ଭୁବନେଶ୍ୱର: ଶିକ୍ଷା ଅଧିକାର ଆଇନ(ଆରଟିଇ) ଅଧୀନରେ ଆର୍ଥିକ ଦୁର୍ବଳ ତଥା ଗରିବ ଛାତ୍ରଛାତ୍ରୀଙ୍କୁ ଘରୋଇ ବିଦ୍ୟାଳୟରେ ନାମଲେଖା ପାଇଁ ସୁଯୋଗ ଦିଆଯିବ। ତେବେ ନାମଲେଖା ପାଇଁ ଚାଲିଥିବା ପଞ୍ଜୀକରଣ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଆରଟିଇ ପାରଦର୍ଶୀ ପୋର୍ଟାଲରେ ଯେଉଁ ବିଦ୍ୟାଳୟ ପଞ୍ଜୀକରଣ କରିନାହାନ୍ତି, ସେମାନଙ୍କୁ ଆଉ ଏକ ସୁଯୋଗ ପ୍ରଦାନ କରାଯାଇଛି। ତେବେ ବିଦ୍ୟାଳୟଗୁଡ଼ିକୁ ଶେଷ ସୁଯୋଗ ପ୍ରଦାନ କରାଯାଇଛି। ଏହି ଅବଧିରେ ନାମ ପଞ୍ଜୀକରଣ ନକଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଚଳିତ ମାସ ୩୧ ତାରିଖ ସୁଦ୍ଧା ବିଦ୍ୟାଳୟଗୁଡ଼ିକ www.rteparadarshi.odisha.gov.in ପୋର୍ଟାଲରେ ନାମ ପଞ୍ଜୀକରଣ କରିପାରିବେ। ଧାର୍ଯ୍ୟ ସମୟ ମଧ୍ୟରେ ଯେଉଁ ବିଦ୍ୟାଳୟଗୁଡ଼ିକ ପଞ୍ଜୀକରଣ କରିବେନି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ରଘୁରାମ ଆର ଆୟାର ନିର୍ଦେଶ ଦେଇଛନ୍ତି। ଯେଉଁ ଘରୋଇ ବିଦ୍ୟାଳୟ ମେ’ ୩୧ ଭିତରେ ପଞ୍ଜୀକରଣ ନ କରିବେ ସେମାନଙ୍କ ସିଓଆର (ସାର୍ଟିଫିକେଟ୍ ଅଫ୍ ରେକୋଗ୍ନେସନ) ପ୍ରତ୍ୟାହାର କରାଯିବ। ଏ ଦିଗରେ ସଂପୃକ୍ତ ଜିଲାର ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ନିର୍ଦେଶ ଦେବାକୁ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ କୁହାଯାଇଛି। ସେହିପରି ଛାତ୍ରଛାତ୍ରୀ ମଧ୍ୟ ଆସନ୍ତା ୩୧ ପର୍ଯ୍ୟନ୍ତ ଆବେଦନ କରିପାରିବେ।



