ଟୋକନ ଏବଂ ପ୍ରଶାସନ ମଧ୍ୟରେ ବଳି ପଡୁଛି ନୀରିହ ଚାଷୀ, ମଣ୍ଡିରେ ଖୋଲା ଆକାଶ ତଳେ ପଡିଛି୧୦ ହଜାର ବସ୍ତା ଧାନ

ଧର୍ମଗଡ :  ପି-ପାସ ବନ୍ଦ ହେଲାଣି। ମଣ୍ଡି ବନ୍ଦ ହେଲାଣି। ଆଉ ଧାନ କିଣାଯିବ ନାହିଁ। ଏପଟେ କିନ୍ତୁ ମଣ୍ଡିରେ ପଡି ରହିଛି ପ୍ରାୟ ୧୦ହଜାର ବସ୍ତା ଧାନ। ଖୋଲା ଆକାଶ ତଳେ ଖରା ବର୍ଷା କାକର ଖାଇ ଧିରେ ଧିରେ ତା’ର ଗୁଣବତ୍ତା ନଷ୍ଟ ହେବାକୁ ବସିଲାଣି। କିଛି ଧାନ ଗଜା ମଧ୍ୟ ହେଲାଣି। ଏଇ କିଛି ଦିନ ହେବ ପାଣିପାଗରେ ଅସ୍ୱାଭିକ ପରିବର୍ତ୍ତନ ଚାଷୀ ପାଇଁ ଆହୁରି କଷ୍ଟକର ହେଉଛି। ତଥାପି ଚାଷୀ ଆଶା ବାନ୍ଧି ବସିଛି। ଧାନ ଉଠିବ। ଆମ ଡାକ ପ୍ରଶାସନ ଶୁଣିବ। ଏପଟେ କିନ୍ତୁ ପ୍ରଶାସନ କହୁଛି ଏଥିପାଇଁ ଆମେ ଦାୟୀ ନୁହଁ। ଯେତେବେଳେ ବିଭିନ୍ନ ମଣ୍ଡିଯାଇ ସରଜମିନ ତଦନ୍ତ ହେଲା ଏବଂ ତଦନ୍ତ ପରେ ଯେତେ ଧାନ ଥିଲା ତାହା ଉଠା ଯାଇଛି। ସେତେବେଳେ ଏହି ଧାନଘୁଡାକ ନଥିଲା।ଏବେ ଆସିଲା କୁଆଡୁ। ଏପଟେ ଚାଷୀ କହୁଛି ଟୋକନ ଗାୟବ ହେବା କାରଣରୁ ଆମେ ମଣ୍ଡିରେ ଧାନ ପକାଇ ପାରିନଥିଲୁ। ଏଭଳି ଆରୋପ ପ୍ରତ୍ୟାରୋପ ଭିତରେ କିନ୍ତୁ ସମାଧାନର ବାଟ କେହି ବାହାର କରୁନାହାନ୍ତି।

କୋକସରା ବ୍ଳକ ଡେଙ୍ଗାଗୁଡା ମଣ୍ଡିରେ ଏଭଳି ଏକ ଜଟିଳସ୍ଥିତି ଦେଖିବାକୁ ମିଳିଛି। ଟେମରା ପେକ୍ସ ଅଧିନରେ ଥିବା ଡେଙ୍ଗାଗୁଡା ମଣ୍ଡିରେ ଖୋଲାଆକାଶ ତଳେ ଏବେ ବି ଚାଷି ଙ୍କ ୧୦ ହଜାର ବସ୍ତା ଧାନ ପଡିରହିଛିା ଚାଷୀଙ୍କ ଅଭିଯୋଗ ଅନୁଯାୟୀ କିଛି ଚାଷୀଙ୍କ ମୂଳରୁ ଟୋକନ ଆସିନଥିଲା ଏବଂ କିଛି ଚାଷୀଙ୍କ ଟୋକନ ଆସିଥିଲା। କିଛି ଚାଷୀଙ୍କ ଡିସେମ୍ବର ୨୬ରେ ଧାନ ପକାଇବା ପାଇଁ ଟୋକନ ଆସିଥିଲା। କିନ୍ତୁ ସେତେବେଳକୁ ପାଣିପାଗରେ ଡାଂତ ପରିବର୍ତ୍ତନ ଯୋଗୁଁ ପ୍ରଶାସନ ଡାକବାଜି ଯନ୍ତ୍ର ସାହାଯ୍ୟରେ ମଣ୍ଡିକୁ ଧାନ ନଆଣିବାକୁ ଅନୁରୋଧ କରିଥିଲା। ଫଳରେ ଅନେକ ଚାଷୀ ମଣ୍ଡିକୁ ଧାନ ନନେଇ ନିଜ ଘରେ ରଖିଥିଲେ। ତେବେ ତେବେ ଡିସେମ୍ବର ୨୬ପରେ ପରେ ସେ ଟୋକନ ଗାୟବ ହୋଇଗଲା। ଟୋକନକୁ ଜଗିଜଗି ମଣ୍ଡି ବନ୍ଦ ହୋଇଗଲା ସିନା ଆଉ ଟୋକନ ଆସିଲା ନାହିଁ।

ସୁଚନାଯୋଗ୍ୟ ଯେ ଟେମରାରେ ଚଳିତବର୍ଷ ୧୨୭୭ ଜଣ ଚାଷିଙ୍କ ଠାରୁ ୮୬,୬୦୦ କ୍ୟୁଣ୍ଟାଲ ଧାନ ୨୬ ଜାନୁୟାରୀ ସୁଦ୍ଧା କ୍ରୟ ହୋଇଥିବା ଜଣାପଡିଛି। ଅନ୍ୟପଟେ ଟୋକନ ପାଇଁ ପଞ୍ଜିକରଣ କରିଥିବା ପାଖାପାଖି ୧୩୦ ଜଣ ଚାଷିଙ୍କ ଟୋକନ ଅନଲାଇନ ଜେନେରେଟ ହୋଇ ନପାରିଥିବା ଯୋଗୁଁ ଧାନବିକ୍ରି କରିପାରିନାହାନ୍ତି। ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୁରୁବାର ସଂଧ୍ୟାରୁ ବର୍ଷା ହୋଇଛି। ଅଦିନିଆଁ ବର୍ଷା ଯୋଗୁଁ ଡେଙ୍ଗାଗୁଡା ମଣ୍ଡିରେ ଖୋଲା ଆକାଶ ତଳେ ରହିଥିବା କିଛି ଚାଷି ଧାନ ଭିଜି ଗଜା ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ଏସଂପର୍କରେ ଧର୍ମଗଡ ଉପଜିଳ୍ଲାପାଳ ପଦ୍ମାନାଭ ବେହେରାଙ୍କୁ ଯୋଗାଯୋଗ କରିବାରୁ ପ୍ରଶାସନର ତଦନନ୍ତ ସମୟରେ ଯେତେ ଧାନ ଦେଖିବାକୁ ମିଳିଥିଲା ତାହା ଉଠାଯାଇଛି। ଏବେ ଯୋଉ ଧାନ ଡେଙ୍ଗାଗୁଡା ମଣ୍ଡିରେ ଜମା ହୋଇଛି ତାହା ସେତେବେଳେ ନଥିଲା। ତେଣୁ ସେ ଧାନ ଉଠେଇବାକୁ ପ୍ରଶାସନ ଦାୟୀ ନୁହେଁ ବୋଲି କହିଥିଲେ।

Comments are closed.