ଇନିଂସ ବିଜୟ ସହ ଭାରତ ବ୍ଲୁ ଦୁଲିପ ଟ୍ରଫି ଚମ୍ପିଆନ

0

ଡିଣ୍ଡିଗୁଲ : ଭାରତ-ବ୍ଲୁ ୨୦୧୮-୧୯ ସିଜିନ୍‍ର ପ୍ରଥମ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦୁଲିପ ଟ୍ରଫି ଚମ୍ପିଆନ୍‍ ଆଖ୍ୟା ଅର୍ଜନ କରିଛି। ଶୁକ୍ରବାର ୪ର୍ଥ ଦିନରେ ଭାରତ ରେଡ୍‍କୁ ଇନିଂସ ଓ ୧୮୭ ରନ୍‍ର ବିପୁଳ ବ୍ୟବଧାନରେ ଭାରତ ବ୍ଲୁ ପରାସ୍ତ କରିଛି। ପ୍ରଥମ ଇନିଂସରେ ମାତ୍ର ୧୮୨ ରନ୍‍ରେ ଅଲ୍‍ଆଉଟ ହୋଇ ୨ୟ ଇନିଂସରେ ଫଲୋଅନ୍‍ ଖେଳୁଥିବା ଭାରତ ରେଡ୍‍ ଶୁକ୍ରବାର ୧୭୨ ରନ୍‍କରି ଅଲ୍‍ଆଉଟ ହୋଇ ପରାଜୟ ଭୋଗିଛି।
ସୂଚନାଯୋଗ୍ୟ; ମ୍ୟାଚ୍‍ରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ବ୍ଲୁ ପ୍ରଥମ ଇନିଂସରେ ୫୪୧ ରନ୍‍କରି ଅଲ୍‍ଆଉଟ ହୋଇଥିଲା। ହିମାଚଳ ପ୍ରଦେଶର ବ୍ୟାଟ୍‍ସମାନ୍‍ ନିଖିଳ ଗାଙ୍ଗ୍‍ଟା ଶତକ (୧୩୦) ହାସଲ କରିଥିବା ବେଳେ ଅନ୍‍ମୋଲପ୍ରୀତ ସିଂହ ୯୬, ସ୍ୱପ୍ନିଳ ସିଂହ ୬୯, ରିକି ଭୁଇ ୬୦, ସୌରଭ କୁମାର ୩୬ ଓ ଅଧିନାୟକ ଫୟାଜ୍‍ ଫଜଲ ୩୨ ରନ୍‍ କରିଥିଲେ। ଅଫ୍‍ସ୍ପିନର ପରଭେଜ୍‍ ରସୁଲ ୪ଟି ଓ ଲେଗ୍‍ସ୍ପିନର ମିହିର ହିରୱାନି ୩ଟି ୱିକେଟ ନେଇଥିଲେ। ଭାରତ ବ୍ଳୁ ୧୦୭ ରନ୍‍ରେ ୪ଟି ୱିକେଟ ହରାଇଥିଲେ ହେଁ ପରବର୍ତ୍ତୀ ବ୍ୟାଟ୍‍ସମ୍ୟାନ୍‍ଙ୍କ ସଫଳତା ଯୋଗୁଁ ବଡ଼ ସ୍କୋର୍‍ କରି ପାରିଥିଲା। ପରେ ଭାରତ ରେଡ୍‍ର ବି. ସନ୍ଦୀପ ୫୭ ରନ୍‍ କରିଥିବା ବେଳେ ଅନ୍ୟମାନେ ବିଫଳ ହେବାରୁ ଏହା ୧୮୨ ରନ୍‍ରେ ଅଲ୍‍ଆଉଟ ହୋଇଥିଲା। ବାମହାତି ସ୍ପିନର ସ୍ୱପ୍ନିଲ ସିଂହ ୫ଟି ୱିକେଟ ନେଇଥିଲେ। ଫଲୋଅନ୍‍ ହେବା ପରେ ୨ୟ ଇନିଂସରେ ଭାରତ ରେଡ୍‍ର ଓପ୍‍ନର ଅଭିନବ ମୁକୁନ୍ଦ ୪୬. ଈଶାନ୍‍ କିଷନ ୩୦ ଓ ବି. ସନ୍ଦୀପ ୨୨ ରନ୍‍ କରିଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ଫଳରେ ଭାରତ ରେଡ୍‍ ୧୭୨ ରନ୍‍କରି ଅଲ୍‍ଆଉଟ ହୋଇ ଯାଇଥିଲା। ଅଫ୍‍ସ୍ପିନର ଦୀପକ ହୁଡା ଓ ବାମହାତି ସ୍ପିନର ସୌରଭ କୁମାର ୫ଟି ଲେଖାଏଁ ୱିକେଟ ନେଇଥିଲେ। ନିଖିଳ ଗାଙ୍ଗ୍‍ଟା ମ୍ୟାନ୍‍ ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।

Leave A Reply