ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଗୁଣବର୍ଦ୍ଧନେ

ଗୁଣବର୍ଦ୍ଧନେଙ୍କ ବାପା-ମା’ ଥିଲେ ଭାରତୀୟ ସ୍ବାଧୀନତା ସଂଗ୍ରାମୀ

କଲମ୍ବୋ : ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶୁକ୍ରବାର ଶପଥ ଗ୍ରହଣ କରିଥିବା ଦିନେଶ ଗୁଣବର୍ଦ୍ଧନେ ଭାରତୀୟ ବଂଶୋଦ୍ଭବ। ତାଙ୍କ ବାପା ଭାରତୀୟ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ସାରଥି ଥିଲେ। କେବଳ ସେତିକି ନୁହେଁ; ଜୟପ୍ରକାଶ ନାରାୟଣ ଓ ଭି.କେ କୃଷ୍ଣମେନନ୍‌ଙ୍କର ସାଙ୍ଗ ହେଉଛନ୍ତି ଦିନେଶ। ମେସାନେ ୟୁନିଭର୍ସିଟି ଅଫ ୱିନ୍‌କିନ୍‌ସନରେ ଅଧ୍ୟୟନ କରୁଥିଲେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ୭୨ବର୍ଷୀୟ ଦିନେଶ ମହିନ୍ଦା ଗୋଟାବୟଙ୍କ ସରକାରରେ ବୈଦେଶିକ ଓ ଶିକ୍ଷା ବିଭାଗ ମନ୍ତ୍ରୀ ଥିଲେ। ଏତଦ୍‌ ବ୍ୟତୀତ ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ସେ ସଂସଦରେ ମିଳିତ ବିରୋଧୀ ଦଳର ନେତା ଥିଲେ। ସେ ଆମେରିକା ଓ ନେଦରଲ୍ୟାଣ୍ଡରେ ଉଚ୍ଚ ଶିକ୍ଷା ଗ୍ରହଣ କରିଛନ୍ତି। ତାଙ୍କ ବାପା ଫିଲିପ ଗୁଣବର୍ଦ୍ଧନେ ଶ୍ରୀଲଙ୍କାରେ ସମାଜବାଦର ପିତା ଭାବେ ପରିଚିତ। ୧୯୨୦ରେ ସେ ବ୍ରିଟିଶ ଉପନିବେଶବାଦର ଘୋର ବିରୋଧୀ ଭାବେ ଭାରତୀୟ ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ। ତାଙ୍କ ମାଆ କୃଷ୍ଣା ମଧ୍ୟ ଭାରତୀୟ ସ୍ବାଧୀନତା ସଂଗ୍ରାମୀ ଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବ୍ରିଟିଶ ଉପନିବେଶ ଥିବା ଶ୍ରୀଲଙ୍କାରୁ ​ଫିଲିପ ଓ କୃଷ୍ଣା ଭାରତକୁ ଲୁଚି ପଳାଇ ଆସିଥିଲେ। ୧୯୪୩ରେ ସେମାନେ ବ୍ରିଟିଶ ହାତରେ ଧରାପଡ଼ି ମୁମ୍ବଇର ଆର୍ଥର ରୋଡ୍‌ ଜେଲ୍‌ରେ ରହିଥିଲେ। ବର୍ଷକ ପରେ ଯୁଦ୍ଧ ଶେଷ ହେବାରୁ ସେମାନଙ୍କୁ ଶ୍ରୀଲଙ୍କା ପଠାଇ ଦିଆଯାଇଥିଲା। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ସହିତ ଫିଲିପଙ୍କ ପରିବାରର ଘନିଷ୍ଠ ସମ୍ପର୍କ ଥିଲା। ନେହରୁ ଅନେକ ଥର ଫିଲିପଙ୍କ ଘରକୁ ଶ୍ରୀଲଙ୍କା ଯାଇଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀଲଙ୍କା ବ୍ରିଟିଶ ଶାସନରୁ ୧୯୪୮ରେ ସ୍ବାଧୀନ ହୋଇଥିଲା। ପରେ ଫିଲିପ ଓ କୃଷ୍ଣା ଶ୍ରୀଲଙ୍କା ସଂସଦର ସଦସ୍ୟ ହୋଇଥିଲେ।

kalyan agarbati

Comments are closed.