ଆନ୍ଧ୍ର ନେଇଯିବ ‘ଦେଓମାଳି’

ତାରାଙ୍କ ଉଦ୍‌ବେଗ ପରେ ତିନି ବିଭାଗକୁ ନେଇ ଆଲୋଚନା ଲାଗି ବାଚସ୍ପତିଙ୍କ ନିର୍ଦେଶ

ଭୁବନେଶ୍ବର : କୋରାପୁଟସ୍ଥିତ ଦେଓମାଳି ପର୍ବତ ଓଡ଼ିଶାର ରାଜସ୍ବ ଓ ଜଙ୍ଗଲ ବିଭାଗ ଖାତାରେ ନାହିଁ। ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଗୃହରେ ଏଭଳି ମନ୍ତବ୍ୟ ଦେବାପରେ କୋରାପୁଟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ୬୦ଟି ଗାଡ଼ିରେ ଆନ୍ଧ୍ରର ଲୋକେ ଆସି ସେଠାରେ ଭୋଜିଭାତ କରିଗଲେଣି। ଇତିମଧ୍ୟରେ ପଟାଙ୍ଗୀର ୧୨ଟି ଗାଁକୁ ଆନ୍ଧ୍ର ସରକାର ନିଜ ଅକ୍ତିଆରକୁ ନେଇଗଲେଣି। ମନ୍ତ୍ରୀଙ୍କ ଉତ୍ତରକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ସରକାର ଯେଭଳି କୋଟିଆ ପ୍ରତି ଅବହେଳା କରୁଛନ୍ତି, ସେହିପରି ଓଡ଼ିଶାର କାଶ୍ମୀର ଦେଓମାଳି ଏବେ ଆନ୍ଧ୍ର ସରକାରଙ୍କ ନିୟନ୍ତ୍ରଣକୁ ଚାଲିଯିବ କହି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହରେ ଉଦବେଗ ପ୍ରକାଶ କରିଥିଲେ। ଏହାକୁ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ମଧ୍ୟ ଅନୁରୂପ ଭାବେ ଉଦ୍‌ବେଗ ପ୍ରକାଶ କରିବା ସହିତ ପର୍ଯ୍ୟଟନ ମନ୍ତ୍ରୀ ତୁରନ୍ତ ଜଙ୍ଗଲ, ରାଜସ୍ବ ବିଭାଗକୁ ଡାକି ଆଲୋଚନା କରିବା ସହିତ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ।
ଅପରାହ୍ଣରେ ସଭ୍ୟ ଶ୍ରୀ ବାହିନୀପତି କହିଥିଲେ ଯେ, ଆନ୍ଧ୍ର ସରକାର କୋଟିଆରେ କେତେବେଳେ ରାସନକାର୍ଡ ବାଣ୍ଟୁଛି ତ ଆଉ କେତେବେଳେ ଜାତିଗତ ପ୍ରମାଣପତ୍ର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଣ୍ଟି ଲୋକଙ୍କୁ ନିଜ ଆଡକୁ ଟାଣି ନେଉଛି। କିଛିଦିନ ହେଲାଣି ଦେଓମାଳିରେ ଆନ୍ଧ୍ର ଅଧିକାରୀମାନେ ବୁଲୁଥିବା ଦେଖାଦେଇଛି। ଦେଓମାଳି ହେଉଛି ସମୁଦ୍ର ପତ୍ତନଠୁ ୫ହଜାର କିଲୋମିଟର ଊର୍ଦ୍ଧ୍ବରେ ରହିଛି। ପର୍ଯ୍ୟଟନ ମନ୍ତ୍ରୀ କିଭଳି ଏହା ଜାଣିପାରିଲେ ନାହିଁ କହି ଶ୍ରୀ ବାହିନୀପତି ଅସନ୍ତୋଷ ଜାହିର କରିଥିଲେ।
ସରକାରୀ ଦଳର ବରିଷ୍ଠ ବିଧାୟକ ଅମରପ୍ରସାଦ ଶତପଥୀ କହିଥିଲେ ଯେ, ଏହା ଗୃହରେ ରେକର୍ଡ ହୋଇ ରାଜ୍ୟବାସୀଙ୍କ ମନରେ ଏକ ପ୍ରଶ୍ନ ସୃଷ୍ଟି କରିଛି ଯେ ଦେଓମାଳି କାହାର ? ତେଣୁ ଆଜି ଗୃହ କାର୍ଯ୍ୟ ଶେଷ ହେବା ପୂର୍ବରୁ ପର୍ଯ୍ୟଟନ ମନ୍ତ୍ରୀ ଗୃହରେ ବିବୃତି ରଖନ୍ତୁ। ଯାହାଦ୍ବାରା ରାଜ୍ୟବାସୀଙ୍କୁ ଏକ ସ୍ପଷ୍ଟ ବାର୍ତ୍ତାଯିବ ଯେ ଦେଓମାଳି ନେଇ ସରକାର ଚିନ୍ତିତ, ନଚେତ୍ ଗୃହ ଆଜିଠାରୁ ବନ୍ଦ ହେବାକୁ ଯାଉଥିବାରୁ ଗୃହର ନିଷ୍ପତ୍ତି ଅନୁଯାୟୀ ଏନେଇ ଆଉ କୌଣସି ନିର୍ଯାସ ବାହାରିପାରିବ ନାହିଁ ବୋଲି କହି ଶ୍ରୀ ଶତପଥୀ ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡିଥିଲେ।
ବାଚସ୍ପତି ଶ୍ରୀ ଆରୁଖ କହିଥିଲେ ଯେ, ଗତ ଶନିବାର ପର୍ଯ୍ୟଟନ ମନ୍ତ୍ରୀ ଏ ସଂକ୍ରାନ୍ତରେ ଗୃହରେ ଉତ୍ତର ଦେବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ରାଜସ୍ବ ଓ ଜଙ୍ଗଲ ବିଭାଗ ଖାତାରେ କିଭଳି ଦେଓମାଳି ନାହିଁ ଏହା ମୋତେ ଠିକ୍ ଲାଗୁ ନଥିଲା। ତେବେ ମନ୍ତ୍ରୀଙ୍କ ଉତ୍ତର ପରେ ମୁଁ ଚୁପ୍ ରହିଥିଲି, ମାତ୍ର କଂଗ୍ରେସ ସଦସ୍ୟ ଆଜି ଯେଉଁ ଗୃହରେ ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି ଏହାକୁ ମୁଁ ଗ୍ରହଣ କରିବା ସହିତ ତୁରନ୍ତ ଏନେଇ ତିନି ବିଭାଗର ସମନ୍ବୟ ବୈଠକ କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ଆରୁଖ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ।

kalyan agarbati

Comments are closed.