www.samajalive.in
Saturday, December 13, 2025
26.1 C
Bhubaneswar

ରାଜଧାନୀରେ ଡେଙ୍ଗୁ ଚିନ୍ତା : ୬ ରୋଗୀ ଚିହ୍ନଟ, ପରୀକ୍ଷା ପାଇଁ ଗଲା ୨୦ ନମୁନା

ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀର ପ୍ରକୋପ ଥମି ନ ଥିବାବେଳେ ସ୍ବାସ୍ଥ୍ୟବିଭାଗ ପାଇଁ ଚିନ୍ତାର କାରଣ ହୋଇଛି ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି। ଭୁବନେଶ୍ବରରୁ ଗତକାଲି ସୁଦ୍ଧା ୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଉ ୨୦ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ଜନସ୍ବାସ୍ଥ୍ୟ ନିର୍ଦେଶକ କହିଛନ୍ତି। ଅନ୍ୟପକ୍ଷରେ ଆହୁରି ଅନେକ ରୋଗୀ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି, ଯେଉଁମାନଙ୍କ ସମ୍ପର୍କରେ ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ।
ରାଜଧାନୀର କଳ୍ପନା ଓ ଶୈଳ‌ଶ୍ରୀ ବିହାର ଅଞ୍ଚଳର ସ୍ଥିତି ଏବେ ଉଦ୍‌ବେଗଜନକ ରହିଛି। ତେବେ ସରକାରୀରେ ବିବରଣୀ ଅନୁସାରେ ଡେଙ୍ଗୁ ନିୟନ୍ତ୍ରଣ ଥିବା ଜଣାପଡ଼ିଛି। ଏହାଛଡ଼ା ବିଭିନ୍ନ ବିଭାଗ ସହଯୋଗରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା କୁହାଯାଇଛି। ତେବେ ଜିଲାୱାରୀ ତଥ୍ୟ ଅନୁସାରେ ଗତ ଦୁଇ ମାସରେ ୪୭୧ ନମୁନା ପରୀକ୍ଷଣ ହୋଇଥିବାବେଳେ ୧୯ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏଥିରେ କାହାର ମୃତ୍ୟୁ ହୋଇ ନ ଥିବାବେଳେ ମେ ମାସ ଅପେକ୍ଷା ଜୁନ୍‌ରେ ଅଧିକ ପରୀକ୍ଷଣ ହୋଇଛି ଏବଂ କମ୍‌ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଘରୋଇ ଡାକ୍ତରଖାନାଙ୍କୁ ଡେଙ୍ଗୁ ରୋଗୀଙ୍କ ସମ୍ପର୍କରେ ତଥ୍ୟ ଦେବାକୁ କୁହାଯାଇଛି। ଏନେଇ ଖୁବ୍‌ଶୀଘ୍ର ଆଉ ଏକ ଚିଠି ବିଭାଗ ପକ୍ଷରୁ କରାଯିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।
ପ୍ରାକ୍‌ ମୌସୁମି ତଥା ମୌସୁମି ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମି ଡେଙ୍ଗୁ ମଶାଙ୍କ ବଂଶବୃଦ୍ଧି ପାଉଛି। ଡେଙ୍ଗୁ ଓ ମେଲେରିଆରୁ ମୁକ୍ତି ପାଇଁ ଲୋକଙ୍କୁ ସଚେତନ କରିବାକୁ ଆଶାକର୍ମୀମାନେ ଘର ଘର ବୁଲି ପ୍ରଚାର କରୁଛନ୍ତି। ଜନସ୍ବାସ୍ଥ୍ୟ ବିଭାଗ ବିବରଣୀ ଅନୁସାରେ ମେ ମାସରେ ମୋଟ ୭୮ ଜଣଙ୍କ ନମୁନା‌ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ଜୁନ୍‌ରେ ମୋଟ ୩୯୩ ପରୀକ୍ଷାରୁ ୮ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ମେ’ରେ କଟକରେ ସର୍ବାଧିକ ୧୭ ନମୁନାରୁ ୨ ଆକ୍ରାନ୍ତ, ଯାଜପୁରରେ ୧୪ ପରୀକ୍ଷଣରୁ ଜଣେ, ନୟାଗଡ଼ରେ ୨ରୁ ୧, ଭଦ୍ରକରେ ୬ରୁ ୨, ଜଗତସିଂହପୁରରେ ୭ରୁ ୨, କେନ୍ଦୁଝରରେ ୫ରୁ ୧, ନୟାଗଡ଼ରେ ୨ରୁ ୧, କୋରାପୁଟରେ ୪ ନମୁନାରୁ ୧ ଓ ବରଗଡ଼ରେ ଗୋଟିଏ ନମୁନାରୁ ୧ଜଣେ ଡେଙ୍ଗୁରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।
ଜୁନ୍‌ରେ ଖୋର୍ଦ୍ଧା ଓ କଟକରେ ସର୍ବାଧିକ ୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଜିଲାରେ ଯଥାକ୍ରମେ ୬ ଓ ୩୧ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା। ସେହିପରି ବାଲେଶ୍ବରରେ ୨୬୬ ନମୁନା ସଂଗ୍ରହ କରାଯାଇଥିଲା। ଏଥିରୁ ଜଣେ ମାତ୍ର ଚିହ୍ନଟ ହୋଇଛନ୍ତି। ସେହିପରି ଗତବର୍ଷ ୪୪୩୩ ନମୁନା ପରୀକ୍ଷଣ ହୋଇଥିବାବେଳେ ୩୩୯ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଉଭୟ ପୁରୀ ଏବଂ କଟକ ଜିଲାରୁ ସର୍ବାଧିକ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ କରାଯାଇଥିବାବେଳେ ରାୟଗଡ଼ା ଜିଲାରୁ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ତେବେ ୧୨ ଜିଲାକୁ ଡେଙ୍ଗୁ ଛୁଇଁ ନ ଥିବା କୁହାଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories