ନୂଆଦିଲ୍ଲୀ : ଧର୍ମାନ୍ତର ବିବାଦରେ ପଡିଥିବା ଦିଲ୍ଲୀର ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ରବିବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଧର୍ମାନ୍ତର ଉତ୍ସବରେ ରାଜେନ୍ଦ୍ରଙ୍କ ଉପସ୍ଥିତିକୁ ନେଇ ବିଜେପି ତାଙ୍କୁ ସମାଲୋଚନା କରିବା ସହିତ ମନ୍ତ୍ରୀ ପଦରୁ ବହିଷ୍କାର ଦାବି କରିଥିଲା। ରାଜେନ୍ଦ୍ର କହିଛନ୍ତି ଯେ ରାଜନୈତିକ ସ୍ବାର୍ଥ ପାଇଁ ବିଜେପି ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଟାର୍ଗେଟ କରୁଛି। ତାଙ୍କର କୌଣସି କାର୍ଯ୍ୟ ଆମ୍ ଆଦମୀ ପାର୍ଟି (ଆପ୍) କିମ୍ବା ଦଳର ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ପ୍ରତି ଅପ୍ରୀତିକର ନ ହେଉ ଏହି ଉଦ୍ଦେଶ୍ୟରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ରାଜେନ୍ଦ୍ର କହିଛନ୍ତି। ଅକ୍ଟୋବର ୫ ଦଶହରାରେ କେନ୍ଦ୍ରୀୟ ଦିଲ୍ଲୀର କରୋଲ ବାଗରେ ଅନୁଷ୍ଠିତ ଧର୍ମାନ୍ତର ଉତ୍ସବରେ ପ୍ରାୟ ୧୦ ହଜାର ହିନ୍ଦୁ ଧର୍ମ ପରିବର୍ତ୍ତନ କରି ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ଧର୍ମ ପରିବର୍ତ୍ତନ ପରେ ହିନ୍ଦୁମାନେ ବୌଦ୍ଧ ଧର୍ମର ନୀତି ଓ ଆଦର୍ଶକୁ ଅନୁସରଣ କରିବାକୁ ଶପଥ ପାଠ କରିଥିଲେ। ଏହା ସହିତ ସେମାନଙ୍କୁ ହିନ୍ଦୁ ଦେବଦେବୀଙ୍କୁ ପୂଜା କରିବାରୁ ଦୂରେଇ ରହିବାକୁ କୁହାଯାଇଥିଲା। ଧର୍ମାନ୍ତର ଉତ୍ସବରେ ମନ୍ତ୍ରୀଙ୍କ ଉପସ୍ଥିତିକୁ ନେଇ ବିଜେପି ଆପତ୍ତି ଉଠାଇବା ସହିତ ଆପ୍ ସରକାର ଧର୍ମାନ୍ତରକୁ ପ୍ରୋତ୍ସାହନ ଦେଉଥିବା କହିଥିଲା। ଏହି ଘଟଣା ପରେ ବିଜେପି କେଜରିୱାଲଙ୍କୁ ଟାର୍ଗେଟ କରିଛି। ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ କେଜରିୱାଲ ଜୟ ଶ୍ରୀରାମ ସ୍ଲୋଗାନ ଦେଇ ନିଜକୁ ହିନ୍ଦୁତ୍ବବାଦୀର ପରିଚୟ ଦେଇଛନ୍ତି। ମାତ୍ର ବିଜେପି ତାଙ୍କୁ ଅଣହିନ୍ଦୁ ବୋଲି ଆକ୍ଷେପ କରିଛି। ମନ୍ତ୍ରୀ ପଦରୁ ଇସ୍ତଫା ସତ୍ତ୍ବେ ଗୌତମ କହିଛନ୍ତି ଯେ ସେ ବାବା ସାହେବ ଆମ୍ବେଦକର ଓ ଗୌତମ ବୁଦ୍ଧଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇରହିବେ। ଗୌତମଙ୍କ ଇସ୍ତଫା ପରେ ବିଜେପି ଓ କଂଗ୍ରେସ ଦିଲ୍ଲୀର ଅନ୍ୟ ଦୁଇ ମନ୍ତ୍ରୀ ମନିଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ଦାବି କରିଛି।
Popular Categories



