www.samajalive.in
Monday, December 15, 2025
26.1 C
Bhubaneswar

କନ୍ଧମାଳରେ ୭୪୯ କୋଟିର ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ୭୪୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ୧୦ଟି ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇଛି। ୬୫୫ କୋଟି ବ୍ୟୟରେ ନିର୍ମିତ ୫ଟି ପ୍ରକଳ୍ପ ଉଦଘାଟିତ ହୋଇଥିବାବେଳେ ୯୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର  ୫ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏସବୁ ପ୍ରକଳ୍ପ  ମଧ୍ୟରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ, ବିଦ୍ୟାଳୟ ଭିତ୍ତିଭୂମି ଉନ୍ନତିକରଣ, ପର୍ଯ୍ୟଟନ କେନ୍ଦ୍ର, ସ୍ୱାସ୍ଥ୍ୟକେନ୍ଦ୍ର, ସଡକ ନିର୍ମାଣ, ମିଶନ ଶକ୍ତି ବଜାର, ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ରହିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଫୁଲବାଣୀ ସହରରେ ନବନିର୍ମିତ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଉଦଘାଟନ ହୋଇଛି। ପୂର୍ବରୁ ଉତ୍କୃଷ୍ଟ ଚିକିତ୍ସା ସୁବିଧା ପାଇବା ପାଇଁ କନ୍ଧମାଳବାସୀ ସୁଦୂର କଟକ କିମ୍ବା ବ୍ରହ୍ମପୁର ମେଡିକାଲ ଉପରେ ନିର୍ଭର କରୁଥିଲେ। ଏଥିପାଇଁ ପ୍ରାୟ ୨୦୦ କି.ମି ଦୁର୍ଗମ ଘାଟି ରାସ୍ତା ଅତିକ୍ରମ କରିବାକୁ ପଡୁଥିଲା। ଯାହାଦ୍ଵାରା ଠିକ ସମୟରେ ଚିକିତ୍ସା ପାଇପାରୁ ନ ଥିଲେ। ଏହି ୧୦୦ ସିଟ୍ କ୍ଷମତା ବିଶିଷ୍ଟ ଓ ୬୫୦ ଶଯ୍ୟା ବିଶିଷ୍ଟ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଦ୍ଵାରା କେବଳ କନ୍ଧମାଳ ଜିଲ୍ଲା ନୁହେଁ ପାର୍ଶ୍ଵବର୍ତ୍ତୀ ନୟାଗଡ ଓ ବୌଦ୍ଧ ଜିଲ୍ଲାର ଅଧିବାସୀମାନେ ମଧ୍ୟ ଉପକୃତ ହେବେ।

- Advertisement -

ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ପ୍ରିୟ କନ୍ଧମାଳ – ଏହା ଏକ ଜିଲ୍ଲା ନୁହେଁ, ଏହା ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟ, ସଂସ୍କୃତି ଓ ସାହିତ୍ୟର ଏକ ଜୀବନ୍ତ ରୂପ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଓଡ଼ିଶାର କଶ୍ମୀର ଭାବରେ ପରିଚିତ। ଏହାକୁ ମଧ୍ୟ ଓଡ଼ିଶାର ଭୂସ୍ଵର୍ଗ ବୋଲି କୁହାଯାଏ ।  ଦାରିଙ୍ଗବାଡିର ପର୍ଯ୍ୟଟନ ବିକାଶ ପାଇଁ ୧୮ କୋଟି ମୂଲ୍ୟର ପ୍ରକଳ୍ପ ଅନୁମୋଦନ କରି ଟେଣ୍ଡର ଆହ୍ୱାନ କରାଯାଇଛି ଓ ପୁତୁଡି ଜଳପ୍ରପାତର ବିକାଶ ପାଇଁ ୪ କୋଟି ୫୦ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି।

କନ୍ଧମାଳ ଜିଲ୍ଲାରେ ଆଗାମୀ ଦିନରେ ଅନେକ ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ହେବ। କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଇନଭେଷ୍ଟ କନ୍ଧମାଳ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀମାନେ ମଧ୍ୟ ଏହି ଜିଲ୍ଲାରେ ପୁଞ୍ଜି ବିନିଯୋଗ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପ୍ରକଳ୍ପ ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଓ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ୍ ପ୍ରମୁଖ ମଞ୍ଛାସୀନ ଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories