ଶୋଷ ମେଣ୍ଟାଉଛି ବାଲିଚୁଆ; ଶୁଖିଲାଣି ପୋଖରୀ
ଦେବଗଡ଼: ଏପ୍ରିଲ ମାସ ନ ସରୁଣୁ ଶୁଖି ଗଲାଣି ଗାଁ ପୋଖରୀ । ଦୂଷିତ ତଥା ବ୍ୟବହାର ଅନୁପଯୋଗୀ ପାଣି ବାହାରୁ ଥିବାରୁ ବ୍ୟବହାରରେ ଆସି ପାରୁନାହିଁ ଗାଁରେ ଥିବା ୩ଟି ନଳକୂପ । ଏଗୁଡିକରୁ ପାଣି ବାହାରୁଥିଲେ ମଧ୍ୟ ଖାଦ୍ୟ ରାନ୍ଧିବାରେ ଅସୁବିଧା ହେଉଛି । ଭାତ ରାନ୍ଧିଲେ ଏହାର ବର୍ଣ୍ଣ ଲାଲ ହୋଇଯାଉଛି । ତାହା ସହ ପାଟିକୁ ଅରୁଚିକର ହେଉଛି । ଏଭଳି ପରିସ୍ଥିତିରେ କଂଟାପାଲି ଗ୍ରାମ ପଂଚାୟତ ବୈଷ୍ନବପାଲି ମୁଣ୍ଡାସାହି ବାସୀନ୍ଦାଙ୍କ ନିମନ୍ତେ ସାଜିଛି ଏକମାତ୍ର ସାହା ଭରସା ପାଲଟିଛି ମତୁଆଳି ନାଳର ବାଲିଚୂଆ । ମିଳିଥିବା ସୂଚନା ଅନୁଯାୟୀ ବାରକୋଟ ବ୍ଲକ କଂଟାପାଲି ପଂଚାୟତର ବୈଷ୍ନବପାଲି ମୁଣ୍ଡାସାହିରେ ବସବାସ କରନ୍ତି ପ୍ରାୟ ୪୦ଟି ପରିବାର । ସେମାନଙ୍କର ବ୍ୟବହାର ପାଇଁ ଗାଁରେ ଗୋଟିଏ ପୋଖରୀ ।
ଗୋଟିଏ ପରିମଳ କୂପ ଏବଂ ୩ଟି ନଳ କୂପ ମଧ୍ୟ ରହିଛି । ମାତ୍ର ଗ୍ରୀଷ୍ମ ଋତୁ ଆସିଲେ ଭୂତଳ ଜଳ ନିମ୍ନଗାମୀ ହୋଇ ପଡୁଥିବାରୁ ପୋଖରୀଟି ଶୁଷ୍କ ହୋଇପଡୁଛି । ପରିମଳ କୂପଟି ଶୁଷ୍କ ହୋଇପଡିଥିବାରୁ ଏହାକୁ ବ୍ୟବହାର ନହୋଇ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ବେଳେ ଏହାର ହ୍ୟାଣ୍ଡେଲ ମଧ୍ୟ ଉପାଡି ଦିଆଯାଇଛି । ସେହିପରି ଗାଁରେ ଥିବା ୩ଟି ଯାକ ନଳକୂପରୁ ଦୂଷିତ ତଥା ବ୍ୟବହାର ଅନୁପଯୋଗୀ ପାଣି ବାହାରିଥାଏ । ଏହି ନାଲି ତଥା ଲୌହଯୁକ୍ତ ପାଣିରେ ରୋଷେଇ କଲେ ଡାଲି ଶିଝିନଥାଏ । ଭାତ ପଖାଳିଲେ ଏହା ଛିଣ୍ଡିଯିବା ସହ ଖାଇବା ଅନୁପଯୋଗୀ ହୋଇପଡୁଛି । ଅନ୍ୟପକ୍ଷରେ ଏହି ଜଳକୁ ସଂଗ୍ରହ କରି କିଛି ସମୟ ରଖିଦେଲେ ଏହା ଉପରେ ତୈଳର ଏକ ଆସ୍ତରଣ ଜମିବା ସହ ପାଟିକୁ ମଧ୍ୟ ଅରୁଚିକର ହୋଇଥାଏ । ଏପରିକି ସେମାନେ ଜଳ ସଂଗ୍ରହ କରୁଥିବା ବାସନ କୁସନ ଏବଂ ଦାନ୍ତ ଗୁଡିକ ମଧ୍ୟ ଲାଲ ହୋଇଯାଉଛି । ଏଭଳି ପରିସ୍ଥିତିରେ ସେମାନେ ବିଶୁଦ୍ଧ ପାନୀୟ ଜଳ ଟିକିଏ ପାଇଁ ଡହଳ ବିକଳ ହେବାସହ ସମ୍ପୂର୍ଣ୍ଣ ଉପାୟ ଶୂନ୍ୟ ହୋଇ ପ୍ରାୟ ଅଧ କି.ମି. ଦୂରବର୍ତ୍ତୀ ମତୁଆଳି ନାଳରେ ଚୂଆ ଖୋଳି ଜଳ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି ।
ଏହି ଜହର ତୁଲ୍ୟ ଚୁଆ ପାଣି ବ୍ୟବହାର ଦ୍ୱାରା ଗ୍ରାମବାସୀ ମାନେ ବିଭିନ୍ନ ରୋଗରେ ମଧ୍ୟ ପୀଡିତ ହେଉଛନ୍ତି । ଏଣୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସେମାନେ ସରପଂଚ ଓ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବାରକୋଟ ବ୍ଲକର ବିଡିଓ, ଜିଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ନିବର୍ହୀ ଯନ୍ତ୍ରୀ ଓ ଏପରିକି ଜିଲାପାଳ, ବିଧାୟକ ଏବଂ ସାଂସଦଙ୍କ ନିକଟରେ ଏକାଧିକ ବାର ଗୁହାରୀ କରିସାରିଛନ୍ତି । ଏହା ସତ୍ୱେ ଗ୍ରାମବାସୀଙ୍କ ଗୁହାରୀ ଅରଣ୍ୟ ରୋଦନରେ ପରିଣତ ହୋଇପଡିବା ସହ ସେମାନଙ୍କ ମଧ୍ୟରେ ଘୋର ନୈରାଶ୍ୟ ଭାବ ପ୍ରକାଶ ପାଇଛି । ଏହି ସମସ୍ୟା ସମ୍ପର୍କରେ ଜିଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ସହକାରୀ ନିବର୍ହୀ ଯନ୍ତ୍ରୀ ଇଂ.ବିରଜା ଷଣ୍ଢଙ୍କ ମତାମତ ଲୋଡିବାରୁ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ଜରିଆରେ ଖବର ସଂଗ୍ରହ କରିବାପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତଶୃତି ଦେଇଛନ୍ତି ।
Comments are closed.