ଯୌତୁକଜନିତ ବଧୂହତ୍ୟା ଅଭିଯୋଗ, ସ୍ୱାମୀ ଗିରଫ

ଆଠଗଡ :  ଆଠଗଡ ଥାନା ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ଏକ ଯୌତୁକଜନିତ ବଧୂହତ୍ୟା ଅଭିଯୋଗ ହେବା ପରେ ଆଠଗଡ ପୁଲିସ ସ୍ୱାମୀକୁ ଗିରଫ କରି ଅଦାଲତରେ ହାଜର କରିଥିବା ଜଣାପଡିଛି । ଗତ ୩ବର୍ଷ ପୂର୍ବେ କନ୍ଦରପୁର ଗ୍ରାମର ବିରେନ୍ଦ୍ର ଦଳେଇଙ୍କ ଝିଅ ପିଙ୍କି ସେହି ଗ୍ରାମର କୃଷ୍ଣଚନ୍ଦ୍ର ରାଉତଙ୍କ ପୁଅ ବବୁଲକୁ ପ୍ରେମବିବାହ କରିଥିଲେ । ତେବେ ବିବାହର କିଛି ଦିନ ପରେ ଶାଶୂଘର ଲୋକ ଓ ସ୍ୱାମୀ ଅଧିକ ଯୌତୁକ ଦାବି କରି ପିଙ୍କିଙ୍କୁ ଶାରୀରିକ ଓ ମାନସିକ ଅତ୍ୟାଚାର କରୁଥିଲେ ବୋଲି ତାଙ୍କ ପିତାମାତା ଅଭିଯୋଗ କରିଛନ୍ତି। ପିଙ୍କିର ସ୍ୱାମୀ ବବୁଲ, ଶାଶୂ କମଳା ରାଉତ, ଶ୍ୱଶୁର କୃଷ୍ଣଚନ୍ଦ୍ର ରାଉତ ଓ ଦିଅର ଗୁଗୁଲ ରାଉତ ପିଙ୍କିଙ୍କୁ ଯୌତୁକ ଆଣିଲେ ଏଠାରେ ଖାଇପିଇ ରହିବୁ, ନଚେତ ଜୀବନରେ ମାରିଦେବା ପାଇଁ ଧମକ ଦେଉଥିଲେ ବୋଲି ବାପଘର ଲୋକ ଅଭିଯୋଗ କରିଛନ୍ତି। ଏପରିକି ବାପଘର ଲୋକ ପିଙ୍କିକୁ ଦେଖିବା ପାଇଁ ତାଙ୍କ ଶ୍ୱଶୁରଘରକୁ ଆସିଲେ ଶ୍ୱଶୁରଘର ଲୋକ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲେ ଏବଂ ତାଙ୍କ ଜାତିକୁ ଆକ୍ଷେପ କରନ୍ତି ବୋଲି ଅଭିଯୋଗ ହୋଇଛି । ବୁଧବାର ପିଙ୍କିକୁ ଜୀବନରେ ମାରିବା ଉଦ୍ଦେଶ୍ୟରେ ଶାଶୂଘର ଲୋକ ବିଷ ପିଆଇ ଦେଇଥିଲେ ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ଖବର ପାଇ ପିଙ୍କିଙ୍କ ମାଆ ଓ ଭାଇ ପ୍ରଥମେ ଆଠଗଡ ଡାକ୍ତରଖାନା ଆସି ସେଠାରୁ କଟକ ଯାଇଥିବା ଶୁଣି ସେମାନେ କଟକ ବଡ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ପିଙ୍କିଙ୍କର ମୃତ୍ୟୁ ହୋଇସାରିଥିବା ଦେଖିଥିଲେ । ପିଙ୍କିଙ୍କ ଭାଇ ପ୍ରିୟତମ ଦଳେଇ ତାଙ୍କ ଭଉଣୀଙ୍କୁ ଯୌତୁକ ପାଇଁ ନିର୍ଯ୍ୟାତନା ଦେବା ସହିତ ସ୍ୱାମୀ ଓ ଶାଶୂଘର ଲୋକ ମିଶି ବିଷ ପିଆଇ ହତ୍ୟା କରିଥିବା ଆଠଗଡ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବାବେଳେ ଗୁରୁବାର ସ୍ୱାମୀ ବବୁଲ ରାଉତଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିବା ଜଣାପଡିଛି।

kalyan agarbati

Comments are closed.