ଡିଜିଟାଲ ଆପ୍‌ ଠକେଇ, କର୍ଣ୍ଣାଟକରୁ ଠକ ଗିରଫ

ଅଭିଯୁକ୍ତ ଖାତାରେ କାରବାର ହୋଇଛି ୨୬ କୋଟି

ଭୁବନେଶ୍ବର : ଡିଜିଟାଲ ଆପ୍‌ରେ ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ନିୟନ୍ତ୍ରଣ ଶାଖା (ଇଓଡବ୍ଲ୍ୟୁ) ସମ୍ପୃକ୍ତ ଠକକୁ କର୍ଣ୍ଣାଟକରୁ ଗିରଫ କରିଛି। ସେଠାକାର କୁଶଲନଗରସ୍ଥିତ ଅଦାଲତରେ ଅଭିଯୁକ୍ତକୁ ହାଜର କରିବା ପରେ ଗମନାଗମନ ଜିମାରେ ଓଡ଼ିଶା ଆଣିଛି। ଗିରଫ ଅଭିଯୁକ୍ତ ହେଲା କର୍ଣ୍ଣାଟକ କୋଡାଗୁ ଜିଲା କୁଶଲନଗରର କ୍ରିଷ୍ଣାନନ୍ଦ ଏନ୍‌। ଇଓଡବ୍ଳ୍ୟୁ ସୂତ୍ରରୁ ପ୍ରକାଶ, ଅଭିଯୁକ୍ତ ‘ଗେଟ୍‌ସୋ’ ନାମରେ ଆପ୍‌ ଖୋଲିଥିଲା। ଏଥିରେ କ୍ରିପ୍ଟୋ ମାଇନିଂ ବ୍ୟବସାୟ କରାଯାଉଥିବା ସେ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ବିଜ୍ଞାପନ ଦେଇଥିଲା। ଜମା ଟଙ୍କାରେ ଦିନକୁ ଶତକଡା ୬ ପ୍ରତିଶତ ଲାଭ ମିଳିବ
ବୋଲି କହିଥିଲା। ପ୍ର‌େ‌ତ୍ୟକ ଦିନର ଲାଭ ପ୍ରତିଦିନ ନିଜେ ଉଠାଇ ପାରିବେ ବୋଲି ପ୍ରତିଶ୍ରୁତି ଦେଇଥିଲା। ହ୍ବାଟ୍ସଆପ ଗ୍ରୁପ୍‌ ଜରିଆରେ ଉକ୍ତ ବ୍ୟବସାୟରେ ସାମିଲ ହୋଇପାରିବେ ବୋଲି ଠକ କହିଥିଲା। ବିଜ୍ଞାପନରୁ ଜାଣିପାରି ନୂଆପଲ୍ଲୀ ଅଞ୍ଚଳର ଦିବ୍ୟଜ୍ୟୋତି କର ନାମକ ବ୍ୟକ୍ତି କ୍ରିପ୍ଟୋ ମାଇନିଂରେ ୧ ଲକ୍ଷ ୨୭ ହଜାର ଟଙ୍କା ନିବେଶ କରିଥିଲେ। ଏହାପରେ ହ୍ବାଟ୍ସଆପ ଗ୍ରୁପ୍‌କୁ ଠକ ବନ୍ଦ କରିଦେଇଥିଲା। ଠକାମିରେ ପଡିଥିବା ଜାଣିବା ପରେ ଏନେଇ ଦିବ୍ୟଜ୍ୟୋତି ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ଇଓଡବ୍ଲ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ଆପ୍‌ ଆମେରିକା ୱାଶିଂଟନରୁ ନିର୍ମିତ ହୋଇଥିବା ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଥିଲା। ଏଥିସହ ଉକ୍ତ ଆପ୍‌କୁ ପ୍ରାୟ ୧ ଲକ୍ଷ ଲୋକ ଡାଉନ୍‌ଲୋଡ କରିଥିଲେ। ଦେଶରେ ୧ ହଜାରରୁ ଅଧିକ ଲୋକ ଏହି ଠକେଇ ଆପ୍‌ ଜାଲରେ ପଡିଥିବା ବେଳେ ଓଡ଼ିଶାରୁ ୧୦୦ରୁ ଅଧିକ ଲୋକ ଫସିଥିଲେ। ଅଭିଯୁକ୍ତ ଆକାଉଣ୍ଟରେ ୨୬ କୋଟି ଟଙ୍କା କାରବାର ହୋଇଥିବା ତଦନ୍ତରୁ ଇଓଡବ୍ଲ୍ୟୁ ଜାଣିବାକୁ ପାଇଥିଲା। ପରେ ଇଓଡବ୍ଲ୍ୟୁ ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇଥିଲା। ଇଓଡବ୍ଲ୍ୟୁର ଏକ ଦଳ କର୍ଣ୍ଣାଟକରେ ଚଢ଼ଉ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲେ।

Comments are closed.