Patra electronics

୪ ନାବାଳିକାଙ୍କ ସଲିଳ ସମାଧି

0

ଲମତାପୁଟ/ନିରାକାରପୁର: ସୋମବାର ୪ ନାବାଳିକାଙ୍କ ସଲିଳ ସମାଧି ଘଟିଛି। ମାଲକାନଗିରି ଜିଲା ଲମତାପୁଟ ଅଞ୍ଚଳର ଦୁଇ ଭଉଣୀ ନାଳରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ପ୍ରାଣ ହରାଇଥିବାବେଳେ ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳର ଦୁଇ ଭଉଣୀ ମାମୁ ଘରକୁ ବୁଲିଯାଇଥିବା ବେଳେ ପୋଖରୀରେ ବୁଡ଼ି ପ୍ରାଣ ହରାଇବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
ଖୋର୍ଦ୍ଧା ଜିଲା ନରଣଗଡ ପଞ୍ଚାୟତ ଓରମି ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି। ଗାଁ ମଠ ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ଦ୍ୱୟ ହେଲେ ଓରମିର ଲୋକନାଥ ପଶ୍ଚିମ କବାଟଙ୍କ ଦୁଇ ଭାଣେଜି ତଥା ଟାଙ୍ଗୀ ଥାନା ରତନପୁରର ରାମ ଜେନାଙ୍କ ଦୁଇ ଝିଅ ଲୋପାମୁଦ୍ରା (୧୪) ଓ ଶୁଭଶ୍ରୀ (୯)। ଉଭୟ ଯଥାକ୍ରମେ ୯ମ ଓ ୫ମ ଶ୍ରେଣୀରେ ପଢ଼ୁଥିଲେ। ଖରାଛୁଟିରେ ସେମାନେ ମାମୁ ଘରକୁ ବୁଲିବାକୁ ଆସିଥିଲେ।
ସୂଚନା ମୁତାବକ, ସକାଳ ସାଢେ ଆଠଟା ବେଳେ ସମ୍ପୃକ୍ତା ଦୁଇ ଶିଶୁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲା ବେଳେ ଏପରି ଅଘଟଣ ଘଟିଛି। ସାନ ଭଉଣୀ ପାଣିରେ ବୁଡିଯାଉଥିବା ବେଳେ ତାକୁ ରକ୍ଷା କରିବାକୁ ଯାଇ ବଡଭଉଣୀ ମଧ୍ୟ ବୁଡିଯାଇଥିବା ଆଲୋଚନା ହେଉଛି।
ଗାଁ ଲୋକେ ଦୁଇ ଭଉଣୀଙ୍କୁ ପାଣିରୁ ଉଦ୍ଧାର କରି ଖୋର୍ଦ୍ଧା ସଦର ମହକୁମା ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଜଙ୍କିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
ସେହିପରି ମାଲକାନଗିରି ଜିଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଆଉଡିପଡା ଗ୍ରାମ। ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଜି ସକାଳ ପ୍ରାୟ ୮ଟାରେ ଆଉଡିପଡା ଗ୍ରାମର ଘେନୁଆ ବଡ଼ନାୟକଙ୍କ ଧାନ ଜମିରେ ନିଜ ସମ୍ପର୍କୀୟମାନେ ଧାନ କାଟିବା ନିମନ୍ତେ ଯାଇଥିଲେ। ତାଙ୍କ ସହ ଆଉଡ଼ିପଡା ଗ୍ରାମର ଝିନୁ ବଡ଼ନାୟକଙ୍କ ଝିଅ ତୁଳସୀ ବଡ଼ନାୟକ(୧୦) ଓ ଲଇଖନ ବଡ଼ନାୟକଙ୍କ ଝିଅ କବିତା ବଡ଼ନାୟକ ମଧ୍ୟ ସାଙ୍ଗରେ ଯାଇଥିଲେ। ପରିବାର ଲୋକେ ଧାନ ଜମିରେ ଧାନ କାଟିବା ବ୍ୟସ୍ତ ରହିଥିବା ବେଳେ ଦୁଇ ଭଉଣୀ ନିକଟରେ ରହିଥିବା ଏକ ନାଳରେ ଗାଧୋଇବାକୁ ଯାଇଥିଲେ। ପରିବାର ଲୋକେ ଧାନ କାଟିବାରେ ବ୍ୟସ୍ତ ରହିଥିବା ବେଳେ ଦୁଇ ଭଉଣୀଙ୍କ କଥାକୁ ଭୁଲିଯାଇଥିଲେ। ପରବର୍ତ୍ତୀ ସମୟରେ ସମ୍ପର୍କୀୟମାନେ ଦୁଇ ନିଖୋଜ ରହିଥିବା ଝିଅଙ୍କ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ଦୁଇ
ଭଉଣୀଙ୍କ ପୋଷାକ ନିକଟରେ ରହିଥିବା ନାଳରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପାଣିରେ ବୁଡ଼ିଯାଇଥିବା ସନ୍ଦେହ କରି ଖୋଜାଖୋଜି କରି ଦୁଇଜଣଙ୍କ ନାଳରୁ ଉଦ୍ଧାର କରିଥିଲେ। ପ୍ରଥମେ ତୁଳସୀଙ୍କୁ ଉଦ୍ଧାର
କରିଥିବା ବେଳେ ପରବର୍ତ୍ତୀ ସମୟରେ କବିତାଙ୍କୁ ଉଦ୍ଧାର କରି ଲମତାପୁଟ ଆଶା କିରଣ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ଚିକିତ୍ସା ପରେ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ। ସମ୍ପର୍କୀୟଙ୍କ ମଧ୍ୟରେ କାନ୍ଦବୋବାଳି ଆରମ୍ଭ ହୋଇଥିଲା। ଏହି ଘଟଣା ସମଗ୍ର ଅଞ୍ଚଳରେ ପବନ ବେଗରେ ପ୍ରସାରିତ ହେବା ପରେ ଡାକ୍ତରଖାନାରେ ସମ୍ପର୍କୀୟଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଘଟଣା ସମ୍ପର୍କରେ ଲମତାପୁଟ ଫାଣ୍ଡି ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲା। ପରେ ଲମତାପୁଟ ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଷଢ଼ଙ୍ଗୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଘଟଣାର ତହନ୍ତ କରିଥିଲା। ପରେ ମୃତ ଦୁଇ ଭଉଣୀଙ୍କୁ ଡାକ୍ତର ମାନସ ରଞ୍ଜନ ଧଳ ଓ ଡାକ୍ତର ତାପସ କୁମାର ପାଣି ଉପସ୍ଥିତ ରହି ଶବ ବ୍ୟବଛେଦ କରିବା ପରେ ପୁଲିସ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା।

Leave A Reply