-ସୁନ୍ଦରଗଡ ଜିଲ୍ଲାରେ କୋଭିଡ୍ ସଂକ୍ରମିତଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟ
-ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ରାଉରକେଲାରେ ୫୦୦ ବେଡ୍ ବିଶିଷ୍ଟ ବୃହତ କୋଭିଡ୍ କେୟାର ସେଂଟର ପ୍ରତିଷ୍ଠା କରୁଛି ସେଲ୍
-କେନ୍ଦୁଝର ଜିଲ୍ଲାର ବଲାଣି/ବଡ଼ବିଲ ଠାରେ ୧୦୦ ଓ ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଠାରେ ୫୦ ବେଡ଼ର ବ୍ୟବସ୍ଥା କରିବା ପାଇଁ ସେଲକୁ ଦାୟିତ୍ୱ
-ଓଡ଼ିଶାକୁ ବର୍ତମାନ ସୁଦ୍ଧା ୭୪ ଲକ୍ଷ ୮୬ ହଜାର ୧୪୦ଟିକା ଉପଲବ୍ଧ ହୋଇଛି
-ଓଡ଼ିଶାକୁ କେନ୍ଦ୍ର ସରକାର ୬୮ ଲକ୍ଷ ୫୭ ହଜାର ୬୦୦ ଟିକା ଦେଇଛନ୍ତି
-ରାଉରକେଲାରେ କୋଭିଡ ରୋଗୀଙ୍କୁ ସାହାଯ୍ୟ କରୁଥିବା ଗୁରିନ୍ଦର ସିଂହଙ୍କୁ ସାଧୁବାଦ ଦେଲେ
ନୂଆଦିଲ୍ଲୀ/ସୁନ୍ଦରଗଡ : ଓଡ଼ିଶାର କର୍ପୋରେଟ ଅନୁଷ୍ଠାନ ଗୁଡ଼ିକ ବିଶେଷ ଭାବରେ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ(ପିଏସୟୁ) ଗୁଡ଼ିକ ପକ୍ଷରୁ ଓଡ଼ିଶାରେ ପାଖାପାଖି ୫ ହଜାର କୋଭିଡ୍ ବେଡ୍ ଏବଂ ୧ ହଜାରରୁ ଊର୍ଦ୍ଧ୍ବ ଭେଂଟିଲେଟରର ବ୍ୟବସ୍ଥା କରାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଗୁରୁବାର ନୂଆଦିଲ୍ଲୀରୁ ଭର୍ଚୁଆଲ ପ୍ଲାଟଫର୍ମରେ ସେଲ୍ ରାଉରକେଲା ଇସ୍ପାତ କାରଖାନାର “ଇସ୍ପାତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଏବଂ ସୁପର ସ୍ପେଶାଲିଟି” ହସ୍ପିଟାଲରେ ୧୦୦ଟି ଭେଂଟିଲେଟର ସହ ଆଇସିୟୁ ବେଡର ଲୋକାର୍ପଣ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି।
ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଭିତିଭୂମିକୁ ପ୍ରାଥମିକତା ଦିଆଯାଉଛି। ରାଉରେକଲା ଇସ୍ପାତ୍ କାରଖାନା ଦ୍ୱାରା ଆଇପିଜିଆଇ ଓ ସୁପର ସ୍ପେଶାଲିଟି ହସ୍ପିଟାଲରେ ଜିଲ୍ଲା ପ୍ରଶାସନକୁ ଉତ୍ସର୍ଗ ହୋଇଥିବା ଭେଂଟିଲେଟର ସୁବିଧା ସହ କୋଭିଡ୍ ବେଡ୍ ଗୁଡ଼ିକ ଆଗାମୀ ଦିନରେ କୋଭିଡ୍ ସଂକ୍ରମିତ ରୋଗୀ ମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଅନେକ ଜୀବନ ରକ୍ଷା କରିବାରେ ସହାୟକ ହେବ।
ଜାତୀୟ ଏବଂ ଆଞ୍ଚଳିକ ସ୍ତରରେ ସେଲର ରାଉରେକଲା ଇସ୍ପାତ୍ କାରଖାନା ଏହି କୋଭିଡ ମହାମାରୀର ମୁକାବିଲା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ସିଜେନ୍ ପ୍ଲାଂଟ ନିକଟରେ କୋଭିଡ଼୍ କେୟାର ସେଂଟର ପ୍ରତିଷ୍ଠା କରିବା ପାଇଁ ଆହ୍ୱାନ କରିଥିବା ବେଳେ ସେଲ୍ ମଧ୍ୟ ରାଉରକେଲାରେ ୫୦୦ ବେଡ୍ ବିଶିଷ୍ଟ ବୃହତ କୋଭିଡ୍ କେୟାର ସେଂଟର ପ୍ରତିଷ୍ଠା କରିବାର ଦାୟିତ୍ୱ ନେଇଛି। ଏତଦବ୍ୟତିତ ରାଉରକେଲା ଇସ୍ପାତ୍ କାରଖାନାରେ ଅମ୍ଳଜାନ ପ୍ରସ୍ତୁତ ୟୁନିଟରୁ ତରଳ ମେଡ଼ିକାଲ ଅକ୍ସିଜେନର ଉତ୍ପାଦନ ଏବଂ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ଗୁରୁତ୍ୱ ଦିଆଯାଉଛି। ଚଳିତବର୍ଷ ଏପ୍ରିଲରୁ ଏହି ପ୍ଲାଂଟରୁ ୧୦ ହଜାର ଟନରୁ
ଅଧିକ ମେଡ଼ିକାଲ ଅମ୍ଳଜାନ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟକୁ ଯୋଗାଇ ଦିଆଯାଇଛି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତମାନ ଖଣି ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ପ୍ରାଥମିକତା ଦେବାକୁ ପଡ଼ିବ। ତେଣୁ କେନ୍ଦୁଝର ଜିଲ୍ଲାର ବଲାଣି କିମ୍ବା ବଡ଼ବିଲ ଠାରେ ଅମ୍ଳଜାନ ସୁବିଧା ସହ ୧୦୦ କୋଭିଡ୍ ବେଡ଼୍ ଓ ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଠାରେ ୫୦ ଅମ୍ଳଜାନ ସଂଯୁକ୍ତ ବେଡ଼ର ବ୍ୟବସ୍ଥା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ସେଲକୁ ଦାୟିତ୍ୱ ଦେଇଛନ୍ତି।
ସେହିପରି ଓଡ଼ିଶାକୁ ବର୍ତମାନ ସୁଦ୍ଧା ୭୪ ଲକ୍ଷ ୮୬ ହଜାର ୧୪୦ଟିକା ଉପଲବ୍ଧ ହୋଇଥିବା ବେଳେ ତନ୍ମଧ୍ୟରୁ ଓଡ଼ିଶାକୁ କେନ୍ଦ୍ର ସରକାର ୬୮ ଲକ୍ଷ ୫୭ ହଜାର ୬୦୦ ଟିକା ଦେଇଛନ୍ତି। କର୍ପୋରେଟ୍ ତଥା ସେଲ୍ ମଧ୍ୟ ଟିକା ଅଭିଯାନରେ ସାମିଲ ହୋଇ ନିଜ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କୁ ଟିକା ଦେବାର ବ୍ୟବସ୍ଥା କରନ୍ତୁ। ଜିଲ୍ଲା ପ୍ରଶାସନ ଓ ସମସ୍ତ ସାମାଜିକ ରାଜନୈତିକ ନେତୃତ୍ୱଙ୍କ ସହଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଶତ ପ୍ରତିଶତ ଟିକା ଦେବାରେ ପ୍ରଥମ ଜିଲ୍ଲା ଭାବରେ ପରିଗଣିତ ହୋଇପାରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।
ଓଡ଼ିଶାର କରୋନା ମହାମାରୀ ବିରୋଧୀ ଲଢ଼େଇରେ ଅନେକ ବ୍ୟକ୍ତି ସମାଜର ସେବା ପାଇଁ ନିଜକୁ ନିୟୋଜିତ କରିବା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ବିଷୟ। ରାଉରକେଲା ସହରରେ ଗୁରିନ୍ଦର ସିଂହ କରୋନା ସଂକ୍ରମିତ ଲୋକଙ୍କୁ ମାଗଣାରେ ଅମ୍ଳଜାନ ସିଲିଣ୍ଡର ଏବଂ ରନ୍ଧା ଖାଦ୍ୟ ଯୋଗାଇଦେଉଥିବାରୁ ଶ୍ରୀ ପ୍ରଧାନ ଶ୍ରୀ ସିଂହଙ୍କୁ ସାଧୁବାଦ ଜଣାଇଛନ୍ତି।
ସୂଚନାଯୋଗ୍ୟ, ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଇସ୍ପାତ୍ ରାଷ୍ଟ୍ର ମନ୍ତ୍ରୀ ଫଗନ୍ ସିଂହ କୁଲସ୍ତେ, ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବିଧାୟକ ଏବଂ ସେଲ୍ କର୍ତୃପକ୍ଷ ଉପସ୍ଥିତ ରହିଥିଲେ।



