www.samajalive.in
Saturday, December 6, 2025
15.1 C
Bhubaneswar

ଭତ୍ତା ବୃଦ୍ଧି ପାଇଁ ଜିଲାପାଳ ଅଫିସ ଆଗରେ ଧାରଣା

ଭବାନୀପାଟଣା: ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ଭତ୍ତା ବୃଦ୍ଧି ପାଇଁ ଶୁକ୍ରବାର ସ୍ଥାନୀୟ ହିତାଧିକାରୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ମୁଇଁ କଳାହାଣ୍ଡିଆ ଫର କଳାହାଣ୍ଡି ସଙ୍ଗଠନ ପକ୍ଷରୁ ଆୟୋଜିତ ଏହି ଧାରଣାରେ ସହରର ବିଭିନ୍ନ ବସ୍ତିର ଶହ ଶହ ବୃଦ୍ଧବୃଦ୍ଧା ସ୍ଵତଃ ପ୍ରବୃତ୍ତ ଭାବେ ଯୋଗଦେଇଥିଲେ। ସାମ୍ପ୍ରତିକ ମହଙ୍ଗା ଯୁଗରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ହିତାଧିକାରୀମାନଙ୍କୁ ଯେଉଁ ଭତ୍ତା ଦିଆଯାଉଛି, ତାହା ସମୁଦ୍ରକୁ ସଙ୍ଖେ ସଦୃଶ। ରାଜ୍ୟରେ ୬୦ ବର୍ଷ ବୟସ୍କ ବୃଦ୍ଧ ବୃଦ୍ଧାଙ୍କୁ ୫୦୦ ଏବଂ ୮୦ ବର୍ଷରୁ ଊର୍ଦ୍ଧ୍ବ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମଙ୍କୁ ୭୦୦ ଟଙ୍କା ଦିଆଯାଉଛି। ଅନ୍ୟ ପକ୍ଷରେ ତେଲଙ୍ଗାନାରେ ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ୩୦୦୦ରୁ ୪୦୧୬ ଟଙ୍କା, ପଣ୍ଡିଚେରୀରେ ୩୧୦୦ ଟଙ୍କା, ଆନ୍ଧ୍ରପ୍ରଦେଶରେ ୩୦୦୦ ଟଙ୍କା, ହରିୟାଣାରେ ୨୭୫୦ ଟଙ୍କା, ଦିଲ୍ଲୀରେ ୨୫୦୦ ଟଙ୍କା ହିତାଧିକାରୀଙ୍କୁ ଦିଆଯାଉଛି। ଅନ୍ୟ କିଛି ରାଜ୍ୟରେ ୧୫୦୦ରୁ ଅଧିକ ଭତ୍ତା ଦିଆଯାଉଛି। ଅଥଚ ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ସବୁଠୁ କମ ଭତ୍ତା ଦିଆଯାଉଛି। ଫଳରେ ଅନ୍ୟ ଉପରେ ନିର୍ଭରଶୀଳ ବାର୍ଦ୍ଧକ୍ୟଗ୍ରସ୍ତ ହିତାଧିକାରୀମାନେ କମ୍ ଟଙ୍କାରେ କିପରି ଚଳିବେ ସେନେଇ ପ୍ରଶ୍ବ ଉଠିଛି। ପୁଣି ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା, ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ବର୍ଗର ଲୋକଙ୍କୁ ନାନା ବାଟରେ ଆର୍ଥିକ ସହାୟତା ଯୋଗାଉଛନ୍ତି। କିନ୍ତୁ ବୟସର ଅପରାହ୍ନରେ ପହଞ୍ଚିଥିବା ଲୋକଙ୍କ ସାମାଜିକ ନିରାପତ୍ତା ପାଇଁ ସରକାର ଭତ୍ତାର ପରିମାଣ ବୃଦ୍ଧି କରୁନାହାନ୍ତି। ଏଣୁ ଆସନ୍ତା ୧୫ ଦିନ ମଧ୍ୟରେ ୬୦ରୁ ଊର୍ଦ୍ଧ୍ବ ବୟସ୍କ ହିତାଧିକାରୀଙ୍କୁ ମାସିକ ୨୫୦୦ ଟଙ୍କା ଏବଂ ୮୦ରୁ ଊର୍ଦ୍ଧ୍ବ ବୟସ୍କ ହିତାଧିକାରୀଙ୍କୁ ମାସିକ ୩୦୦୦ ଟଙ୍କା ଲେଖାଏଁ ଭତ୍ତା ଦେବାକୁ ସଙ୍ଗଠନ ଦାବି କରିଛି। ଏଥିସହିତ ସମସ୍ତ ବର୍ଗର ହିତାଧିକାରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ଯୋଗାଇଦେବାକୁ ସଙ୍ଗଠନ ଦାବି କରିଛି। ଏହି ମର୍ମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଛି। ତେବେ ବିଭିନ୍ନ ରାଜନୈତିକ ଦଳ ବା ନେତାଙ୍କ କାର୍ଯ୍ୟକ୍ରମରେ ଗାଡ଼ିରେ ଲୋକଙ୍କୁ ବୁହା ହେଉଥିବା ବେଳେ ଏହି ସମାବେଶରେ ବିଭିନ୍ନ ସାହି ବସ୍ତିରୁ ବାର୍ଦ୍ଧକ୍ୟଗ୍ରସ୍ତ ଲୋକେ ବହୁ ସଂଖ୍ୟାରେ ସ୍ଵତଃ ପ୍ରବୃତ୍ତ ଭାବେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିବା ଘଟଣା ସହରରେ ଚର୍ଚ୍ଚାର ବିଷୟ ହେଇଛି। ସରକାର ଏ ଦିଗରେ ପଦକ୍ଷେପ ନ ନେଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସଙ୍ଗଠନର ଦୁଇ ସ୍ବେଛାସେବୀ ଲକ୍ଷ୍ମୀ ନାରାୟଣ ପଣ୍ଡା ଏବଂ ସୁରେଶ ସଂଗ୍ରାମ ‘ସମାଜ’ କୁ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories