ଗିନିଜ ବୁକ୍ରେ ୬୬୯୦ ହୀରା ଖଚିତ ମୁଦି
ହୀରାର ନଗରୀ ସୁରତ ପୁଣି ଥରେ ଗିନିଜ ବୁକ୍ରେ ରେକର୍ଡ ସୃଷ୍ଟି କରିଛି। ଏଥର ରେକର୍ଡର କାରଣ ହୋଇଛି ୬୬୯୦ ଟି ହୀରା ଖଚିତ ମୁଦି। ଏହାର ମୂଲ୍ୟ ପାଖପାଖି ୨୪କୋଟି ଟଙ୍କା।
ସୁରତର ଜଣେ ହୀରା ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ କହିବା ଅନୁଯାୟୀ ଏହି ମୁଦିଟି ବିଶ୍ୱ ସ୍ତରରେ ଭାରତର ନାମ ଉଜ୍ଜଳ କରିପାରିବ। ଏହି ମୁଦିଟିକୁ ତାଙ୍କ ପତ୍ନୀ ଖୁସ୍ବୁ ଅଗ୍ରୱାଲ ଡିଜାଇନ କରିଥିଲେ। ମୁଦିଟିର ଆକୃତି ପଦ୍ମଫୁଲ ପରି ହୋଇଛି। ଏହାକୁ ତିଆରି କରିବା ପାଇଁ ୨୦ଜଣ କାରିଗରଙ୍କୁ ନିୟୋଜିତ କରାଯାଇଥିଲା।
ହୀରାରେ ପଦ୍ମଫୁଲ କରିବା ପାଇଁ ପ୍ରଥମେ କମ୍ପ୍ୟୁଟର ଦ୍ୱାରା ଡିଜାଇନ କରାଯାଇଥିଲା। ତାପରେ ମୁଦିଟିର ସମ୍ପୁର୍ଣ୍ଣ ଡିଜାଇନ କରାଗଲା। ସମ୍ପୁର୍ଣ୍ଣ ଡିଜାଇନ ପ୍ରସ୍ତୁତ ହେଲା ପରେ ମୁଦି ତିଆରି କରିବାକୁ ୨୦ଜଣ କାରିଗର ନିଯୁକ୍ତ କରାଯାଇଥିଲା। ପୁରା ୧ବର୍ଷ ପରେ ଏହି ମୁଦିଟି ସମ୍ପୁର୍ଣ୍ଣ ହେଲା। ଏହି ମୁଦିଟିର ବିଶେଷତ୍ୱ ହେଲା ଏହା ୧୮କ୍ୟାରେଟ ରୋଜ ଗୋଲ୍ଡ ଦ୍ୱାରା ପ୍ରସ୍ତୁତ। ଏହାର ଓଜନ ୫୮.୧୭୬ଗ୍ରାମ ଓ ଆନୁମାନିକ ୬ ଭରି ସୁନାରେ ପ୍ରସ୍ତୁତ ହୋଇଛି।
ଏହି ମୁଦିଟିକୁ ତିଆରି କରିଥିବା ବ୍ୟବସାୟୀ ବିଶାଲ ଅଗ୍ରୱାଲ କହିଛନ୍ତି ଯେ ସେ ଯେତେବେଳେ ବିଦେଶ ଯାତ୍ରା କରୁଥିଲେ ସେତେବେଳେ ଡିଜାଇନ କରାଯାଇ ଥିବା ଏକ ଗହଣା ବାକ୍ସ ଦେଖିଥିଲେ। ସେହି ଡିଜାଇନର ଏକ ମୁଦି ଭାରତରେ ତିଆରି କରିବେ ବୋଲି ଭାବିଥିଲେ।