ଜିଲା ଶିକ୍ଷାଧିକାରୀ ଓ ପ୍ରକଳ୍ପ ଅଧିକାରୀଙ୍କ ସମୀକ୍ଷା ଓ ଦକ୍ଷତା ବିକାଶ କର୍ମଶାଳା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ‘ରାଜ୍ୟ ବିଦ୍ୟାଳୟ ଶିକ୍ଷା କାର୍ୟ୍ୟକ୍ରମ’ କର୍ତ୍ତୃପକ୍ଷଙ୍କ ଆନୁକୁଲ୍ୟରେ ଭୁବନେଶ୍ୱର ପାନ୍ଥ ନିବାସଠାରେ ଜିଲା ଶିକ୍ଷାଧିକାରୀ ଏବଂ ଜିଲା ପ୍ରକଳ୍ପ ଅଧିକାରୀମାନଙ୍କର (ସମଗ୍ର ଶିକ୍ଷା) ଦୁଇଦିନିଆ ‘ସମୀକ୍ଷା ଓ ଦକ୍ଷତା ବିକାଶ କର୍ମଶାଳା’ମଙ୍ଗଳବାର ଉଦଘାଟିତ ହୋଇଛି । କାର୍ୟ୍ୟକ୍ରମର ପ୍ରଥମ ଦିନରେ ଚାକିରୀ ସମ୍ପର୍କିତ ମାମଲା, ଓସିଏସ (ସିସିଏ) ନିୟମାବଳୀ-୧୯୬୨, ପେନସନକୁ ନେଇ ରହିଥିବା ନିୟମ, ୟୁଡାଇସ୍ପ୍ଲସ୍ (ୟୁନିଫାଏଡ୍ ଡିଷ୍ଟ୍ରିକ୍ଟ ଇନଫର୍ମେସନ ଅଫ୍ ଏଡୁକେସନ), ପିଜିଆଇ (ପରଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ) ଏବଂ ଏସଡିଜି, ଗଭର୍ଣ୍ଣମେଣ୍ଟ-ଇ-ମାର୍କେଟପ୍ଲେସ୍ (ଜେଇଏମ୍) ଦ୍ୱାରା ବିଭିନ୍ନ ବସ୍ତୁ କ୍ରୟ, ଆଇ.ଏଲ୍.ଏମ୍.ଏସ୍. ଲିଗାଲ ମନିଟରିଂ, ସମଗ୍ର ଶିକ୍ଷା ଅନ୍ତର୍ଗତ ଆର୍ଥିକ ପରିଚାଳନା (ଏସଏନଏ/ପ୍ରବନ୍ଧ୍), ମୌଳିକ ସାକ୍ଷରତା ଏବଂ ସଂଖ୍ୟାତ୍ମକତା (ଏଫ୍.ଏଲ୍.ଏନ୍.) ଇତ୍ୟାଦି ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା ।

ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ୱତୀ ଏସ୍. କର୍ମଶାଳାଟିକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଏଥିସହ ପରବର୍ତ୍ତୀ ସମୀକ୍ଷା ବୈଠକ ପୂର୍ବରୁ ନିଜ ଅଧୀନରେ ଥିବା ବିଇଓମାନଙ୍କୁ ନେଇ ଜେଇଏମ୍ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବୈଠକ ଶେଷ କରିବାକୁ ଉପସ୍ଥିତ ଥିବା ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ନିୟନ୍ତ୍ରକ (ଆକାଉଣ୍ଟସ୍) ଦିବାରାଣୀ ଦୋରା ଓସିଏସ୍ ଏବଂ ପେନସନ ନିୟମାବଳୀ ସମ୍ପର୍କରେ କହିବାକୁ ଯାଇ ୧ ସେପ୍ଟେମ୍ବର ୨୦୨୨ରୁ ୩୧ ମାର୍ଚ୍ଚ ୨୦୨୩ ଓ ୧ ଏପ୍ରିଲ ୨୦୨୩ରୁ ୨୯ ଫେବ୍ରୁଆରୀ ୨୦୨୪ ପର୍ୟ୍ୟନ୍ତ ଆସିଥିବା ପେନସନ ସମ୍ପର୍କିତ ମାମଲା ଓ ଏଗୁଡ଼ିକର ସମାଧାନର ହାର ସନ୍ତୋଷଜନକ ବୋଲି ପ୍ରକାଶ କରିଥିଲେ ।ଏହାଛଡ଼ା ଫ୍ୟାମିଲି ପେନସନ ସମ୍ପର୍କରେ ବିସ୍ତୃତ ସୂଚନା ଦେବାକୁ ଯାଇ କହିଥିଲେ, ଛାଡ଼ପତ୍ର ହୋଇଥିବା ମହିଳା, ଭିନ୍ନକ୍ଷମ କିମ୍ବା ବିଧବା କନ୍ୟାଙ୍କୁ ଚାକିରୀରେ ଥିବା ପିତା କିମ୍ବା ମାତା ବଞ୍ଚିଥିବା ସମୟରେ ହିଁ ପେନସନ ମିଳିପାରିବ । ଅଭିଭାବକଙ୍କ ମୃତ୍ୟୁ ପରେ କନ୍ୟା ବିଧବା କିମ୍ବା ଭିନ୍ନକ୍ଷମ ହୋଇଗଲେ ଏହି ସୁବିଧା ଉପଲବ୍ଧ ହେବନାହିଁ । ଆହୁରି ମଧ୍ୟ ହିତାଧକାରୀ କନ୍ୟାଙ୍କର ସମସ୍ତ ଠିକଣା ଅଭିଭାବକଙ୍କ ସହ ସଂଲଗ୍ନ ଥିବା ଆବଶ୍ୟକ ବୋଲି କହିଥିଲେ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉପନିର୍ଦ୍ଦେଶକ ଡଃ. ସନାତନ ପଣ୍ଡା ଅନ୍ ଲାଇନ୍ ପେନସନ ଆବେଦନଗୁଡ଼ିକୁ ସମୀକ୍ଷା କରିବାକୁ କହିଥିଲେ । ଡଃ. ପଣ୍ଡା ନିଲମ୍ବନ ଓ ସମସ୍ତ ପ୍ରକାର ଦଣ୍ଡ ବ୍ୟବସ୍ଥା ତଥା ସେଥିରୁ ମୁକୁଳିବା ନେଇ ଥିବା ବ୍ୟବସ୍ଥା ସମ୍ପର୍କରେ ବୁଝାଇ କହିଥିଲେ ।ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ୟୁଡାଇସ୍ ପୋର୍ଟାଲକୁ ଆଣିବାକୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ‘ସାର୍ଟିଫିକେଟ୍ ଅଫ୍ ରେକଗନିସନ୍’ (ସିଓଆର୍) ପାଇ ନ ଥିବା ପିଲାମାନଙ୍କୁ ମଧ୍ୟ ୟୁଡାଇସ୍ ଅଧୀନକୁ ଆଣିବାକୁ ପରାମର୍ଶ ଦେଇଥିଲେ । ରାଜ୍ୟର ୨ ଲକ୍ଷ ୩୮ ହଜାର ୫୫୧ ଜଣ ଛାତ୍ରଛାତ୍ରୀ ଆଇଟିଆଇ, ସିଲେଇ ଶିକ୍ଷା ଏବଂ ଅନ୍ୟାନ୍ୟ ଶିକ୍ଷାରେ ପଢୁଥିବାରୁ ସେମାନେ ୟୁଡାଇସ୍ ପୋର୍ଟାଲରେ ଆସି ନଥିଲେ ମଧ୍ୟ ସେମାନଙ୍କୁ ଡ୍ରପ୍ ଆଉଟ୍ ଆଖ୍ୟା ଦିଆ ଯାଇପାରିବ ନାହିଁ ବୋଲି ମତ ଦେଇଥିଲେ । ଏଥିସହ ଉପସ୍ଥିତ ଥିବା ସମସ୍ତ ଡିଇଓଙ୍କୁ ଜିଲ୍ଲାର ଡ୍ରପ୍ ଆଉଟ୍ ପିଲାମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବାକୁ ଉଦ୍ୟମ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।

ଓସେପାର ସହକାରୀ ନିର୍ଦ୍ଦେଶକ ଦୀପକ ରାୟ ପିଜିଆଇ ବା ପରଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ୨୦୧୮ରେ ସମଗ୍ର ଶିକ୍ଷା ଆରମ୍ଭ ହେବାପରେ ଜାତୀୟ ଶିକ୍ଷାନୀତି-୨୦୨୦ ଏହାର ପରିପୂରକ ଭାବରେ କାର୍ୟ୍ୟ କରିଛି । ଏଥିସହ ସର୍ବଭାରତୀୟ ତାଲିକାରେ ଓଡ଼ିଶାର ବିଦ୍ୟାଳୟ ସାକ୍ଷରତା ହାରରେ ଉନ୍ନତି ଘଟିଛି କହିବା ସହମୌଳିକ ଭିତ୍ତିଭୂମି ଉପଲବ୍ଧ ଥିବା ବିଦ୍ୟାଳୟଗୁଡ଼ିକର ପ୍ରତିଶତ ତାଲିକାରେ ମଧ୍ୟ ଓଡ଼ିଶା ଉନ୍ନତି କରିଥିବା ସେ କହିଥିଲେ । ୟୁଡାଇସ୍ ପ୍ଲସର ତଥ୍ୟ ପିଜିଆଇ କୋଟାକୁ ଆପେ ଆପେ ସ୍ଥାନାନ୍ତରିତ ହୋଇଯିବ ବୋଲି ସେ କହିଥିଲେ ।

ବିଭାଗୀୟ ସହକାରୀ ନିର୍ଦ୍ଦେଶକ କିଶୋର କୁମାର ଜେନା ଗଭର୍ଣ୍ଣମେଣ୍ଟ-ଇ-ମାର୍କେଟପ୍ଲେସ୍ (ଜେଇଏମ୍) ସମ୍ପର୍କରେ ବିସ୍ତୃତ ଭାବରେ ବୁଝାଇଥିଲେ । ସାର୍ବଜନୀନ କ୍ରୟ ନିମନ୍ତେ କିଛି ସାଧାରଣ ନିୟମାବଳୀ ଉପରେ ଆଲୋକପାତ କରିଥିଲେ । ମଧ୍ୟାହ୍ନ ବିରତି ପରେ ଆଇ.ଏଲ.ଏମ.ଏସ.ଏବଂ ଲିଗାଲ ମନିଟରିଂ, ସମଗ୍ର ଶିକ୍ଷା ଅନ୍ତର୍ଗତ ଆର୍ଥିକ ପରିଚାଳନା ଭଳି ବିଷୟ ଉପରେ ବିଭାଗୀୟ ଅତିରିକ୍ତ ସଚିବ ପ୍ରତିଭା ଦୋରା, ଓସେପାର ଏଫ୍.ଏ. ଏବଂ ସିଏଓ ସୁଦେଷ୍ଣା କର ପ୍ରମୁଖ ଉପସ୍ଥିତ ଥିବା ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ବୁଝାଇଥିଲେ ।

ଏହି କାର୍ୟ୍ୟକ୍ରମରେ ବିଭାଗୀୟ ସ୍ୱତନ୍ତ୍ର ସଚିବ, ବିତ୍ତ ଅଧିକାରୀ, ଅତିରିକ୍ତ ସଚିବ, ବିଭାଗୀୟ ନିର୍ଦ୍ଦେଶକ, ଓସେପାର ରାଜ୍ୟ ପ୍ରକଳ୍ପ ଅଧିକାରୀ ଓ ଆଦର୍ଶ ବିଦ୍ୟାଳୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ବୁଧବାର ଏହାର ଉଦଯାପନୀ ଦିବସରେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର କାର୍ୟ୍ୟକ୍ରମ ରହିଛି ।

Comments are closed.