ଧର୍ମଗଡ: ଧର୍ମଗଡ ସହରରେ ଟଙ୍କା ଲୁଟ କରୁଥିବା ଏକ ଲୁଟେରା ଗ୍ୟାଙ୍ଗକୁ ପୁଲିସ ଧରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗର ୪ଜଣଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିବାବେଳେ ଜଣେ ଫେରାର ମାରିଛି। ଗିରଫ ଲୁଟେରାମାନେ ହେଲେ ଏମ ଗଣେଷ,ଏ ରଂଜିତ ରାଓ,ଡି ଆକାଶ ଓ ଜେ ଚନ୍ଦୁ। ଗିରଫ ସମସ୍ତେ ଗଂଜାମ ଜିଲା ଆସ୍କା ଅଂଚଳର ବୋଲି ପୁଲିସ ସୂଚନା ଦେଇଛି।
ପୁଲିସ ଏମାନଙ୍କ ଠାରୁ ବିଗତ ଦିନରେ ଧର୍ମଗଡରେ ହୋଇଥିବା ଦୁଇଟି ଲୁଟର ନଗଦ ରାଶି ସହ ମୋଟ ୧ଲକ୍ଷ ୪୦ହଜାର ଟଙ୍କା, ଦୁଇଟି ମୋଟର ସାଇକେଲ , ତିନୋଟି ମୋବାଇଲ ଫୋନ ଓ ଲୁଟ ହୋଇଥିବା ବ୍ୟକ୍ତିଙ୍କ ପାସବୁକ, ପାନ କାର୍ଡ, ଆଧାରକାର୍ଡ ଆଦି ଜବତ କରିଛି। ପୁଲିସରୁ ମିଳିଥିବା ସୁଚନାନୁଯାୟୀ ଗତ ୧୩ା୮ରେ ଧର୍ମଗଡ ଥାନା ଅନ୍ତର୍ଗତ ଆମ୍ବଗୁଡା ଗାଁର ଉଦ୍ଧବ ସୁନାନୀ ନାମକ ଜନୈକ ବ୍ୟବସାୟୀ ଧର୍ମଗଡ ଷ୍ଟେଟବ୍ୟାଙ୍କ ୧ଲକ୍ଷ ୯ହଜାର ଟଙ୍କା ଉଠାଣ କରି ବାହାରକୁ ଆସି ଏକ ଅଟୋ ରିକ୍ସାରେ ବସୁଥିବାବେଳେ ଲୁଟର ଶୀକାର ହୋଇଥିଲେ।
ଏହାପରେ ସେ ଏନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ପୋଲିସ ଜିଲ୍ଲା ସହ ଅନ୍ୟ ଜିଲ୍ଲାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରି ତଦନ୍ତ ଆରମ୍ଭ କରିଥିଲା। ଧର୍ମଗଡ,ଜୁନାଗଡ ଓ ଭବାନିପାଟଣା ଟାଉନ ପୋଲିସକୁ ନେଇ ଏକ ସ୍ୱତନ୍ତ୍ର ଦଳ ଗଠନ କରି ପୋଲିସ ଭବାନିପାଟଣା ସ୍ଥିତ ଇରିଗେସନ କଲେନିରେ ଚଢ଼ଉ କରି ୪ଜଣ ଲୁଟେରାଙ୍କୁ ଠାବ କରିବାରେ ସଫଳ ହୋଇଥିଲା। ଏହି ଲୁଟେରାମାନେ ସେଠାରେ ଘର ଭଡା ନେଇ ରହିବା ସହ ଦୂରଦୂରାନ୍ତ ଅଂଚଳରେ ଡକାୟତି କରୁଥିଲେ। ପଚରାଉଚୁରାବେଳେ କଳାହାଣ୍ଡି,ନୂଆପଡା,ବଲାଙ୍ଗୀର,କନ୍ଧମାଳ,ଏବଂ ବରଗଡ ଅଂଚଳର ମୋଟ ୮ଟି ଥାନା ଅଂଚଳରୁ ୧୯ଲକ୍ଷ ୫୭ହଜାର ଟଙ୍କା ଡକାୟତି କରିଥିବା କହିଥିବାନେଇ ପୁଲିସ ସୁଚନା ଦେଇଛି।
ସୂଚନାଯୋଗ୍ୟ ଗତ ୩୦/୭ରେ ଜନୈକ ଅବସରପ୍ରାପ୍ତ ରେଳୱେ କର୍ମଚାରୀ ନିଜ ପେନସନର ୨୪୦୦୦ ଟଙ୍କା ଉଠାଇ ଡିକିରେ ରଖି ମାର୍କେଟିଂ କରୁଥିବାବେଳେ ଲୁଟେରାମାନେ ଡିକି ଭାଙ୍ଗି ଟଙ୍କା ନେଇ ଫେରାର ହୋଇଥିଲେ। ପୋଲିସ ଏହି ଦୁଇଟି ଘଟଣାରେ ଲୁଟ ହୋଇଥିବା ମୋଟ ୧ଲକ୍ଷ ୩୩ହଜାର ସହ ୧ଲକ୍ଷ ୪୦ହଜାର ଟଙ୍କା ଜବତ କରିଛି ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର ସୁଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଥାନାଅଧିକାରୀ ଏ କେ ମହାପାତ୍ର,ଟୁନା ସେଠି ପ୍ରମୂଖ ଉପସ୍ଥିତ ଥିଲେ। ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲଣ କରାଯାଇଥିବାବେଳେ ଜାମିନ ନାମଂଜୁର ହୋଇଥିବା ଜଣାପଡିଛି।



