ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କୁ କମ୍ ବୀମା ରାଶି ମିଳିବା ତଥା ବୀମା ରାଶି ପ୍ରଦାନରେ ବିଳମ୍ବ ନେଇ ଓଡ଼ିଶା ସରକାରଙ୍କ ଉପରେ ଦୋଷ ଲଦିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ବରଗଡ଼ ଜିଲାରେ ଫସଲବୀମା ଯୋଜନାର କାର୍ଯ୍ୟକାରିତା, ଓଡ଼ିଶା ସରକାରଙ୍କ ଅଧିକାରୀଙ୍କ ଦ୍ୱାରା ତୃଟିପୂର୍ଣ୍ଣ ଶସ୍ୟ କାଟ ପରୀକ୍ଷଣ ଏବଂ ଏହି ବୀମା ଯୋଜନାରେ ଘରୋଇ ବୀମା କମ୍ପାନୀଗୁଡ଼ିକ ଦ୍ୱାରା ଅବଲମ୍ବନ କରାଯାଉଥିବା ଅସାଧୁ ଉପାୟର ତଦନ୍ତ ଦାବୀରେ ବୁଧବାର ସ୍ଥାନୀୟ କୃଷି ଭବନ ଠାରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟି ଆଲୋଚନା କରିଛନ୍ତି। ଚାଷୀଙ୍କୁ କମ୍ ବୀମା ରାଶି ମିଳିବା ତଥା ବୀମା ରାଶି ପ୍ରଦାନରେ ବିଳମ୍ବ ପ୍ରସଙ୍ଗରେ କେନ୍ଦ୍ର କୃଷି ମନ୍ତ୍ରୀ ତୋମାର କହିଛନ୍ତି ଯେ ବୀମା କମ୍ପାନୀ ମନୋନୟନ କେନ୍ଦ୍ର ସରକାରଙ୍କ ଦ୍ୱାରା ନୁହେଁ, ରାଜ୍ୟ ସରକାର ହିଁ କରନ୍ତି। ରାଜ୍ୟ ସରକାରଙ୍କ କାମ ପ୍ରାକୃତିକ ବିପର୍ଯ୍ୟୟ ପରେ ତୁରନ୍ତ କ୍ଷୟକ୍ଷତି ଆକଳନ କରି ବୀମା କମ୍ପାନୀକୁ ରିପୋର୍ଟ ପ୍ରଦାନ କରିବେ। ରାଜ୍ୟ ସରକାରଙ୍କ ରିପୋର୍ଟ ଏବଂ ବୀମା କମ୍ପାନୀର ରିପୋର୍ଟ ସମାନ ରହିଲେ ବୀମା ରାଶି ପ୍ରଦାନରେ କେନ୍ଦ୍ର ସରକାରଙ୍କ କୌଣସି ଭୂମିକା ରହିବ ନାହିଁ। ଯେତେବେଳେ କିଛି ସମସ୍ୟା ଉପୁଜିବ, ସେତେବେଳେ କେନ୍ଦ୍ର ସରକାର ସମସ୍ୟାର ସମାଧାନ ଲାଗି ହସ୍ତକ୍ଷେପ କରନ୍ତି। ବରଗଡ଼ରେ ବହୁ ଚାଷୀଙ୍କୁ ବୀମା ରାଶି ମିଳିବା ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ଏକ ରାଜନୈତିକ ପ୍ରସଙ୍ଗ ନକରିବାକୁ କେନ୍ଦ୍ର କୃଷି ମନ୍ତ୍ରୀ ତୋମାର ଆହ୍ୱାନ କରିଥିଲେ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟ ସରକାର ମାଗିବା ପୂର୍ବରୁ କେନ୍ଦ୍ର ସରକାର ନିଜ ଅଂଶଧନ ପ୍ରଦାନ କରିଥାନ୍ତି। ରାଜ୍ୟ ସରକାରଙ୍କ ଠାରୁ ଆବଶ୍ୟକୀୟ କାଗଜପତ୍ର ମିଳିଳେ କେନ୍ଦ୍ରକୁ ଅନୁଦାନ ଦେବା ଲାଗି ଘଣ୍ଟାଏ ମଧ୍ୟ ସମୟ ଲାଗେ ନାହିଁ। ଏହି ବୀମା ଯୋଜନା ଚାଷୀଙ୍କ ସୁରକ୍ଷା ଲାଗି ଏକ ବିଶେଷ କବଚ। ଦେଶରେ ଏହି ଯୋଜନାରେ ଅଦ୍ୟାବଧି ୧ ଲକ୍ଷ ୨୪ ହଜାର କୋଟି ବୀମା ରାଶି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ଅଞ୍ଚଳରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଦିଆଯାଇଛି ବୋଲି ଶ୍ରୀ ତୋମାର କହିଥିଲେ।
ଚାଷୀଙ୍କୁ କମ୍ ବୀମା ରାଶି ମିଳିବା ବିଷୟରେ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୨୧ ଖରିଫ ଋତୁରେ ଓଡ଼ିଶା ସରକାରଙ୍କ ଦ୍ୱାରା ବରଗଡ଼ ଜିଲାର ପଦ୍ମପୁର, ଝାରବନ୍ଧ, ଗାଇସିଲେଟ, ବିଜେପୁର, ସୋହଲା ଏବଂ ପାଇକମାଳ ବ୍ଲକରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଦାୟିତ୍ୱ ଘରୋଇ ବୀମା କମ୍ପାନୀ ଏଚଡିଏଫସି ଏଗ୍ରୋ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ଼କୁ ଦିଆଯାଇଥିଲା। ତେବେ ଉପୁଜି ଥିବା ମରୁଡ଼ି ପରିସ୍ଥିତିରେ ଓଡ଼ିଶା ସରକାରଙ୍କ ଅଧିକାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତ୍ରୁଟିପୂର୍ଣ୍ଣ ଶସ୍ୟକାଟ ପରୀକ୍ଷଣ (ସିସିଇ) ତଥ୍ୟ ଏବଂ ବୀମା କମ୍ପାନୀ ଦ୍ୱାରା ଉକ୍ତ ଅମଳ ତଥ୍ୟରେ ଅମେଳ ହେତୁ ଚାଷୀମାନଙ୍କୁ ଆଶାତୀତ ବୀମା ରାଶି ତୁଳନାରୁ କମ୍ ରାଶି ପୈଠ କରାଯାଇଛି। ଘରୋଇ ବୀମା କମ୍ପାନୀ ଏବଂ ସରକାରୀ ଅଧିକାରୀଙ୍କ ଅସାଧୁ ମେଣ୍ଟ ଯୋଗୁଁ ବୀମା କମ୍ପାନୀଗୁଡ଼ିକୁ ସୁହାଇବା ପାଇଁ ଉପଯୁକ୍ତ ଜ୍ଞାନକୌଶଳର ବ୍ୟବହାର ବିନା ଅବୈଜ୍ଞାନିକ ଭାବେ ଶସ୍ୟକାଟ ପରୀକ୍ଷଣ କରାଯାଇଛି। ଫଳସ୍ୱରୁପ କେତେକ ଗ୍ରାମ ପଞ୍ଚାୟତରେ ୭୬.୫୬ ପ୍ରତିଶତ ହାରରେ ବୀମା ରାଶି ଆଶା କରାଯାଉଥିବା ବେଳେ ମାତ୍ର ୫ ପ୍ରତିଶତ ହାରରେ ବୀମା ରାଶି ପୈଠ ହୋଇଛି। ଶସ୍ୟ କାଟ ପରୀକ୍ଷଣ ବେଳେ ସ୍ଥାନୀୟ ପ୍ରଶାସନର ଅପାରଗତା ଏବଂ ଏଚଡିଏଫସି ଏର୍ଗୋ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀର ଚଞ୍ଚକତାର ଏକାଧିକ ଉଦାହରଣ ବିଷୟରେ ଶ୍ରୀ ପ୍ରଧାନ ଅବଗତ କରାଇଥିଲେ।
କମ୍ପାନୀ ବାଛନ୍ତି ରାଜ୍ୟ ସରକାର : ତୋମାର
Popular Categories



