www.samajalive.in
Saturday, December 6, 2025
16.1 C
Bhubaneswar

ଅଞ୍ଚଳରେ ଥମୁନି ମୃତ୍ୟୁର ଝଡ଼: ପନ୍ଦର ଦିନରେ ତିନି ହତ୍ୟା, ଆଜି ପୁଣି ଏକ ଝୁଲନ୍ତା ମୃତଦେହ ଉଦ୍ଧାର

ରେଙ୍ଗାଲି କ୍ୟାମ୍ପ: ହତ୍ୟା ପରେ ହତ୍ୟା, ମୃତ୍ୟୁ ପରେ ମୃତ୍ୟୁ। ଅଞ୍ଚଳବାସୀଙ୍କ ନିଦ ହଜେଇ ଦେଇଛି ଅପରାଧ ଜନିତ ମୃତ୍ୟୁର ବିଭୀଷିକା। ଗତକାଲିର ଏକ ହତ୍ୟା ଘଟଣା ଲୋକଙ୍କ ମନରୁ ଏଯାଏଁ ଲିଭି ନ ଥିବା ବେଳେ ଆଜି ପୁଣି ଏକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି ଅତାବିରା ବ୍ଲକ ଟାଙ୍ଗରପାଲି ପଞ୍ଚାୟତରୁ।

ଏହି ପଞ୍ଚାୟତ ଅନ୍ତର୍ଗତ ଜୁନାନିରେ ଥିବା ଫରେଷ୍ଟ କାର୍ଯ୍ୟାଳୟର ଅଢେଇ କି.ମି. ଦୂରରେ ରହିଛି କରେଳଚୁଆଁ ଜଙ୍ଗଲ। ଏଠାକାର ଫରେଷ୍ଟ କର୍ମଚାରୀମାନେ ଶୁକ୍ରବାର ସକାଳେ ପାଟ୍ରୋଲିଂ କରୁଥିବା ସମୟରେ ଗଛରେ ଝୁଲୁଥିବା ଏକ ମୃତଦେହକୁ ଦେଖିଥିଲେ କର୍ମଚାରୀ ଭୁବନେଶ୍ୱର ମୃଦୁଲି। ଏହି ଘଟଣାଟିକୁ ତାଙ୍କର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ଅତାବିରା ପୁଲିସକୁ ମଧ୍ୟ ଖବର ଦେଇଥିଲେ। କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶାନୁସାରେ ଗାର୍ଡମାନେ ପ୍ରଥମେ ଯୁନାନି ଗାଆଁରେ ଏହି କଥାଟିକୁ ପ୍ରକାଶ କରି କାହାର ଘର ଲୋକ ବୋଲି ପଚାରିଥିଲେ । ଏହା ଶୁଣି ଗ୍ରାମର ବନମାଳୀ କୁଅଁରର ଘରଲୋକେ ଦୌଡ଼ିଆସି ଘଟଣା ସ୍ଥଳକୁ ଯିବା ପାଇଁ କହିଥିଲେ। କାରଣ ବନମାଳୀ କୁଅଁର କିଛିଦିନ ହେଲା ଘରେ ନ ଥିଲେ। ଘଟଣାସ୍ଥଳକୁ ଯାଇ ଝୁଲୁଥିବା ମୃତଦେହଟିକୁ ଦେଖି ତାହା ବନମାଳୀ କୁଅଁର ବୋଲି ଝିଅ ସନ୍ଧ୍ୟା ଓ ସ୍ତ୍ରୀ ସୁମିତ୍ରା ଚିହ୍ନିଥିଲେ। ମୃତଦେହଟି ଏକ ଗଛରେ ମାଡ଼ିଥିବା ଗୁରେନ୍ ଲତାରେ ଝୁଲୁଥିଲା। ବେକରେ ଥିଲା ନୀଳ ରଙ୍ଗର ଲୁଙ୍ଗିର ଫାସ । ଗଛର ଅନ୍ୟ ଏକ ଶାଖାରେ ଖଣ୍ଡିଏ ଟାୱେଲ ଝୁଲୁଥିଲା। ଦେହରେ ମାତ୍ର ଗାମୁଛାଟିଏ ପିନ୍ଧିଥିଲା। କିଛି ସମୟ ପରେ ଅତାବିରା ଥାନା ଅଧିକାରୀ ପୁରୁଷୋତ୍ତମ ଭୋଇଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ତ୍ରିଲୋଚନ ଦାଶ ଓ ରାମଚନ୍ଦ୍ର ଦାଶ ସଦଳ ବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ମୃତଦେହର ମୁଣ୍ଡରେ ଏକ ଅସ୍ତ୍ରର ଆଘାତ ଲାଗିଥିବା ଚିହ୍ନ ରହିଥିଲା ଏବଂ ଗୋଡ଼ ଦୁଇଟି ବନ୍ଧାହୋଇ ଭୂଇଁରେ ଲାଗିଥିଲା। ଯାହା ଆତ୍ମହତ୍ୟାକୁ ସନ୍ଦେହ ଘେରକୁ ଆଣୁଛି। ମୃତହେଦର ଅବସ୍ଥା ଦେଖି ତାହା ଚାରି ପାଞ୍ଚ ଦିନର ହୋଇଥିବ ବୋଲି ଅନୁମାନ କରାଯାଉଛି।

- Advertisement -

ପ୍ରକାଶ ଥାଉକି, ବନମାଳୀ ପ୍ରତିଦିନ ମଦ ପିଇ ଘରେ ଝଗଡ଼ା କରନ୍ତି। ରୋଜଗାର ଯାହା କରନ୍ତି ସବୁ ମଦରେ ସରିଯାଏ।ହେଲେ ସ୍ତ୍ରୀ କେବେ କିଛି କୁହନ୍ତିନାହିଁ। କିନ୍ତୁ ବଡ ଝିଅ ଏସବୁ ଦେଖି ସହି ନ ପାରି ବାପାକୁ ବେଳେ ବେଳେ ରାଗି ଉଚ୍ଚ ପାଟିରେ ଘରର ପରିସ୍ଥିତି ଉପରେ ଅବଗତ କରେ। ତେଣୁ ବନମାଳୀ ରାଗିଯାଇ ଘରୁ ବାହାରି ଯାଏ। ବର୍ଷ ବର୍ଷ ଧରି ଘରକୁ ଆସେନି। ଝିଅ ଓ ସ୍ତ୍ରୀ ପତ୍ର ସଂଗ୍ରହ କରି ଖଲି ଦନା ତିଆରି କରି ଦୁଖେ କଷ୍ଟରେ ପରିବାର ଚଳାନ୍ତି। ଏହା ସାଙ୍ଗକୁ ବନମାଳୀକୁ ଖୋଜି ଖୋଜି ନ ପାଇଲେ ଗୁଣିଆ ପାଖକୁ ଯାଇ ପଚାରନ୍ତି ବୋଲି ବଡ ଝିଅ ପ୍ରକାଶ କରନ୍ତି। ଆଗରୁ ଏମିତି ଅନେକ ଥର ସେ ଘରୁ ଚାଲିଯାଏ ଓ ପୁଣି ବର୍ଷେ ଦୁଇ ବର୍ଷ ପରେ ଫେରିଆସେ। ଏ ଥର ବି ଝିଅ ମଦ ନ ପିଇ ପରିବାର କଥା ଚିନ୍ତା କରିବାକୁ ବାପାଙ୍କୁ କହିବାରୁ ସେ ରାଗିଯାଇ ଏକମୁହାଁ ହୋଇ ଘରୁ ବାହାରି ଯାଇଥିଲା କିନ୍ତୁ ଶେଷଥର ପାଇଁ। ପୁଅ, ଝିଅ ଓ ସ୍ତ୍ରୀଙ୍କ ମନରେ ଆଶା ଥିଲା ପ୍ରତି ଥର ପରି ବନମାଳୀ କିଛି ଦିନ ପରେ ଫେରିଆସିବେ। ହେଲେ ସେ ଆଉ ଫେରିଲେନି। ସବୁଦିନ ପାଇଁ ଘରୁ ବାହାରି ଯାଇଥିଲା ଜୀବନର ଶେଷ ଯାତ୍ରା ପାଇଁ। ପରିବାରରେ ଏବେ ଦୁଇ ଦୁଇଟି ବଢ଼ିଲା ଝିଅ। ଅର୍ଥ ଅଭାବରୁ ପାଠ ନ ପଢ଼ି ଘରେ ଅଛନ୍ତି। ଝିଅମାନେ ତ ପାଠ ପଢ଼ିପାରିଲେନି ପୁଅ ହେଲେ କିଛି ପଢ଼ିବ ଭାବି ଏବେ ଯୁକ୍ତ ଦୁଇରେ ପ୍ରଥମ ବର୍ଷରେ ତାର ନାମ ଲେଖା ହୋଇଛି। ତେବେ କେଉଁ କାରଣରୁ ବନମାଳୀ ମୃତ୍ୟୁ ଘଟିଛି ତାହା ବ୍ୟବଚ୍ଛେଦ ପରେ ଜଣା ପଡ଼ିବ। ହତ୍ୟା ନା ଆତ୍ମ ହତ୍ୟା ତାହା ଏବେ ସନ୍ଦେହ ଘେରରେ ରହିଛି। ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories