ତାତ୍ମକ ସ୍ତରକୁ ଆସିଯାଇଥିଲା। ଏହି ବର୍ଷ ଜିଏସଭିଏରେ ସେବା କ୍ଷେତ୍ରର ଅଭିବୃଦ୍ଧି – ୧.୦୧ ପ୍ରତିଶତ ରହିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ମନେରଗା ଚାହିଦା କମିଛି
୨୦୨୦ ବର୍ଷ ତୁଳନାରେ ୨୦୨୧ ବର୍ଷରେ ଓଡ଼ିଶା ସମେତ ବିହାର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଭଳି ପ୍ରବାସୀ ଶ୍ରମିକ ରାଜ୍ୟ ଗୁଡ଼ିକରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନେରଗା) ଚାହିଦା କମିଛି। ଅପରପକ୍ଷେ ପ୍ରବାସୀ ଶ୍ରମିକ କାମ ଅନ୍ୱେଷଣରେ ଯାଇ କାର୍ଯ୍ୟ କରୁଥିବା ରାଜ୍ୟ ପଞ୍ଜାବ, ମହାରାଷ୍ଟ୍ର, ତାମିଲନାଡ଼ୁ ଓ କର୍ଣ୍ଣାଟକ ଭଳି ରାଜ୍ୟରେ ମନେରଗା ପାଇଁ ଚାହିଦା ବଢ଼଼ି ଥିଲା।
ଇ-ଶ୍ରମ ପୋର୍ଟାଲରେ ଓଡ଼ିଶାର ଅଂଶ ୫.୭ ପ୍ରତିଶତ
ଚଳିତ ଜାନୁଆରୀ ୧୮ ସୁଦ୍ଧା ଇ-ଶ୍ରମ ପୋର୍ଟାଲରେ ପଞ୍ଜିକୃତ ଦେଶର ୨୨.୮୫ କୋଟି ଶ୍ରମିକଙ୍କ ମଧ୍ୟରୁ ଓଡ଼ିଶାର ଅଂଶ ୫.୭ ପ୍ରତିଶତ ରହିଛି। ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ଶ୍ରମିକ ସଂଖ୍ୟା ମଧ୍ୟରୁ ଉତ୍ତରପ୍ରଦେଶର ସର୍ବାଧିକ ଅଂଶ ୩୪.୯ ପ୍ରତିଶତ, ପଶ୍ଚିମବଙ୍ଗର ୧୦.୭ ପ୍ରତିଶତ, ବିହାରର ୧୦.୭ ପ୍ରତିଶତ, ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡର ଅଂଶ ୩.୫ ପ୍ରତିଶତ ଲେଖାଏଁ ରହିଛି।
ବଢ଼଼ିଛି ନବଜାତ ଶିଶୁ ମୃତ୍ୟୁହାର
ଓଡ଼ିଶାରେ ୨୦୧୫-୧୬ରେ ପ୍ରତି ଏକ ହଜାର ନବଜାତ ଶିଶୁଙ୍କ ମଧ୍ୟରେ ୨୭ ଜଣ ଶିଶୁଙ୍କ ମୃତ୍ୟୁ ଘଟୁଥିବା ବେଳେ ୨୦୧୯-୨୧ ବର୍ଷରେ ନବଜାତ ଶିଶୁ ମୃତ୍ୟୁହାର ବୃଦ୍ଧି ପାଇ ୨୮.୨ ଜଣରେ ପହଞ୍ଚିଛି। ଜାତୀୟସ୍ତରରେ ୨୦୧୫-୧୬ରେ ପ୍ରତି ଏକ ହଜାର ନବଜାତ ଶିଶୁଙ୍କ ମଧ୍ୟରେ ୨୯.୫ ଜଣ ନବଜାତଙ୍କ ମୃତ୍ୟୁ ଘଟୁଥିବା ବେଳେ ୨୦୧୯-୨୧ରେ ନବଜାତ ଶିଶୁ ମୃତ୍ୟୁହାର ହ୍ରାସ ପାଇ ୨୪.୯ ଜଣ ରହିଛି।
ଲିଙ୍ଗଗତ ପ୍ରଭେଦ ବୃଦ୍ଧି
ରାଜ୍ୟରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଜନ୍ମ ହୋଇଥିବା ପୁଅ ଓ ଝିଅଙ୍କ ସଂଖ୍ୟାକୁ ତୁଳନା କଲେ ଝିଅଙ୍କ ସଂଖ୍ୟାରେ ହ୍ରାସ ଘଟିଥିବା ବିଷୟରେ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ ହୋଇଛି। ୨୦୧୫-୧୬ ବର୍ଷରେ ପ୍ରତି ଏକ ହଜାର ପୁଅଙ୍କ ତୁଳନାରେ ୯୩୨ ଜଣ ଝିଅ ଜନ୍ମ ହେଉଥିବା ବେଳେ ୨୦୧୯-୨୧ରେ ଝିଅଙ୍କ ସଂଖ୍ୟା ହ୍ରାସ ପାଇ ପ୍ରତି ଏକ ହଜାର ପୁଅଙ୍କ ତୁଳନାରେ ୮୯୪ ଜଣ ଝିଅ ଜନ୍ମ ନେଉଥିବା ଜଣାପଡ଼ିଛି।
ସ୍ୱଚ୍ଛ ଭାରତ ଅଭିଯାନ (ଗ୍ରାମୀଣ)ରେ ପଛୁଆ
ସ୍ୱଚ୍ଛ ଭାରତ ଅଭିଯାନ (ଗ୍ରାମୀଣ)ରେ ସର୍ବଭାରତୀୟସ୍ତର ତୁଳନାରେ ଓଡ଼ିଶା ପଛୁଆ ରହିଛି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ୨୦୧୯-୨୧ର ପଞ୍ଚମ ପର୍ଯ୍ୟାୟ ରିପୋର୍ଟ ଅନୁଯାୟୀ ଜାତୀୟସ୍ତରରେ ଗ୍ରାମୀଣ ସ୍ୱଚ୍ଛତା ହାର ୨୦୧୫-୧୬ରେ ୪୮.୫ ପ୍ରତିଶତରୁ ବୃଦ୍ଧି ପାଇ ୨୦୧୯-୨୧ରେ ୭୦.୦୨ ପ୍ରତିଶତରେ ପହଞ୍ଚିଛି। ଗ୍ରାମାଞ୍ଚଳରେ ସ୍ୱଚ୍ଛତା ଓ ପରିମଳ କ୍ଷେତ୍ରରେ ଅଭିବୃଦ୍ଧି ଘଟିଥିଲେ ମଧ୍ୟ ଜାତୀୟସ୍ତର ଠାରୁ ଓଡ଼ିଶା ପଛରେ ରହିଛି। ରାଜ୍ୟରେ ଏହି ହାର ମାତ୍ର ୬୦ ପ୍ରତିଶତ ରହିଛି ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ ହୋଇଛି।
ସ୍ୱଚ୍ଛ ଇନ୍ଧନ ବ୍ୟବହାର ମାତ୍ର ୧୯.୨ ପ୍ରତିଶତ
ରାଜ୍ୟର ମାତ୍ର ୧୯.୨ ପ୍ରତିଶତ ପରିବାର ରୋଷେଇ ପାଇଁ ସ୍ୱଚ୍ଛ ଇନ୍ଧନ ବ୍ୟବହାର କରୁଛନ୍ତି ବୋଲି ଅଥନୈତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ ୨୦୧୫-୧୬ ଅନୁଯାୟୀ ରାଜ୍ୟରେ ୩୪.୭ ପ୍ରତିଶତ ପରିବାର ରୋଷେଇ ପାଇଁ ସ୍ୱଚ୍ଛ ଇନ୍ଧନ ବ୍ୟବହାର କରୁଥିବା ବେଳେ ୨୦୧୯-୨୧ରେ ଏହି ସଂଖ୍ୟା ହ୍ରାସ ପାଇ ୧୯.୨ ପ୍ରତିଶତରେ ପହଞ୍ଚିଛି। ସର୍ବଭାରତୀୟ ସ୍ତରରେ ୨୦୧୫-୧୬ ବର୍ଷରେ ୪୩.୮ ପ୍ରତିଶତ ପରିବାର ରୋଷେଇ ପାଇଁ ସ୍ୱଚ୍ଛ ଇନ୍ଧନ ବ୍ୟବହାର କରୁଥିବା ବେଳେ ୨୦୧୯-୨୧ ବର୍ଷରେ ଏହି ହାର ବୃଦ୍ଧି ପାଇ ୫୮.୬ ପ୍ରତିଶତରେ ପହଞ୍ଚିଛି। ଦେଶରେ ସ୍ୱଚ୍ଛ ଇନ୍ଧନ ବ୍ୟବହାର ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଓଡ଼ିଶା ସମେତ ୧୪ଟି ରାଜ୍ୟ ସ୍ୱଚ୍ଛ ଇନ୍ଧନ ବ୍ୟବହାର କ୍ଷେତ୍ରରେ ଜାତୀୟସ୍ତର ଠାରୁ ପଛରେ ଅଛନ୍ତି।
ଏସଡିଜି-୧୪ରେ ଓଡ଼ିଶା ଆଗୁଆ
ଜଳ ଓ ସାମୁଦ୍ରିକ ସମ୍ପଦ ସଂରକ୍ଷଣ କ୍ଷେତ୍ରରେ ପ୍ରଦର୍ଶନକାରୀ ଉପକୂଳ ରାଜ୍ୟ ଗୁଡ଼ିକ ମଧ୍ୟରେ ଓଡ଼ିଶା ଆଗୁଆ ରହିଛି। ନିତି ଆୟୋଗ ଓ ଏସଡିଜି ଇଣ୍ଡିଆ ଇଣ୍ଡେକ୍ସ ୨୦୧୯-୨୧ରେ (ଏସଡିଜି-୧୪)ରେ ଓଡ଼ିଶାକୁ ୮୨ ଅଙ୍କ ଏବଂ ଆନ୍ଧ୍ର ପ୍ରଦେଶକୁ ୭୯ ଅଙ୍କ ମିଳିଛି ବୋଲି ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।
ଜଙ୍ଗଲ ସମ୍ପଦର ସାତ ପ୍ରତିଶତ ଓଡ଼ିଶାରେ
ଦେଶର ଜଙ୍ଗଲ ସମ୍ପଦର ସାତ ପ୍ରତିଶତ ଜଙ୍ଗଲ ଓଡ଼ିଶାରେ ରହିଛି। ମଧ୍ୟପ୍ରଦେଶରେ ସର୍ବାଧିକ ୧୧ ପ୍ରତିଶତ, ଅରୁଣାଚଳ ପ୍ରଦେଶରେ ୯ ପ୍ରତିଶତ, ଛତିଶଗଡ଼଼ରେ ୮ ପ୍ରତିଶତ ଓ ମହାରାଷ୍ଟ୍ରର ୭ ପ୍ରତିଶତ ଜଙ୍ଗଲ ରହିଛି ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।
ଓଡ଼ିଶା ସେବା କ୍ଷେତ୍ରରେ ଅଭିବୃଦ୍ଧି
Popular Categories



