ସମାଜ ଡିଜିଟାଲ ଡେସ୍କ: ଦୁର୍ଘଟଣାର ଶିକାର ରୋଗୀଙ୍କ ଅପରେସନ କରିବା ବଦଳରେ ପକ୍ଷାଘାତରେ ଆକ୍ରାନ୍ତ ତାଙ୍କ ବାପାଙ୍କର ଅପରେସନ କରିଛନ୍ତି ଡାକ୍ତର। ଏଭଳି ଗୁରୁତର ତ୍ରୁଟି ସାମ୍ନାକୁ ଆସିଛି ରାଜସ୍ଥାନର କୋଟା ମେଡିକାଲ କଲେଜରୁ।
ସୂଚନା ଅନୁସାରେ, ମନିଷ ନାମକ ଜଣେ ଯୁବକ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ ଶନିବାର ଦିନ ତାଙ୍କର ଅପରେସନ ହେବାର ଥିଲା। ଘରେ ଅନ୍ୟ କୌଣସି ସଦସ୍ୟ ନ ଥିବାରୁ ସହାୟତା କରିବା ଲାଗି ମନିଷ ତାଙ୍କ ବାପାଙ୍କୁ ଡାକ୍ତରଖାନାକୁ ଡକାଇଥିଲେ। ତାଙ୍କ ବାପା ପକ୍ଷାଘାତରେ ଆକ୍ରାନ୍ତ। ମନିଷ ଅପରେସନ ଥିଏଟର ଭିତରେ ଥିବାବେଳେ ତାଙ୍କ ବାପାଙ୍କୁ ବାହାର ଅପେକ୍ଷା କରିବାକୁ କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଡାକ୍ତରମାନେ ମନିଷଙ୍କୁ ଛାଡ଼ି ତାଙ୍କ ବାପାଙ୍କୁ ଅପରେସନ କରିଦେଇଥିଲେ। ମନିଷ କହିଛନ୍ତି ଯେ, ଏସବୁ କିପରି ଘଟିଲା ତାହା ସେ ଜାଣନ୍ତି ନାହିଁ। ତାଙ୍କ ବାପା ବାହାରେ ଅପେକ୍ଷା କରିଥିଲେ। ସେଠାରୁ କୌଣସି ଡାକ୍ତର ତାଙ୍କୁ ଅପରେସନ ଥିଏଟରକୁ ନେଇ ଅପରେସନ କରାଇଥିଲେ। ତାଙ୍କ ବାପା ମଧ୍ୟ ଡାକ୍ତରଙ୍କ ନାଁ ଜାଣି ନ ଥିବା କହିଛନ୍ତି। ଘଟଣା ସାମ୍ନାକୁ ଆସିବା ପରେ ଡାକ୍ତରମାନେ ମନିଷଙ୍କ ଅପରେସନ କରିଥିଲେ। ଘଟଣା ବିଷୟରେ ସେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିବା କହିଛନ୍ତି।



