ଭୁବନେଶ୍ବର : ରାଜ୍ୟରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣକୁ ଆସିଛି। ପୂର୍ବରୁ ଉପକୂଳ ଅଞ୍ଚଳରେ ଅଧିକ ସଂଖ୍ୟକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବାବେଳେ ଏବେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏବେ ସୀମାନ୍ତବର୍ତ୍ତୀ ଜିଲାରେ ସଂଖ୍ୟା ବୃଦ୍ଧି ହେଉଛି। ଗତ ୭ ବର୍ଷ ମଧ୍ୟରେ ଚଳିତବର୍ଷ ସର୍ବାଧିକ ୪୬,୧୪୬ ନମୁନା ପରୀକ୍ଷଣ କରାଯାଇଛି। ଯେପରି ଅଧିକରୁ ଅଧିକ ପରୀକ୍ଷଣ କରାଯିବ ସେଥିପାଇଁ ଗୁରୁତ୍ବ ଦିଆଯାଇଛି। ପୂର୍ବରୁ ରାଜ୍ୟରେ ୩୭ଟି କେନ୍ଦ୍ରରେ ଡେଙ୍ଗୁ ନମୁନା ପରୀକ୍ଷା କରାଯାଉଥିବାବେଳେ ଏବେ ଏଥିରେ ଆଉ ତିନି କେନ୍ଦ୍ର ଯୋଡ଼ି ହେବାକୁ ଯାଉଛି। ନୂଆକରି ତାଳଚେର, ଗୁଣପୁର ଏବଂ ଆରଜିଏଚ୍ରେ ଏଣିକି ଡେଙ୍ଗୁ ପରୀକ୍ଷା କରାଯିବ ବୋଲି ଜଣାପଡିଛି।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ ମୁକାବିଲା ନିମନ୍ତେ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ଆଶାକର୍ମୀଙ୍କ ଦ୍ବାରା ସଚେତନତା ସହିତ ନିଧି ମଉସା ରଥ ମଧ୍ୟ ଏ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହାସହିତ ନିୟମିତ କାର୍ଯ୍ୟକ୍ରମ ବି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ରହିଛି। ଯଦିଓ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି କିନ୍ତୁ ସୀମାନ୍ତ ଜିଲାରେ ଡେଙ୍ଗୁ ଚିନ୍ତା ବଢାଉଛି। ବିଶେଷ କରି ବାଲେଶ୍ବର, ରାୟଗଡା, ମାଲକାନଗିରି, କୋରାପୁଟ ପରି ସୀମାନ୍ତ ଜିଲା ସହିତ ଖୋର୍ଦ୍ଧାରେ ସଂକ୍ରମଣ ଅଧିକ ରହିଛି। ୨୦୧୬ରୁ ୨୦୨୨ ମଧ୍ୟରେ ଚଳିତ ବର୍ଷ ସର୍ବାଧିକ ଡେଙ୍ଗୁ ନମୁନା ପରୀକ୍ଷା କରାଯାଇଛି। ଅଧିକ ସଂଖ୍ୟାରେ ନମୁନା ପରୀକ୍ଷା କରାଯାଇଥିବାବେେଳ ଗତବର୍ଷ ତୁଳନାରେ କମ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଖୋର୍ଦ୍ଧା ଜିଲାରୁ ଅଧା ରୋଗୀ ରହିଛନ୍ତି। ଏହାବ୍ୟତୀତ ଚଳିତ ବର୍ଷ ଡେଙ୍ଗୁରେ କାହାର ମୃତ୍ୟୁ ହୋଇ ନ ଥିବା ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ଗୋଷ୍ଠୀସ୍ତରରେ ପ୍ରାୟ ୭୦ ପ୍ରତିଶତ ରୋଗୀ ଚିହ୍ନଟ ହେଉଥିବାବେଳେ ୩୦ ପ୍ରତିଶତ ଚିକିତ୍ସାଳୟରେ ଚିହ୍ନଟ ହେଉଛନ୍ତି। ଡେଙ୍ଗୁ ପ୍ରତିହତ ନିମନ୍ତେ ତୃଣମୂଳସ୍ତରରୁ ପଦକ୍ଷେପ ଗ୍ରହଣ କରାଯାଉଥିବା ଯୋଗୁଁ ସ୍ଥିତିରେ ସୁଧାର ଆସୁଛି। ଚଳିତ ବର୍ଷ ଖୋର୍ଦ୍ଧାରୁ ସର୍ବାଧିକ ୧୪,୪୫୩ ପରୀକ୍ଷା କରାଯାଇଥିବାବେଳେ ସବୁଠୁ ଅଧିକ ୨୯୩୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦ୍ବିତୀୟରେ ରହିଛି ରାୟଗଡା। ଏହି ଜିଲାରୁ ୪୯୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି କୋରାପୁଟରୁ ୪୬୫, ପୁରୀ ୩୪୧, ବାଲେଶ୍ବର ୩୨୩, ମାଲକାନଗିରି ୨୪୪ ଏବଂ ନୟାଗଡରୁ ୨୦୩ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଡେଙ୍ଗୁ : ଉପକୂଳରେ ଛାଡୁଛି, ସୀମାନ୍ତରେ ମାଡୁଛି
Popular Categories



