ପିଚୁ ପ୍ଲାଣ୍ଟରେ ପଡ଼ି ଶ୍ରମିକ ଗୁରୁତର

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ତହସିଲ ଅନ୍ତର୍ଗତ କୁତୁର୍ଲା ଆର ଆଇ ନିରୀକ୍ଷକଙ୍କ ଅଧୀନରେ ଥିବା ବହଲିସ୍ଥିତ କ୍ରସରର ପିଚୁ ପ୍ଲାଣ୍ଟରେ ପଡ଼ି ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ଶ୍ରମିକ ଜଣକ ବିହାର ରାଜ୍ୟର ବି. ରାୟ ବୋଲି ଜଣାପଡ଼ିଛି। ରବିବାର ଭୋର ୪ଟା ସମୟରେ ଶ୍ରମିକ ଜଣକ ପିଚୁ ପ୍ଲାଣ୍ଟରେ କାମ କରୁଥିବାବେଳେ ତାଙ୍କ ଦେହରେ ଗରମ ଆଲକାତରା ପଡ଼ିଯିବାରୁ ଦେହ ପୋଡ଼ି ଯାଇଥିଲା। ପାଖରେ ଥିବା ଶ୍ରମିକମାନେ ତାଙ୍କୁ ଉଦ୍ଧାର କରି ଭିମ ଭୋଇ ମେଡିକାଲକୁ ନେଇଥିଲେ। ହେଲେ ସେ ଅଧିକ ଗୁରୁତର ଥିବାରୁ ବୁର୍ଲା ନେବାକୁ ଡାକ୍ତର କହିଥିଲେ। ଫଳରେ ଶ୍ରମିକଙ୍କୁ ବୁର୍ଲାରୁ ଆଇଜିଏଚ ରାଉରକେଲା ନେଇଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ କ୍ରସର ଭିତରେ ଚାଲିଥିବା ପିଚୁ ପ୍ଲାଣ୍ଟଟି ଆଇନ ସମ୍ମତ କି ନୁହେଁ ତାହା ସନ୍ଦେହ ଘେରରେ ଥିବାବେଳେ କାମ କରୁଥିବା ରାଜ୍ୟ ବାହାର ଶ୍ରମିକଙ୍କ ପଞ୍ଜିକରଣ ହୋଇଛି କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Comments are closed.