ନୂଆଦିଲ୍ଲୀ: ନିର୍ବାଚନରେ ୫୦ ପ୍ରତିଶତ ଭିଭିପ୍ୟାଟ(ଭୋଟର ଭେରିଫାଏଡ ପେପର ଅଡିଟ୍ ଟ୍ରାଏଲ) ସ୍ଲିପ ଗଣନା କରାଗଲେ ଭୋଟ ଗଣତିରେ ଅଧିକ ସମୟ ଲାଗିବ। ନିର୍ବାଚନ ଫଳାଫଳ ପ୍ରାୟ ୫ ଦିନ ବିଳମ୍ବରେ ପ୍ରକାଶ ପାଇବ। ଏଥିସହ ଇଭିଏମ ସହିତ ଭିଭିପ୍ୟାଟ ସ୍ଲିପଗୁଡ଼ିକୁ ମିଳାଇବା ପାଇଁ ଅଧିକ ସଂଖ୍ୟକ କର୍ମଚାରୀ ଏବଂ ଭୋଟ ଗଣନା ପାଇଁ ବଡ଼ ହଲର ଆବଶ୍ୟକତା ରହିଛି। କିନ୍ତୁ କେତେକ ରାଜ୍ୟରେ ଏହି ସୁବିଧା ନ ଥିବାରୁ ଭୋଟ ଗଣନାରେ ସମସ୍ୟା ସୃଷ୍ଟି ହେବା ଆଶଙ୍କା ରହିଛି ବୋଲି ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି।
ଭୋଟ ଗ୍ରହଣ ସମୟରେ ମତଦାତାମାନେ ଇଭିଏମ୍ ସହ ଭିଭିପ୍ୟାଟ ସ୍ଲିପରେ ବି ମତଦାନ କରିଥାନ୍ତି। ଭୋଟ ଗଣତି ସମୟରେ ଯେକୌଣସି ଗୋଟିଏ ମତଦାନ କେନ୍ଦ୍ରର ଇଭିଏମର ଭୋଟ ଗଣତି କରାଯିବା ସହ ସେହି କେନ୍ଦ୍ରର ଭିଭିପ୍ୟାଟ ସ୍ଲିପଗୁଡ଼ିକୁ ଯାଞ୍ଚ କରାଯାଇଥାଏ। ଫଳରେ ଇଭିଏମର ଫଳାଫଳ ସହ ଭିଭିପ୍ୟାଟର ଫଳାଫଳ ସମାନ ରହୁଛି କି ନାହିଁ ତାହା ଜଣାପଡ଼ିଥାଏ। ଏହାଦ୍ବାରା ଯଦି କେଉଁଠି ଇଭିଏମ୍ରେ ଜାଲିଆତି ହୋଇଥାଏ ତାହା ଧରାପଡ଼ିଯାଇଥାଏ। ତେଣୁ ନିର୍ବାଚନରେ ୫୦ ପ୍ରତିଶତ ଭିଭିପ୍ୟାଟ ସ୍ଲିପ ଗଣନା କରିବାକୁ ଦାବି କରି ୨୧ଟି ବିରୋଧୀ ଦଳ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଛି। ଏହାଦ୍ବାରା ନିର୍ବାଚନରେ ସ୍ବଚ୍ଛଦା ଆସିପାରିବ ବୋଲି ବିରୋଧୀ କହିଛନ୍ତି। ଏହାର ବିଚାର କରିବାକୁ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦେଶ ଦେଇଛନ୍ତି।
ଆୟୋଗ କହିଛନ୍ତି ଯେ, ସ୍ବୟଂଚାଳିତ ଉପାୟରେ ଭିଭିପ୍ୟାଟ ମିଳାଇବାର କୌଣସି ପଦ୍ଧତି ନାହିଁ। ବିରୋଧୀଙ୍କ ଦାବି ଅନୁସାରେ ଯଦି ଭିଭିପ୍ୟାଟ ଗଣନା କରାଯାଏ ତାହେଲେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆୟୋଗ କହିଛନ୍ତି। ଯଦି ସମସ୍ତ ସଂସଦୀୟ ଏବଂ ବିଧାନସଭା କ୍ଷେତ୍ରର ୫୦ ପ୍ରତିଶତ ଭିଭିପ୍ୟାଟ ସ୍ଲିପ ଗଣନା କରାଯିବ ତା’ହେଲେ ଭୋଟ ଗଣନାରେ ବହୁତ ସମୟ ଲାଗିବ। ଅତିକର୍ମରେ ୫ଦିନ ଅଧିକ ସମୟ ଲାଗିବ ଏବଂ ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ମେ ୨୩ ବଦଳରେ ମେ ୨୮ ତାରିଖରେ ପ୍ରକାଶ ପାଇବ ବୋଲି ନିର୍ବାଚନ ଆୟୋଗ କୋର୍ଟଙ୍କୁ ଅବଗତ କରାଇଛନ୍ତି।
ବର୍ତ୍ତମାନ କିପରି ଗଣାଯାଉଛି ଭିଭିପ୍ୟାଟ ସ୍ଲିପ
ନିର୍ବାଚନ ଆୟୋଗଙ୍କ ମତରେ ବର୍ତ୍ତମାନ ପ୍ରତି ସଂସଦୀୟ କିମ୍ବା ବିଧାନସଭା କ୍ଷେତ୍ରର କୌଣସି ଏକ ଇଭିଏମକୁ ବାଛି ତାହାର ସ୍ଲିପଗୁଡ଼ିକୁ ଗଣାଯାଉଛି। ଏବେ ଦେଶରେ ପାଖାପାଖି ୧୦ ଲକ୍ଷ ୩୫ ହଜାର ମତଦାନ କେନ୍ଦ୍ର ରହିଛି। ଗୋଟିଏ ବିଧାନସଭା କ୍ଷେତ୍ରରେ ହାରାହାରି ୨୫୦ ମତଦାନ କେନ୍ଦ୍ର ଅଛି। ଗୋଟିଏ ମତଦାନ କେନ୍ଦ୍ରରେ ଭିଭିପ୍ୟାଟ ସ୍ଲିପ ଗଣନା କରି ଇଭିଏମ ସହ ମିଳାଗଲେ ୧ ଘଣ୍ଟା ଅଧିକ ସମୟ ଲାଗୁଛି। ଯଦି ୫୦ ପ୍ରତିଶତ ଭିଭିପ୍ୟାଟ ସ୍ଲିପ ଗଣନା କରାଯାଏ ତା’ହେଲେ ୧୨୫ ଘଣ୍ଟା ଅର୍ଥାତ ୫ଦିନରୁ ଅଧିକ ସମୟ ଲାଗିବ।



