ଭୁବନେଶ୍ୱର:ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନବଉତ୍କଳର ନିର୍ମାତା ଡ. ହରେକୃଷ୍ଣ ମହତାବ ସର୍ବଦା ଓଡ଼ିଶାର ସାମଗ୍ରିକ ବିକାଶ କଥା ଚିନ୍ତା କରୁଥିଲେ। କେବଳ ଯେ ରାଜନୀତି କ୍ଷେତ୍ରରେ ସେ ପ୍ରତିଷ୍ଠା ଲାଭ କରିଥିଲେ, ତାହା ନୁହେଁ ବରଂ ଜଣେ ଐତିହାସିକ, ସାହିତ୍ୟିକ, ସାମ୍ବାଦିକ, ସଂପାଦକ, ଦକ୍ଷ ପ୍ରଶାସକ ଓ ସଂସ୍କୃତିସଂପନ୍ନ ବ୍ୟକ୍ତି ଭାବେ ସୁପ୍ରତିଷ୍ଠିତ ଥିଲେ। ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବମ୍ବେ ପ୍ରଦେଶର ରାଜ୍ୟପାଳ ଭାବେ ସେ ନିଜର କର୍ତ୍ତବ୍ୟ ଯେପରି ଭାବେ ନିଷ୍ଠାର ସହ ତୁଲାଇଥିଲେ, ଅନୁରୂପ ଭାବରେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଝାସଦେଇ ନେତୃତ୍ୱର ପରାକାଷ୍ଠା ମଧ୍ୟ ପ୍ରଦର୍ଶନ କରିଥିଲେ ବୋଲି ନବଉତ୍କଳର ନିର୍ମାତା ଡ. ହରେକୃଷ୍ଣ ମହତାବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବର ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜୟଦେବ ଭବନଠାରେ ନବଉତ୍କଳର ନିର୍ମାତା ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉତ୍ସବରେ ରାଜ୍ୟସଭା ସାଂସଦ ସୁଲତା ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳ କେଶରୀ ଡ. ମହତାବ ଓଡ଼ିଶାର ଏକ ବହୁମୁଖୀ ଅନୁଷ୍ଠାନ ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗାଦଇ ଭଣ୍ଡାରୀପୋଖରୀର ବିଧାୟକ ପ୍ରଫୁଲ୍ଲ ସାମଲ ଡ. ହରେକୃଷ୍ଣ ମହତାବଙ୍କ ପ୍ରତି କାର୍ଯ୍ୟରେ ସ୍ୱକୀୟତା, ସାହାସ ଓ ନିର୍ଭୀକତାର ପରିପ୍ରକାଶ ହୋଉଥିଲା ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଓ ଗବେଷକ ଡ. ଗିରିଶ ପ୍ରସାଦ ସ୍ୱାଇଁ ଡ. ମହତାବଙ୍କ କର୍ମମୟ ଜୀବନ ସଂପର୍କରେ ଆଲୋକପାତ କରିଥିଲେ।
ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରି ଡ. ମହତାବଙ୍କୁ ଆଧୁନିକ ଓଡ଼ିଶାର ନିର୍ମାତା ବୋଲି ଦର୍ଶାଇଥିଲେ। ସଭା ପ୍ରାରମ୍ଭରେ ଅତିଥିମାନେ ନବ ଉତ୍କଳର ନିର୍ମାତା ଡ. ହରେକୃଷ୍ଣ ମହତାବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ପରେ ଆଚାର୍ଯ୍ୟ ଜଳଧର ପ୍ରଧାନ ଓ ସାଥି ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମକୁ ସହକାରୀ ନିର୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।



