ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ଫାଶୀରୁ ବର୍ତ୍ତିବା ଲାଗି ଗୋଟିଏ ପରେ ଗୋଟିଏ କୌଶଳ ଆପଣାଉଛନ୍ତି। ଗୋଟିଏପଟେ ଦୋଷୀମାନେ ଫାଶୀ ଦଣ୍ଡାଦେଶକୁ ରଦ୍ଦ କରିବା ଲାଗି ଅନ୍ତର୍ଜାତୀୟ ନ୍ୟାୟିକ କୋର୍ଟ(ଆଇସିଜେ)ଙ୍କ ଦ୍ବାରସ୍ଥ ହୋଇଥିବାବେଳେ ଅନ୍ୟପଟେ ଦୋଷୀ ମୁକେଶ ଦିଲ୍ଲୀ ହାଇକୋର୍ଟରେ ପିଟିଶନ ଦାୟର କରି ଘଟଣା ଦିନ ରାଜସ୍ଥାନରେ ଥିବା ଦାବି କରିଛି। କିନ୍ତୁ କୋର୍ଟ ତା’ର ପିଟିଶନକୁ ଖାରଜ କରିଦେଇଛନ୍ତି।
ସୂଚନା ମୁତାବକ, ମୁକେଶ ମଙ୍ଗଳବାର ନିଜ ଓକିଲ ଏମ. ଏଲ. ଶର୍ମାଙ୍କ ଜରିଆରେ ହାଇକୋର୍ଟରେ ପିଟିଶନ ଦାଖଲ କରିଥିଲା। ଏଥିରେ ସେ ଦାବି କରିଥିଲା ଯେ, ୨୦୧୨ ଡିସେମ୍ବର ୧୭ ତାରିଖ ଦିନ ସେ ରାଜସ୍ଥାନରୁ ଗିରଫ ହୋଇଥିଲା। ସେ ଘଟଣା ସମୟରେ ଘଟଣାସ୍ଥଳରେ ଉପସ୍ଥିତ ନ ଥିଲା। ତେଣୁ ସେ ଏହି ମାମଲା ଦୋଷୀ ନୁହେଁ ବୋଲି ଦର୍ଶାଇଥିଲା। ତେବେ ହାଇକୋର୍ଟ ଏହି ଦଲିଲକୁ ଖାରଜ କରିଦେଇଥିଲେ। ମୁକେଶ ପିଟିଶନରେ ଆହୁରି ଅଭିଯୋଗ କରିଥିଲା ଯେ, ତିହାର ଜେଲରେ ତା’କୁ ଶୋଷଣ କରାଯାଇଛି। ଜେଲରେ ତା’କୁ ମାରପିଟ୍ କରାଯାଇଛି।



