ରାଜ୍ୟସଭାରେ ଦିଲ୍ଲୀ ସେବା ବିଧେୟକ ଗୃହୀତ
ନୂଆଦିଲ୍ଲୀ : ରାଜ୍ୟସଭାରେ ସୋମବାର ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ ସରକାର (ସଂଶୋଧନ) ବିଧେୟକ ବା ଜିଏନସିଟି ବିଧେୟକ ବା ଦିଲ୍ଲୀ ସେବା ବିଧେୟକ ୨୦୨୩ ଗୃହୀତ ହୋଇଛି। ବିଧେୟକ ଉପରେ ଗୃହରେ ବିସ୍ତୃତ ଆଲୋଚନା ପରେ ଭୋଟଗ୍ରହଣ ହୋଇଥିଲା। ବିଧେୟକ ସପକ୍ଷରେ ୧୩୧ଟି ଭୋଟ ପଡ଼ିଥିବାବେଳେ ବିରୋଧରେ ୧୦୨ଟି ଭୋଟ ପଡ଼ିଥିଲା। ଏହାପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିଧେୟକକୁ ଆଗତ କରିବା ସହିତ ଏହା ଉପରେ ତଥ୍ୟ ଉପସ୍ଥାପନ କରିଥିଲେ। ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟମାନେ ହୋହଲ୍ଲା ଚଳାଇଥିବାବେଳେ ସରକାର ଏହି ବିଧେୟକ ଉପରେ ଆଲୋଚନା ଆରମ୍ଭ କରିଥିଲେ। ଆଲୋଚନା କାଳରେ ଶାହା କହିଥିଲେ ଯେ ଜିଏନସିଟି ବିଧେୟକ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ଉଲ୍ଲଙ୍ଘନ କରୁ ନାହିଁ। କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀରେ ବିଧାନସଭା ରହିଛି। କେନ୍ଦ୍ର ସରକାର କୌଣସି ରାଜ୍ୟ ସରକାରଙ୍କଠାରୁ କ୍ଷମତା ଛଡାଇ ନେବାକୁ ଚାହାନ୍ତି ନାହିଁ। ୨୦୧୫ ପୂର୍ବରୁ ଦିଲ୍ଲୀରେ କେନ୍ଦ୍ର ଓ ରାଜ୍ୟ କ୍ଷମତାକୁ ନେଇ କୌଣସି ବିବାଦ ନଥିଲା। ଦିଲ୍ଲୀର କୌଣସି ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର ବିରୋଧରେ ସ୍ବର ଉଠାଉ ନଥିଲେ। ଏପରିକି ଦିଲ୍ଲୀରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହା କେବେହେଲେ କେନ୍ଦ୍ର ସରକାର ବିରୋଧରେ କ୍ଷମତାର ବିବାଦ ଉଠାଇ ନଥିଲା। ମାତ୍ର ଆପ୍ ସରକାର କ୍ଷମତାକୁ ଆସିବା ପରେ କ୍ଷମତା ଭାଗବଣ୍ଟାର ବିବାଦ ଉଠାଇଲା। କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ ଲଢି ଜଣେ ରାଜ୍ୟ ସରକାର ଭଳି କ୍ଷମତା ହାସଲ କରିବାକୁ ଇଚ୍ଛା କରିବା ଦ୍ବାରା ବିବାଦ ସୃଷ୍ଟି ହୋଇଛି। ଅଗଷ୍ଟ ୩ରେ ଲୋକସଭାରେ ଏହି ବିଧେୟକ ଗୃହୀତ ହୋଇଥିଲା। ବିଧେୟକର ଆଲୋଚନା କାଳରେ କଂଗ୍ରେସ ସଦସ୍ୟ ଅଭିଷେକ ମନୁ ସିଙ୍ଘଭୀ ଏହାକୁ ଅସାମ୍ବିଧାନିକ ଦର୍ଶାଇଥିଲେ। ଏହି ବିଧେୟକ ଦିଲ୍ଲୀବାସୀଙ୍କ ଉପରେ ଅତ୍ୟାଚାର ସଦୃଶ ଓ ଏହା ଦେଶର ସଙ୍ଘୀୟ ଶାସନ ବ୍ୟବସ୍ଥାର ପରିପନ୍ଥୀ ବୋଲି ସେ କହିଥିଲେ।
ଅନ୍ୟପକ୍ଷରେ ଲୋକସଭାରେ ଡିଜିଟାଲ ପର୍ସନାଲ ଡାଟା ସୁରକ୍ଷା (ଡିପିଡିପି) ବିଧେୟକ ସୋମବାର ଗୃହୀତ ହୋଇଛି। ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଅଗଷ୍ଟ ୩ରେ ଏହି ବିଧେୟକକୁ ଗୃହରେ ଆଗତ କରିଥିଲେ। ଏହି ବିଧେୟକ ଦ୍ବାରା କୌଣସି ବ୍ୟକ୍ତିର ବ୍ୟକ୍ତିଗତ ତଥ୍ୟକୁ ଅନଲାଇନ ପ୍ଲାଟଫର୍ମରେ ଦୁରୁପଯୋଗ କରାଯାଇପାରିବ ନାହିଁ। ଭାରତୀୟ ନାଗରିକଙ୍କ ଗୋପନୀୟତାର ସୁରକ୍ଷା ନିମନ୍ତେ ସରକାର ଏପରି ବିଧେୟକ ଆଣିଛନ୍ତି। ତେବେ ବିରୋଧୀ ଦଳଗୁଡିକ ଏହି ବିଧେୟକକୁ ବିରୋଧ କରିବା ସହ ଏହାକୁ ଷ୍ଟାଣ୍ଡିଂକମିଟି ନିକଟକୁ ପଠାଇବା ଲାଗି ଦାବି କରିଥିଲେ। ବିରୋଧୀ ସଦସ୍ୟ କହିଥିେଲ ଯେ ବିଧେୟକଟି ବ୍ୟକ୍ତିର ଗୋପନୀୟତା ଭଳି ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି। ସୋମବାର ଲୋକସଭାରେ ଅନ୍ୟ ତିନିଟି ବିଧେୟକ ଯଥା ଅନୁସନ୍ଧାନ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ବିଲ ୨୦୨୩, ଦ ଫାର୍ମାସୀ (ସଂଶୋଧନ) ବିଲ ୨୦୨୩ ଓ ମେଡିଟେସନ ବିଲ୍ ୨୦୨୩ ଗୃହୀତ ହୋଇଛି। ମଣିପୁର ପ୍ରସଙ୍ଗକୁ ନେଇ ସୋମବାର ସଂସଦର ଉଭୟ ଗୃହରେ ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିଥିଲେ। ଫଳରେ ଗୃହକୁ ବାରମ୍ବାର ମୁଲତବୀ ରଖାଯାଇଥିଲା।
Comments are closed.