ଧାମରା ମାଷ୍ଟର ପ୍ଲାନିଂ ପାଇଁ ୨ୟ ବୈଠକ

୨୦୪୦କୁ ଆଖି ଆଗରେ ରଖି ଖୁବ ଶୀଘ୍ର ଆରମ୍ଭ ହେବ କାର୍ଯ୍ୟ

ଧାମରା: ୨୦୪୦ ମସିହାକୁ ଆଖି ଆଗରେ ରଖି ଧାମରାକୁ ମାଷ୍ଟର ପ୍ଲାନିଂ ଅର୍ନ୍ତଭୁକ୍ତ କରାଯିବା ପାଇଁ ୨ୟ ବୈଠକ ଧାମରା ଠାରେ ଥିବା ଜେଜେ ରିସୋର୍ଟ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଆଜି ସ୍ପେଶାନ ଟାଉନ ପ୍ଲାନିଂ ଅଫିସର ଅଭୟ କୁମାର ଦାସଙ୍କ ପୌରହିତ୍ୟ ରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସବ କଲେକ୍ଟର ଅରୁଣ ପଟନାୟକ ଏହି ବୈଠକରେ ଯୋଗ ଦେଇଥିଲେ। ୫୭ଟି ରାଜସ୍ୱ ଗ୍ରାମକୁ ନେଇ ଏହି ଟାଉନ ପ୍ଲାନିଂ କରାଯିବା ଯୋଜନା ରହିଥିବା ବେଳେ ଆଗାମୀ ଦିନରେ ଗ୍ରାମ୍ୟ ଉନ୍ନୟନ, ଜଳସମ୍ପଦ, ଜଳ ନିଷ୍କାସନ(ଡ୍ରେନେଜ), ବିଦ୍ୟୁତ, ପରିବହନ ବ୍ୟବସ୍ଥାକୁ କିପରି ତ୍ୱରାିନ୍ୱିତ କରାଗଲେ ସେଥିରୁ ସୁଫଳ ମିଳିପାରିବ ସେ ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା। ସରକାର ଏହି ବାସ୍ତବ ଚିତ୍ରକୁ ସମୀକ୍ଷା କରି ତୁରନ୍ତ ପଦକ୍ଷେପ ନେବା ଜରୁରୀ ବୋଲି ଉପସ୍ଥିତ ଥିବା ଜନ ପ୍ରତିନିଧି ମତ ପୋଷଣ କରିଥିଲେ। ଧାମରା ରେ ଥିବା ପ୍ରତିଷ୍ଠାତ୍ରୀ ଦେବୀ ମାଆ ଧାମରାଇଙ୍କ ମନ୍ଦିର ନିକଟରେ ଏକ ପର୍ଯ୍ୟଟନ ସ୍ଥଳ ସୃଷ୍ଟି କରାଗଲେ ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟକ ବିଶ୍ୱ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇବାକୁ ଥିବା ଗହୀରମଥା, ଅଲିଭରିଡଲେ କଇଁଛଙ୍କ ଏନ୍ତୁଡି ଶାଳ ବାବୁବାଲି, ଧାମରା ବନ୍ଦର ବୁଲିବାକୁ ସୁବିଧା ସୃଷ୍ଟି ହୋଇ ପାରିବ ବୋଲି ଉପସ୍ଥିତ ଥିବା ବ୍ୟକ୍ତି ପ୍ରସ୍ଥାବ ଆଗତ କରିଥିଲେ। ଆଗାମୀ ଦିନରେ ଧାମରାରେ ଏକ ଯାନ୍ତ୍ରିକ ବିଦ୍ୟାଳୟ, ବାଂଶଡା ଠାରେ ମନ୍ତେଇ ନଦୀ ଉପରେ ନିର୍ମାଣାଧୀନ ସେତୁକୁ ପୂର୍ଣାଙ୍ଗ ରୂପ ଦେବା, ଧାମରା ଠାରେ ଏକ ଗ୍ରୀଡ ପ୍ରତିଷ୍ଠା ସହ ହବାଳି ଘାଟ ଠାରେ ମନ୍ତେଇ ନଦୀ ଉପରେ ଏକ ସେତୁ ନିର୍ମାଣ ସହ ଧାମରା ୮ ପଞ୍ଚାୟତକୁ ନିରବଛିନ୍ନ ଭାବରେ ବିଦ୍ୟୁତ ଏବଂ ପାନୀୟ ଜଳ ଯୋଗାଣ,ଏହି ପଞ୍ଚାୟତ ଗୁଡିକ ମଧ୍ୟରେ ଥିବା ସମସ୍ତ ମାଟି ରାସ୍ତାକୁ ପକ୍କା ସଡକରେ ପରିବର୍ତନ କରିବାକୁ ମଧ୍ୟ ପ୍ରସ୍ଥାବ ଆଗତ ହୋଇଥିଲା। ଏହି ମାଷ୍ଟର ପ୍ଲାନିଂ କାଯ୍ର୍ୟକ୍ରମ କାର୍ଯ୍ୟକ୍ଷମ ହୋଇ ପାରିଲେ ଧାମରା ଏକ ଉନ୍ନତ ମାନର ନଗରୀ ଭାବରେ ଉଭା ହୋଇ ପାରିବା ସହ ସମସ୍ତ ପ୍ରକାର ଆନୁଷଙ୍ଗିକ ସୁବିଧା ଉପଲବ୍ଧ ହୋଇପାରିବ ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା। ଏହି ମାଷ୍ଟର ପ୍ଲାନିଂ ର ଏଷ୍ଟିମେଟ କାର୍ଯ୍ୟ ବାଙ୍ଗୋଲର ଠାରେ ଥିବା ସ୍କାଏ ଗ୍ରୁପ କାଯ୍ୟ ଆରମ୍ଭ କରିଛି। ଆଜିର ଏହି ବୈଠକରେ ମତ ବିନିମୟ ହୋଇଥିବା ବେଳେ ଖୁବ ଶୀଘ୍ର ଏହା ବାସ୍ତବ ରୂପ ନେବ ବୋଲି ଟାଉନ ପ୍ଲାନିଂଅ ଫିସର ଅଭୟ କୁମାର ଦାସ ମତ ରଖିଥିଲେ।

Comments are closed.