ୱାଶିଂଟନ: ଆଫଗାନିସ୍ତାନରେ ସୃଷ୍ଟି ହୋଇଥିବା ସଙ୍କଟ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବିଭିନ୍ନ ମହଲରେ ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି। ନିଜ ଦେଶରେ ମଧ୍ୟ ତାଙ୍କୁ ଏଥିପାଇଁ ଅନେକ ନିନ୍ଦା କରିଛନ୍ତି। ଇତିମଧ୍ୟରେ ଦେଶର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ, ବାଇଡେନଙ୍କ ଇସ୍ତଫା ଦାବି କରିଛନ୍ତି। ଏକ ବିବୃତିରେ ଟ୍ରମ୍ପ କହିଛନ୍ତି ଯେ ଆଫଗାନିସ୍ତାନ ରାଜଧାନୀ କାବୁଲ ତାଲିବାନ ଆତଙ୍କିଙ୍କ ହାତକୁ ବିନା ବାଧାରେ ଚାଲିଯିବା ଘଟଣା ଆମେରିକା ଇତିହାସରେ ଅନ୍ୟତମ ସର୍ବବୃହତ ପରାଜୟ ଭାବରେ ଲିପିବଦ୍ଧ ହୋଇ ରହିବ।
ଟ୍ରମ୍ପ କହିଛନ୍ତି, ଆଫଗାନିସ୍ତାନ ସହିତ ବାଇଡେନ ଯାହା କରିଛନ୍ତି, ତାହା କିମ୍ବଦନ୍ତୀ ହୋଇ ରହିବ। ଏହା ଆମେରିକା ଇତିହାସର ଅନ୍ୟତବ ସର୍ବବୃହତ ପରାଜୟ ଭାବରେ ବିବେଚିତ ହେବ। ଏଥିପାଇଁ ସେ ବାଇଡେନଙ୍କର ଇସ୍ତଫା ଦାବି କରିଛନ୍ତି। ଲଜ୍ଜା ଓ ଗ୍ଳାନିରେ ବାଇଡେନ ଇସ୍ତଫା ଦେବା ଉଚିତ ବୋଲି ଟ୍ରମ୍ପ କହିଛନ୍ତି। ଏଥିପାଇଁ ସେ ୫ଟି କାରଣ ମଧ୍ୟ ଦର୍ଶାଇଛନ୍ତି। ସେ କହିଛନ୍ତି, ଆଫଗାନ ସଙ୍କଟ, ଆମେରିକାରେ କୋଭିଡ-୧୯ ସଂକ୍ରମଣ ମାତ୍ରାଧିକ ବୃଦ୍ଧିପାଇବା, ସୀମାନ୍ତରେ ଅସ୍ଥିରତା, ଶକ୍ତି ଉପରେ ନିର୍ଭରଶୀଳତାକୁ ଧ୍ୱଂସ କରିଦିଆଯିବା ଏବଂ ମନ୍ଥର ଅର୍ଥନୀତି ପରିଚାଳନା ଭଳି କାରଣ ପାଇଁ ବାଇଡେ ଇସ୍ତଫା ଦେବା ଆବଶ୍ୟକ।
ଆମେରିକା ସୈନ୍ୟଙ୍କ ଦ୍ୱାରା ୨୦ ବର୍ଷ ତଳେ ବିତାଡିତ ହୋଇଥିବା ତାଲିବାନ ଆତଙ୍କି ଗୋଷ୍ଠୀ ପୁଣି ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ଅଗଷ୍ଟ ୩୧ରେ ଆମେରିକାର ସମସ୍ତ ସୈନ୍ୟ ଆଫଗାନିସ୍ତାନ ଛାଡିବାକୁ ବାଇଡେନ ସମୟ ଧାର୍ଯ୍ୟ କରିଥିôବାବେଳେ ତାହାର ଦୁଇ ସପ୍ତାହ ପୂର୍ବରୁ ତାଲିବାନ କାବୁଲକୁ ନିଜ ଅକ୍ତିଆରକୁ ନେଇସାରିଛନ୍ତି। ସୂଚନାଯୋଗ୍ୟ ଯେ ଟ୍ରମ୍ପ ପ୍ରଶାସନ ୨୦୨୦ରେ ଦୋହାଠାରେ ତାଲିବାନ ସହିତ ଏକ ରାଜିନାମାରେ ଉପନୀତ ହୋଇଥିଲେ ଏବଂ ଉକ୍ତ ରାଜିନାମା ଅନୁଯାୟୀ ଆମେରିକା ୨୦୨୧ ମଇ ମାସ ସୁଦ୍ଧା ତାହାର ସୈନ୍ୟଙ୍କୁ ଆଫଗାନିସ୍ତାନରୁ ଫେରାଇ ନେବାକୁ ରାଜି ହୋଇଥିଲା। ତାହା ପ୍ରତିବଦଳରେ ଆତଙ୍କି ଗୋଷ୍ଠୀଙ୍କ ପାଇଁ ଅନେକ ସୁରକ୍ଷା ଗ୍ୟାରେଣ୍ଟି ଦିଆଯାଇଥିଲା। ବାଇଡେନ ଚଳିତ ବର୍ଷ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିବା ପରେ ଏହି ସମୟ ବୃଦ୍ଧିକରି ଅଗଷ୍ଟ ୩୧ କରିଥିଲେ ଏବଂ ଏଥିପାଇଁ କିଛି ସର୍ତ୍ତ ରଖିନଥିଲେ। ଟ୍ରମ୍ପ କହିଛନ୍ତି, ସେ ରାଷ୍ଟ୍ରପତି ଥିଲେ ପରିସ୍ଥିତି ସଂପୂର୍ଣ୍ଣ ଭିନ୍ନ ହୋଇଥାନ୍ତା ଏବଂ ଆମେରିକା ସୈନ୍ୟ ସଫଳତାର ସହିତ ପ୍ରତ୍ୟାବର୍ତ୍ତନ କରିଥାନ୍ତେ। ତେବେ ବାଇଡେନ ପ୍ରଶାସନ ନିଜ ନିଷ୍ପତ୍ତି ଠିକ୍ ବୋଲି ଦର୍ଶାଇବା ସହିତ ଟ୍ରମ୍ପ ପ୍ରଶାସନ ହିଁ ସୈନ୍ୟ ଅପସାରଣ ନିଷ୍ପତ୍ତି ଦୋହାରେ ନେଇଥିବା କହିଛନ୍ତି।



