ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁ ବିମାନ ସେବା ଆରମ୍ଭ
ଝାରସୁଗୁଡ଼ା: ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଓ ଝାରସୁଗୁଡ଼ା ସହରରେ ଆଜି ଥିଲା ଉତ୍ସବର ଦିନ, ଅନେକ ଦାବି ଓ ଅନେକ ଦିନର ପ୍ରତୀକ୍ଷା ପରେ ଆଜି ଏହି ବିମାନବନ୍ଦରରୁ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ଓ ଆଇଟି ରାଜଧାନୀ ବାଙ୍ଗାଲୁରୁକୁ ଉଡ଼ିଲା ବିମାନ । ମୁମ୍ବାଇର ବିମାନକୁ ସ୍ବାଗତ କରିବା ପାଇଁ ପଶ୍ଚିମ ଓଡ଼ିଶାର ୬ଜଣ ବଡ଼ ନେତା ବିମାନବନ୍ଦରରେ ଉପସ୍ଥିତ ଥିଲେ । ନେତୃବୃନ୍ଦ ଦୀପ ପ୍ରଜ୍ବଳନ କରିବା ସହ କେକ୍ କାଟି ଆନନ୍ଦ ଜାହିର କରିବା ସହ ଆଗାମୀ ଦିନରେ ଏହି ବିମାନବନ୍ଦର ଆନ୍ତର୍ଜାତିକ ମାନ୍ୟତା ପାଇବ ବୋଲି ଆଶା ପ୍ରକାଶ କରିଥିଲେ ।
ଆଜି ପ୍ରଥମଥର ମୁମ୍ବାଇ ଓ ବାଙ୍ଗାଲୁରୁକୁ ବିମାନ ଚଳାଚଳ ହେତୁ ସମଗ୍ର ବିମାନବନ୍ଦରକୁ ନବବଧୂ ପରି ସଜ୍ଜିତ କରାଯାଇଥିଲା । ତା ସହିତ ପୁରୁଖା ନେତୃବୃନ୍ଦ, ସ୍ଥାନୀୟ ନେତା, ଝାରସୁଗୁଡ଼ାର ସଚେତନ ନାଗରିକବୃନ୍ଦ ଉପସ୍ଥିତ ଥିଲେ । ମଧ୍ୟାହ୍ନ ୧୨ଟା ୧୮ମିନିଟରେ ମୁମ୍ବାଇରୁ ସ୍ପାଇସଜେଟର ପ୍ରଥମ ବୋଇଂ ବିମାନ ଝାରସୁଗୁଡ଼ାରେ ଅବତରଣ କରିଥିଲା । ଅବତରଣ ସମୟରେ ବିମାନକୁ ୱାଟର କ୍ୟାନନ୍ରେ ସାଲ୍ୟୁଟ ଦିଆଯାଇଥିଲା । ବିମାନରୁ ଓହ୍ଲାଇ ଏୟାରପୋର୍ଟକୁ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ଫୁଲତୋଡ଼ା ଓ ଯାତ୍ରୀଙ୍କ ଛୁଆଙ୍କୁ ଚକୋଲେଟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଥମ ବିମାନରେ ମୁମ୍ବାଇରୁ ସିଧାସଳଖ ଝାରସୁଗୁଡ଼ାକୁ ୭୩ଜଣ ଯାତ୍ରୀ ଆସିଥିଲେ । ଅନେକ ଦିନ ପୂର୍ବରୁ ଏହି ସିଧାସଳଖ ବିମାନ ସେବା ନେଇ ଅନେକ ପ୍ରଚାର ପ୍ରସାର ହୋଇଥିବାରୁ ଝାରସୁଗୁଡ଼ାରୁ ବାଙ୍ଗାଲୁରୁ ଯାତ୍ରୀଙ୍କ ସଂଖ୍ୟା ଅପେକ୍ଷାକୃତ ଅଧିକ ଥିଲା । ଝାରସୁଗୁଡ଼ାରୁ ପ୍ରଥମ କରି ଅପରାହ୍ନ ୧ଟାରେ ଉଡ଼ାଣ ଭରିଥିବା ବିମାନରେ ୧୬୨ଜଣ ଯାତ୍ରୀ ଥିଲେ । ୧୮୯ସିଟ ବିଶିଷ୍ଟ ଏହି ବିମାନରେ ପ୍ରଥମ ଥର ଏତେ ସଂଖ୍ୟାରେ ଯାତ୍ରୀଯିବା ନିଶ୍ଚିତ ଭାବେ ଉତ୍ସାହଜନକ ବିଷୟ ବୋଲି କୁହାଯାଇଛି । ଏହାପରେ ସନ୍ଧ୍ୟା ୫ଟା ୪୦ରେ ବାଙ୍ଗାଲୁରୁକୁ ଝାରସୁଗୁଡ଼ା ଆସିଥିବା ବିମାନରେ ୧୦୭ଜଣ ଯାତ୍ରୀ ଥିଲେ ପୁଣି ଏଠାରୁ ସନ୍ଧ୍ୟା ୬ଟା ୧୦ରେ ମୁମ୍ବାଇକୁ ଉଡ଼ିଥିବା ବିମାନରେ ୯୪ଜଣ ଯାତ୍ରୀ ଯାତ୍ରା କରିଥିଲେ ବୋଲି ବିମାନବନ୍ଦର ପକ୍ଷରୁ କୁହାଯାଇଛି । ପ୍ରତି ସପ୍ତାହରେ ୪ଦିନ ଏହି ଦୁଇ ମହାନଗର ବିମାନ ଉଡ଼ିବ ବୋଲି ଜଣାଯାଇଛି ।
ବିମାନସେବା ଆରମ୍ଭ ହେବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ନବକିଶୋର ଦାସ କହିଥିଲେ ନିଶ୍ଚିତ ଭାବେ ଝାରସୁଗୁଡ଼ାବାସୀଙ୍କ ପାଇଁ ଏହା ଗୋଟିଏ ଖୁସିର ଦିନ, ଏଠାରୁ ବିମାନସେବା ଆରମ୍ଭ ପାଇଁ ୨୦୦୯ ମସିହାରୁ ପ୍ରୟାସ ହେଉଥିଲା । କିଛି ଦିନ ଆଗରୁ ୧୯ଜଣ ଅଗ୍ନିସୁରକ୍ଷା କର୍ମୀଙ୍କୁ ନିଯୁକ୍ତି ଦେଲେ ବଡ଼ ବିମାନ ଏଠାରୁ ଉଡ଼ି ପାରିବ ବୋଲି ବିମାନବନ୍ଦର ନିର୍ଦେଶକ କହିଥିଲେ । ମୁଁ ତୁରନ୍ତ ମୁଖ୍ୟ ଶାସନ ସଚିବଙ୍କୁ ଏ ସଂକ୍ରାନ୍ତରେ ଚିଠି ଲେଖିବା ପରେ ରାଜ୍ୟ ସରକାର ସେହି ନିଯୁକ୍ତି ଦେବାରୁ ଆଜି ଏହା ସମ୍ଭବ ହୋଇପାରିଛି । ଆଉ ମଧ୍ୟ ଗତକାଲି ୧୫୫ଏକର ଜମି ଅଧିଗ୍ରହଣର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ଓ ୨୦ଏକର ସରକାରୀ ଜମି ମାଗଣାରେ ଦେବେ ବୋଲି ରାଜ୍ୟ ସରକାର ଘୋଷଣା କରି ସାରିଛନ୍ତି ।
ସାଂସଦ ସୁରେଶ ପୂଜାରୀ କହିଥିଲେ ଏହା ମୁମ୍ବାଇ ଓ ବାଙ୍ଗାଲୁରୁରେ ରହୁଥିବା ଅନେକ ପ୍ରବାସୀଙ୍କ ଦୃଢ଼ ଦାବି ଥିଲା, ଏହି ବିମାନଚଳାଚଳ ସକାଶେ ଆମର ଯେଉଁ ପ୍ରୟାସ ଥିଲା ଆଜି ତାହା ସଫଳ ହେଲା । କେନ୍ଦ୍ର ସରକାରଙ୍କୁ ଆମେ ଏଥିପାଇଁ ଧନ୍ୟବାଦ ଜଣାଉଛୁ, ଆନୁସଙ୍ଗିକ ସହଯୋଗ ପାଇଁ ରାଜ୍ୟ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇବୁ । ଆଗାମୀ ଦିନରେ ପୁଣେକୁ ବିମାନ ସେବା ଆରମ୍ଭ ଓ ଆନ୍ତର୍ଜାତିକ ବିମାନସେବା କରିବା ଆମର ଲକ୍ଷ୍ୟ ରହିବ । ଉଡ଼ାନ ସ୍କିମରେ ଆମେ ଭାରତବର୍ଷରେ ୨ନମ୍ବରରେ ଅଛୁ । ଆଗାମୀ ଦିନରେ ୧ନମ୍ବର ହୋଇପାରିବୁ । ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ଏଥି ସକାଶେ ଗତ ସଂସଦ ଅଧିବେଶନରେ ଏହି ପ୍ରସଙ୍ଗ ଉତ୍ଥାପନ କରିଥିଲେ ଓ ଆଜି ସଫଳ ହୋଇଛି ବୋଲି କହିଥିଲେ ।
ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଓ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏହି ବିମାନ ଚଳାଚଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନାଗରିକ ଉଡ୍ଡୟନ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି କହିଥିଲେ ବ୍ରିଟିଶ ଶାସନ କାଳରେ ଝାରସୁଗୁଡ଼ା ଏସିଆର ଦ୍ବିତୀୟ ସର୍ବବୃହତ୍ତମ ବିମାନବନ୍ଦର ଥିଲା, ଇଂରେଜମାନେ ଗଲା ପରେ ଏହା ଅବହେଳିତ ହୋଇଥିଲା । ତେବେ ତାହାର ପୁରୁଣା ଐତିହ୍ୟ ଫେରାଇବା ପାଇଁ ଆମେ ଚେଷ୍ଟିତ ଥିଲୁ । ଆଜି ସେ କ୍ଷେତ୍ରରେ ଆଉ ଗୋଟିଏ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ବିମାନସେବା ଫଳରେ ଆମ ଅଞ୍ଚଳର ଆଞ୍ଚଳିକ, ସାମାଜିକ, ଅର୍ଥନୈତିକ ବିକାଶ ହୋଇପାରିବ । ବିମାନବନ୍ଦର ନିର୍ଦେଶକ କିଶୋର ମହାନ୍ତି କହିଛନ୍ତି ୧୮୯ ସିଟ ବିଶିଷ୍ଟ ଉକ୍ତ ବୋଇଂ ୭୩୭ ବିମାନରେ ପ୍ରଥମ ଦିନରେ ହିଁ ଯାତ୍ରୀ ସଂଖ୍ୟା ଉତ୍ସାହଜନକ ରହିଛି । ଆଗାମୀ ଦିନରେ ସଂଖ୍ୟା ବଢ଼ିବ ବୋଲି ମୁଁ ଆଶା କରୁଛି । ବିମାନ ଆସିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ତଲସରା ବିଧାୟକ ଭବାନୀ ଭୋଇ, ଝାରସୁଗୁଡ଼ା ଜିଲାପାଳ ସରୋଜ ସାମଲ, ଏସପି ବିକାଶ ଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.