ଡୋକଲାମରେ ସାମରିକ ଭିତ୍ତିଭୂମି ନିର୍ମାଣ କରୁଛି ଚୀନ: ସୀତାରମଣ
ନୂଆଦିଲ୍ଲୀ : ସିକିମ୍ ସୀମାନ୍ତ ଡୋକଲାମରେ ଚୀନ ହେଲିପ୍ୟାଡ, ବଙ୍କର, ଶିବିର ଓ ଅନ୍ୟାନ୍ୟ ସାମରିକ ଭିତ୍ତିଭୂମି ନିର୍ମାଣ କରୁଥିବା ନେଇ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଚୀନର ଏପରି ସାମରିକ ଭିତ୍ତିଭୂମି ନିର୍ମାଣକୁ ଦୃଷ୍ଟିରେ ରଖି ଭାରତ ଏହାର ସୈନିକଙ୍କୁ ଡୋକଲାମ ଠାରୁ ନିର୍ଦ୍ଧାରିତ ଦୂରତା ମଧ୍ୟରେ ମୁତୟନ କରିଛି ବୋଲି ସେ କହିଛନ୍ତି। ୨୦୧୭ରେ ଡୋକଲାମରେ ଦୁଇଦେଶର ସୈନିକ ମୁହାଁମୁହିଁ ହୋଇଥିଲେ। ପରବର୍ତ୍ତୀ ସମୟରେ ଉଭୟ ପକ୍ଷ ନିଜ ନିଜର ସୈନିକ ହଟାଇ ନେଇଥିଲେ। ତେବେ ଚୀନ ଏଠାରେ ସାମରିକ ଭିତ୍ତିଭୂମି ନିର୍ମାଣ କରୁଥିବା ନେଇ ନିକଟରେ ଏକ ଉପଗ୍ରହ ଚିତ୍ର ଆଧାରରେ ରିପୋର୍ଟ ପ୍ରକାଶ ପାଇଥିଲା। ସେତେବେଳେ ଏହି ରିପୋର୍ଟକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଗ୍ରାହ୍ୟ କରିଥିଲା। ଏବେ ଏହି ଉପଗ୍ରହ ଚିତ୍ର ବାବଦରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସଂସଦରେ ପ୍ରଶ୍ନ କରାଯାଇଥିଲା। ସଂସଦକୁ ଦେଇଥିବା ଲିଖିତ ଉତ୍ତରରେ ପ୍ରତିରକ୍ଷା ମନ୍ତ୍ରୀ ଚୀନର ସାମରିକ ଭିତ୍ତିଭୂମି ନିର୍ମାଣ ପ୍ରସଙ୍ଗକୁ ସ୍ୱୀକାର କରିଛନ୍ତି। ଶୀତ ଋତୁରେ ସୈନିକଙ୍କୁ ଆଶ୍ରୟ ଦେବା ଲାଗି ଚୀନ ଏଠାରେ ବଙ୍କର ଓ ଶିବିର ନିର୍ମାଣ କରିଥିବା ସେ କହିଛନ୍ତି। ଗତମାସରେ ପ୍ରତିରକ୍ଷା ବିଭାଗ ରାଷ୍ଟ୍ରମନ୍ତ୍ରୀ ସୁବାସ ଭାମ୍ରେ କହିଥିଲେ ଯେ ଚୀନ ସଂଲଗ୍ନ ଭାରତ ସୀମାରେ ଏବେ ଉତ୍ତେଜନ ଅବସ୍ଥାରେ ରହିଛି।
ଚୀନର ଏହି ସାମରିକ ଭିତ୍ତିଭୂମି ନିର୍ମାଣ ବାବଦରେ ଭାରତ କୌଣସି ଆପତ୍ତି ଉଠାଇଛି କି ପ୍ରଶ୍ନର ଉତ୍ତରରେ ସୀତାରମଣ କହିଛନ୍ତି ଯେ କୂଟନୈତିକ, ଫ୍ଲାଗ ବୈଠକ ଓ ବର୍ଡର ପର୍ସନେଲ ବୈଠକ କାଳରେ ଏହି ପ୍ରସଙ୍ଗ ଉଠାଯାଇଛି। ଗତବର୍ଷ ଜୁନ ୧୬ରୁ ଡୋକଲାମରେ ଭାରତ-ଚୀନ ସେନା ମୁହାଁମୁହିଁ ହୋଇଥିଲେ। ୭୩ଦିନର ମୁହାଁମୁହିଁ ଅବସ୍ଥା ପରେ ସମସ୍ୟାର ସମାଧାନ ହୋଇଥିଲା।