ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷଗୁମୁଡ଼ା ବ୍ଲକ କୋଡୀଙ୍ଗାଠାରେ ପ୍ରଥମଶ୍ରେଣୀ ବିଚାରପତି ଅଦାଲତ ସ୍ଥାପନ ପାଇଁ ମାନ୍ୟବର ହାଇକୋର୍ଟ ଆନୁସଙ୍ଗିକ ରିପୋର୍ଟ ମାଗିବା ପରେ ନବରଙ୍ଗପୁର ଜିଲ୍ଲା ଜଜ୍ ଅଶୋକ କୁମାର ପଣ୍ଡା କୋଡୀଙ୍ଗା ଗସ୍ତରେ ଯାଇ ସ୍ଥାନୀୟ ବିଡ଼ିଓ, ତହସିଲଦାରଙ୍କ ଉପସ୍ଥିତରେ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ଏହା ସହିତ କୋର୍ଟ ପାଇଁ ଖାଲିଥିବା କୋଠା ଗୃହର ତଦାରଖ କରିଥିଲେ। ଏହାପରେ କୋଷଗୁମୁଡ଼ା ଗ୍ରାମର କିଛି ଆଇନଜୀବୀ, ସରପଞ୍ଚ, ସ୍ଥାନୀୟ ନେତା ପ୍ରମୁଖ କୋର୍ଟକୁ କୋଡୀଙ୍ଗା ବଦଳରେ କୋଷଗୁମୁଡ଼ା ଠାରେ ସ୍ଥାପନ କରିବା ପାଇଁ ଜଜ୍ଙ୍କୁ ଜଣାଇବା ପରେ କୋର୍ଟ ସ୍ଥାପନ ପାଇଁ ଜାଗା ନିରୂପଣ କରିବା ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଲା। ଏପଟେ ଉଭୟ ଗ୍ରାମବାସୀ ନିଜ ନିଜ ଅଂଚଳରେ କୋର୍ଟ ସ୍ଥାପନ ପାଇଁ ନେତା ମନ୍ତ୍ରୀଙ୍କୁ ଧରି ଲବି ଚଳାଇଥିବା ବେଳେ ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଶୀଘ୍ର ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଥିବା ହେତୁ ଜିଲ୍ଲା ଜଜ୍ ବାରମ୍ବାର ଉଭୟ ଗ୍ରାମକୁ ଗସ୍ତ କରି ଉଭୟଙ୍କ ସହ ଆଲୋଚନା କରୁଥିବା ଦେଖାଦେଇଛି। ଆଜି ଜିଲ୍ଲା ଜଜ୍ କୋଷଗୁମୁଡ଼ା ଗସ୍ତରେ ଯାଇ ସେଠାରେ ଗ୍ରାମବାସୀଙ୍କ ସହ ଆଲୋଚନା କରି ଫେରିବା ବେଳକୁ କୋଡ଼ିଙ୍ଗାଠାରେ ଶତାଧିକ ଗ୍ରାମବାସୀ ଜିଲ୍ଲା ଜଜ୍ଙ୍କୁ ସାକ୍ଷାତ କରି କୋଡୀଙ୍ଗାଠାରେ କୋର୍ଟ ସ୍ଥାପନ ପାଇଁ କହିଥିଲେ। ଏହା ସହ ପାପଡାହାଣ୍ଡି, କୋଷଗୁମୁଡ଼ା ବ୍ଲକର ୨୭ଟି ପଂଚାୟତର ପ୍ରସ୍ତାବ ଗୃହୀତ କରି ଏଠାରେ କୋର୍ଟ ସ୍ଥାପନ ନେଇ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ୧୯୯୨ ମସିହା ଠାରୁ କୋଡୀଙ୍ଗାଠାରେ କୋର୍ଟ ସ୍ଥାପନ ପାଇଁ ଦାବି ହୋଇ ଆସୁଥୁବା ବେଳେ ଏଠାରେ ତହସିଲଦାର କାର୍ୟ୍ୟାଳୟ ଏବଂ ଥାନା ରହିଛି। କୋଷଗୁମୁଡ଼ା ବ୍ଲକର ମଧ୍ୟବର୍ତ୍ତୀ ଜାଗାରେ ଥିବା ଯୋଗୁଁ ଏଠାରେ କୋର୍ଟ ସ୍ଥାପନ କଲେ ସମସ୍ତଙ୍କର ସୁବିଧା ହୋଇପାରିବ ବୋଲି କହିଥିଲେ। ଏଠାରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ତହସିଲଦାର ସହଦେଵ କୁଟ୍ରୁକା, ଥାନାଭାରପ୍ରାପ୍ତ ଅଧିକାରୀ ସରିତା ମହାପାତ୍ର, ପୂର୍ବତନ ଆଇନଜୀବୀ ସଂଘ ସମ୍ପାଦକ ରାମ ପ୍ରସାଦ ପତ୍ର, ଆଇନଜୀବୀ ଉମେଶ ମିଶ୍ର, ଦିଗାମ୍ବର ପାଣିଗ୍ରାହୀ ପ୍ରଫୁଲ୍ଲ ସିଂ, ଅରୁଣ ପ୍ରସନ ନାୟକ, ବାବୁଲି ବାଘ, ଅମରେଶ ପାଣିଗ୍ରାହୀ, ବ୍ଲକ ଉପଧାକ୍ଷ ପଦ୍ମଶାଏ ମାଳି, ସରପଞ୍ଚ, ସମିତି ସଭ୍ୟ, ଜିଲାପରିଷଦ ସଭ୍ୟ ଏବଂ ସ୍ଥାନୀୟ ନେତା ପ୍ରମୁଖ ଉପସ୍ଥିତ ରହିଥିଲେ। ଏପଟେ କୋର୍ଟ ସ୍ଥାପନାକୁ ନେଇ ଅନିଶ୍ଚିତତା ମଧ୍ୟରେ ରହିଥିବା ବେଳେ ଜିଲ୍ଲା ଜଜ୍ ଉଭୟ ପକ୍ଷକୁ ବୁଝାଇବା ପାଇଁ ଚେଷ୍ଟା କରୁଥିବା ଜଣାପଡିଛି।
Popular Categories



