ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମୋଜାମ୍ବିକ୍ ଆଭ୍ୟନ୍ତରିଣ ମନ୍ତ୍ରୀ ଜେମି ବାସିଲିଓ ମୋଣ୍ଟେଇରୋଙ୍କ ସହ ରାଜଧାନୀ ମାପୁତୋରେ ମଙ୍ଗଳବାର କଥାବାର୍ତ୍ତା କରିଛନ୍ତି। କଥାବାର୍ତ୍ତା ପରେ ପ୍ରତିରକ୍ଷା ମନ୍ତ୍ରୀ ମୋଜାମ୍ବିକ୍ ଆଭ୍ୟନ୍ତରିଣ ମନ୍ତ୍ରୀଙ୍କୁ ୪୪ଟି ଏସ୍.ୟୁ.ଭି. ଉପହାର ଦେଇଛନ୍ତି। ସେହି ଏସ୍.ୟୁ.ଭି.ଗୁଡ଼ିକ ମୋଜାମ୍ବିକ୍ ପୁଲିସ୍ ବାହିନୀର ସୁରକ୍ଷା ଓ ନିରାପତ୍ତା ବୃଦ୍ଧିରେ ସାହାଯ୍ୟ କରିବ। ଏହି ଅବସରରେ ଜେମି ବାସିଲିଓ ମୋଣ୍ଟେଇରୋ ଏଥିପାଇଁ ଭାରତ ପ୍ରତି କୃତଜ୍ଞତା ଜଣାଇଛନ୍ତି।
ସୋମବାର ସେ ମୋଜାମ୍ବିକ୍ ପ୍ରଧାନମନ୍ତ୍ରୀ କାର୍ଲସ୍ ଆଗୋଷ୍ଟିନୋ ଡୋ ରୋସାରିଓଙ୍କୁ ସାକ୍ଷାତ କରିଥିଲେ। କଥାବାର୍ତ୍ତା ସମୟରେ ଶ୍ରୀ ରୋସାରିଓ ଇଦାଇ ଘୂର୍ଣ୍ଣି ବାତ୍ୟା ପରେ ଭାରତରୁ ଦିଆଯାଇଥିବା ସହାୟତା ପାଇଁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ, ତାଙ୍କ ଦେଶର ଏହି ଦୁର୍ବିପାକ ସମୟରେ ସହାୟତାର ହାତ ବଢ଼ାଇବାରେ ଭାରତ ପ୍ରଥମ ଦେଶ ଥିଲା। ପ୍ରତିରକ୍ଷା ମନ୍ତ୍ରୀ ସେଠାକାର ବୈଦେଶିକ ବ୍ୟାପାର ଓ ସହଯୋଗ ମନ୍ତ୍ରୀ ଜୋସ୍ ପାଚେକୋଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ମୋଜାମ୍ବିକ୍କୁ ତାଙ୍କର ତିନି ଦିନ ଗସ୍ତ ଶେଷ କରି ରାଜନାଥ ମଙ୍ଗଳବାର ରାତିରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଏହି ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ଦୁଇଟି ବୁଝାମଣା ସ୍ମାରକପତ୍ର ସ୍ୱାକ୍ଷରିତ ହୋଇଛି।



