ନୂଆଦିଲ୍ଲୀ : ଆଦର୍ଶ ଆଚରଣ ବିଧି ଲାଗୁହେବା ପରଠାରୁ ନିର୍ବାଚନ କମିଶନ(ଇସି) ସାରା ଦେଶରୁ ୧ ହଜାର ୪୬୦ କୋଟି ଟଙ୍କାର ବେଆଇନ ଅର୍ଥ, ମଦ, ନିଶା ଔଷଧ, ସୁନା ଓ ଉପହାର ଆଦି ଜବତ କରିଛନ୍ତି । ଗୁଜରାଟରେ ସବୁଠାରୁ ଅଧିକ ୫୧୦ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ଜବତ କରାଯାଇଛି । ସେହିପରି ତାମିଲନାଡ଼ୁରୁ ୨୦୮ କୋଟି, ଆନ୍ଧ୍ରପ୍ରଦେଶରୁ ୧୫୮ କୋଟି, ପଞ୍ଜାବରୁ ୧୪୪ କୋଟି ଏବଂ ଉତ୍ତର ପ୍ରଦେଶରୁ ୧୩୫ କୋଟି ଟଙ୍କା ମୂଲ୍ୟର ଏହିସବୁ ସାମଗ୍ରୀ ଜବତ କରାଯାଇଛି।
କମିଶନ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ସାରାଦେଶରୁ ୩୪୦ କୋଟି ନଗଦ ଟଙ୍କା ଜବତ କରାଯାଇଥିବା ବେଳେ ୬୯୨ କୋଟି ଟଙ୍କାର ନିଶାଦ୍ରବ୍ୟ, ୨୫୬ କୋଟି ଟଙ୍କାର ମୂଲ୍ୟବାନ ପଥର, ୧୪୪ କୋଟି ଟଙ୍କାର ମଦ ଆଦି ଜବତ କରାଯାଇଛି।
ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ତଥା କଳାଧନ କାରବାର ରୋକିବା ପାଇଁ କମିଶନଙ୍କ ପକ୍ଷରୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି।



