ଆକ୍ରମଣକାରୀକୁ ଗିରଫ ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା

ଆଠଗଡ :  ଆଠଗଡ ଥାନା ଅନ୍ତର୍ଗତ ମେଘା ଗ୍ରାମରେ ଗତ ୪ ତାରିଖରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବହୁ ମହିଳାଙ୍କ ସମେତ ପ୍ରାୟ ୫୦ରୁ ଅଧିକ ଲୋକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଧାରଣା ଦେଇଥିଲେ । ଘରବାଡି ବିବାଦକୁ ନେଇ ଗତ ଜୁଲାଇ ୪ତାରିଖ ରାତିରେ ମେଘା ଦାଶପୁର ଗ୍ରାମର ମୋହନ ଦାସଙ୍କ ଉପରେ କନ୍ତ ଓ ତେଣ୍ଟା ସାହାଯ୍ୟରେ କଣ୍ଡୁରୀ ନାଥ, ଦ୍ୱିଜବର ନାଥ, ଅନନ୍ତ ନାଥ ଓ ଚନ୍ଦନ ନାଥ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କ ଚିତ୍କାର ଶୁଣି ତାଙ୍କ ଭାଉଜ ତାଙ୍କୁ ରକ୍ଷା କରିବା ପାଇଁ ଆସିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିବାରୁ ସେ ଆହତ ହୋଇଥିଲେ । ମୋହନ ଓ ତାଙ୍କ ଭାଉଜଙ୍କୁ ତୁରନ୍ତ ପରିବାର ଲୋକ ଆଠଗଡ ଡାକ୍ତରଖାନା ନେଇ ପ୍ରଥମିକ ଚିକିତ୍ସା ପରେ ମୋହନଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଉପଯୁକ୍ତ ଚିକିତ୍ସା ନହେବାରୁ ତାଙ୍କୁ କଟକର ଏକ ଘରୋଇ ନର୍ସିଂ ହୋମ ଓ ତା ପରେ ଭୁବନେଶ୍ୱରର ଏକ ଘରୋଇ ଭେଷଜ ମହାବିଦ୍ୟାଳୟକୁ ଚିକିତ୍ସା ପାଇଁ ନିଆଯାଇଥିଲା । ତେବେ ତାଙ୍କ ଛାତିରେ କନ୍ତ ଭୁସି ହୋଇ ଗଭୀର କ୍ଷତ ହୋଇଥିବାରୁ କୌଣସି ଚିକିତ୍ସାଳୟରେ ସ୍ଥାୟୀ ଭାବେ ରକ୍ତ କ୍ଷରଣ ବନ୍ଦ ହୋଇନଥିଲା । ଶେଷରେ ଅନ୍ୟ ଏକ ଘରୋଇ ଚିକିତ୍ସାଳୟରେ ୧୫ଦିନରୁ ଅଧିକ ସମୟ ରହିବା ପରେ ମଧ୍ୟ ସୁସ୍ଥ ନହେବାରୁ ଏବଂ ଅର୍ଥାଭାବ ଯୋଗୁଁ ଆଉ ଚିକିତ୍ସା କରିନପାରି ତାଙ୍କୁ ଘରକୁ ନେଇଆସିଥିଲେ। ଏବେ ସେ ଅତ୍ୟନ୍ତ ସଂକଟାପନ୍ନ ଅବସ୍ଥାରେ ରହିଛନ୍ତି । ତାଙ୍କୁ ଆକ୍ରମଣ କରିଥିବା ଲୋକମାନେ ଖୋଲାଖୋଲି ବୁଲୁଥିବାବେଳେ ପୁଲିସ କାହା ଚାପରେ ହେଉ ବା ଅନ୍ୟ କାରଣରୁ ହେଉ ସେମାନଙ୍କୁ ଗିରଫ କରୁନଥିବାରୁ ଆକ୍ରମଣର ଶିକାର ବ୍ୟକ୍ତିଙ୍କ ପରିବାର ଓ ଗ୍ରାମବାସୀ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେମାନେ କନ୍ତ ଓ ତେଣ୍ଟାରେ ଆକ୍ରମଣ କରିଥିବାବେଳେ ପୁଲିସ ସେମାନଙ୍କ ଘରୁ ଏକ ଗଇଁତି ଜବତ କରି ତଦନ୍ତ କରୁଥିବାରୁ ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ସେମାନେ ପ୍ରଶ୍ନବାଚୀ ଉଠାଇଛନ୍ତି । ତେବେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସାମାଜିକ କର୍ମୀ ଅରୂପାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ରର ନକଲ ଆଠଗଡ ଏସଡିପିଓ ଓ ପୁଲିସ ଡିଜିଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି।

kalyan agarbati

Comments are closed.