ଶ୍ରାବଣ ପ୍ରଥମ ସୋମବାର : ଧବଳେଶ୍ୱର ପୀଠକୁ କଂକ୍ରିଟ ସେତୁ ଦେଇ କାଉଡିଆଙ୍କ ଆଗମନ

ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଗୁରୁଡିଝାଟିଆ : ପ୍ରଭୁ ଧବଳେଶ୍ୱର ପୀଠକୁ ଶ୍ରାବଣ ପ୍ରଥମ ସୋମବାରରେ କାଉଡିଆଙ୍କ ଜଳଲାଗି ପାଇଁ ଜିଲ୍ଳା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନୂତନ କରି ମଞ୍ଚେଶ୍ୱର ପଟୁ ଧବଳେଶ୍ୱର ପୀଠକୁ କଂକ୍ରିଟ ସେତୁରେ ଯାତାୟାତ ବ୍ୟବସ୍ଥା ହେବାରୁ କାଉଡିଆଙ୍କ ଆଗମନ ଅହେତୁକ ସଂଖ୍ୟାରେ ବୃଦ୍ଧି ପାଇଥିବା ଦେଖାଦେଇଛି । ସନ୍ଧ୍ୟାସୁଧା ମଞ୍ଚେଶ୍ୱର ପାର୍ଶ୍ବରୁ ଓ କଂକ୍ରିଟସେତୁ ଦେଇ ଧବଳେଶ୍ୱର ସେତୁରେ ପ୍ରାୟ ୧୦ହଜାର କାଉଡିଆ ଠୁଳ ହୋଇଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବା ସହିତ ଶାନ୍ତିଶୃଙ୍ଖଳାର ସହିତ କାଉଡିଆମାନେ ଜଳଲାଗି କରିବା ନିମନ୍ତେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା ରବିବାର ସନ୍ଧ୍ୟାରେ କଂକ୍ରିଟ ସେତୁରେ ନିର୍ମିତ ବ୍ୟାରିକେଟ ଓ ପୀଠ ପରିସରରେ ଥିବା ଆଲୋକ ବ୍ୟବସ୍ଥା, ଫୋର୍ସ ମୁତୟନ ସ୍ଥାନ, ନଦୀଘାଟ ଆଦି ବୁଲି ଦେଖିଛନ୍ତି । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କେ.ପି ପଟ୍ଟନାୟକ, ଚୌଦ୍ୱାର ଏସଡିପିଓ ସତ୍ୟବ୍ରତ ଲେଙ୍କା, ଗୁରୁଡିଝାଟିଆ ଥାନା ଅଧିକାରୀ ରଞ୍ଜନ ପ୍ରଧାନ, ଖୁଣ୍ଟୁଣୀଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଫୋର୍ସ ମୁତୟନ ହୋଇଛନ୍ତି । ରାତି ତମାମ କାଉଡିଆମାନେ ପୀଠକୁ ଆସିବାର ସମ୍ଭାବନା ଥିବାରୁ ଫୋର୍ସମାନେ ସଜାଗ ଓ ଶୃଙ୍ଖଳିତ ଭାବେ କର୍ତ୍ତବ୍ୟ ସଂପାଦନ କରିବା ପାଇଁ ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡା ନିଦେର୍ଦ୍ଦଶ ଦେଇଛନ୍ତି।

Comments are closed.