ବ୍ରହ୍ମପୁର : ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଖୋଲାଖୋଲି ରାଗିଂ କରାଯାଇଛି। ଏକାଧିକ ଛାତ୍ର ମହାବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀଙ୍କୁ ସର୍ବସମ୍ମୁଖରେ ଦୁର୍ବ୍ୟବହାର ଏବଂ ଅସଦାଚରଣ କରିଛନ୍ତି। ଛାତ୍ରୀଙ୍କୁ ରାଗିଂ ବେଳର ଦୃଶ୍ୟ ଭାଇରାଲ ହେବା ପରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ତ୍ବରିତ ପଦକ୍ଷେପ ନେଇଛନ୍ତି। ଆରକ୍ଷୀ ଅଧିକ୍ଷକ ଡା ଶର୍ବଣା ବିବେକ ଏମ୍ଙ୍କ ନିର୍ଦେଶରେ ବଡବଜାର ଥାନା ପୁଲିସ ତୁରନ୍ତ ୨ଜଣ ଛାତ୍ରଙ୍କୁ ଗିରଫ କରିବା ସହ ଅନ୍ୟ ୩ ଜଣ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଗିରଫ ଦୁଇ ଛାତ୍ର ହେଲେ ହରିଡାଖଣ୍ଡି ଶାନ୍ତିନଗରର ଅଭିଶେକ ନାହାକ (୨୪) ଓ ବାବୁଲା ପଣ୍ଡା(୧୮) । ଏହି ଦୁଇ ଛାତ୍ରଙ୍କୁ କଲେଜରୁ ସବୁଦିନ ପାଇଁ ବହିଷ୍କାର କରିବାକୁ ପୁଲିସ ପକ୍ଷରୁ କଲେଜ କର୍ତ୍ତୃପକ୍ଷଙ୍କୁ ସୁପାରିସ କରାଯାଇଥିବା ବେଳେ ରାଗିଂରେ ସମ୍ପୃକ୍ତ ଅନ୍ୟ ଛାତ୍ରଛାତ୍ରୀଙ୍କୁ ୧ ବର୍ଷ ପାଇଁ କଲେଜରୁ ନିଲମ୍ବନ କରିବାକୁ ପୁଲିସ ସୁପାରିସ କରିଛି। ମହାବିଦ୍ୟାଳୟର ଶୃଙ୍ଖଳା ଓ ଆଣ୍ଟି ରାଗିଂ କମିଟି ବୈଠକ ବସି ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରମିଳା ଖାଡଙ୍ଗା କହିଛନ୍ତି।
ସୂଚନା ପ୍ରକାରେ, ମଙ୍ଗଳବାର ଅପରାହ୍ଣରେ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ପରିସରରେ ଜଣେ ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ରୀଙ୍କୁ କିଛି ଛାତ୍ର ଓ ଛାତ୍ରୀ ଘେରି ଯାଇ ରାଗିଂ କରିଥିଲେ। ଏହି ମହାବିଦ୍ୟାଳୟର ଯୁକ୍ତତିନି ଶେଷ ବର୍ଷରେ ପଢୁଥିବା ଅଭିଶେକଙ୍କ ନିର୍ଦେଶରେ ଯୁକ୍ତଦୁଇ ଦ୍ବିତୀୟ ବର୍ଷରେ ପଢୁଥିବା ବାବୁଲା ପୀଡ଼ିତା ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ଅଭିଶେକ ନିଜ ହାତରେ ଏକ ପାଇପ ଧରି ରାଗିଂର ମୁଖ୍ୟ କାର୍ପଟଦାର ସାଜିଥିଲେ। ସେହି ସମୟରେ ପାଖାପାଖି ୧୫ ଜଣ ଛାତ୍ରଛାତ୍ରୀ ସେଠାରେ ଉପସ୍ଥିତ ରହି ମଜା ଦେଖୁଥିଲେ। ଅଭିଶେକଙ୍କ ନିର୍ଦେଶରେ ବାବୁଲା ପୀଡ଼ିତା ଛାତ୍ରୀଙ୍କ ଶରୀରର ବିଭିନ୍ନ ସ୍ଥାନକୁ ବାରମ୍ବାର ସ୍ପର୍ଶ କରୁଥିଲେ। ବେଶ କିଛି ସମୟ ଧରି ଏହି ଦୃଶ୍ୟ ଲାଗି ରହିଥିଲା। ଏପରିକି ଏହା ଏକପ୍ରକାର ବିବାହ ଏବଂ ଏହି ସମୟର ଦୃଶ୍ୟକୁ ସମସ୍ତେେ ଉପଭୋଗ କର ବୋଲି ଅଭିଶେକ କହିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ। ରାଗିଂର ଶିକାର ପୀଡ଼ିତା ଛାତ୍ରୀ ଜଣଙ୍କ ସେଠାରୁ ଉଠି ଚାଲି ଯିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଅଭିଶେଷ ତାଙ୍କୁ ଡାରାଇ ଧମକାଇ ସେଠାରେ ଜୋରଜବରଦସ୍ତ ବସାଉଥିଲେ। ଏହି ସମୟର ସେଠାରେ ଉପସ୍ଥିତ ଛାତ୍ରଛାତ୍ରୀ ମୋବାଇଲରେ ଭିଡିଓ ଉତ୍ତୋଳନ କରି ମଜା ନେଉଥିଲେ। ବୁଧବାର ଏହି ଘଟଣାର ଦୃଶ୍ୟ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲାା ଭିଡିଓ ଭାଇରାଲ ପରେ ବ୍ରହ୍ମପୁର ଏସ୍ପି ଶର୍ବଣା ବିବେକ ଏମ୍ ଘଟଣାକୁ ଗୁରୁତର ସହ ନେଇ ରାଗିଂରେ ସମ୍ପୃକ୍ତ ଛାତ୍ରଙ୍କୁ ତୁରନ୍ତ କାବୁ କରିବାକୁ ବଡବଜାର ଥାନା ପୁଲିସକୁ ନିର୍ଦେଶ ଦେଇଥିଲେ। ପୁଲିସ ଘଟଣାରେ ସମ୍ପୃକ୍ତ ୫ ଜଣ ଛାତ୍ରଙ୍କୁ ଥାନାକୁ ନେଇ ପଚରାଉରା କରିବା ପରେ ମୁଖ୍ୟ କାର୍ପଟଦାର ଅଭିଶେକ ଓ ବାବୁଲାଙ୍କୁ ଗିରଫ କରିଥିଲା। ସେହିପରି ରାଗିଂ ଘଟଣାରେ ସମ୍ପୃକ୍ତ ଅନ୍ୟ ୩ ଜଣ ଛାତ୍ରଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା ଜାରି ରହିଛି ବୋଲି ବଡବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି। ପୂର୍ବରୁ ମଧ୍ୟ ଅଭିଶେକ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରି ହତ୍ୟା ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିଲେ। ବର୍ତ୍ତମାନ ତାଙ୍କ ନାମରେ ପୁଣି ଥରେ ଅପରାଧିକ ମାମଲା ରୁଜୁ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ କହିଛନ୍ତି।
ଗୁରୁବାର ମହାବିଦ୍ୟାଳୟ ଶୃଙ୍ଖଳା କମିଟି ତଥା ଆଣ୍ଟି ରାଗିଂ କମିଟି ବୈଠକ ବସିବ । କମିଟିରେ ଯାହା ନିଷ୍ପତ୍ତି ହେବ ସେହି ଅନୁଯାୟୀ ଅଭିଶେକ ଓ ବାବୁଲା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ପ୍ରମିଳା ଖାଡଙ୍ଗା କହିଛନ୍ତି। ମହାବିଦ୍ୟାଳୟ ପରିସରରେ ପୂର୍ବରୁ ମଧ୍ୟ ଅଭିଶେକ ବିଶୃଙ୍ଖଳା କରୁଥିବାରୁ ତାଙ୍କ ଅଭିଭାବକଙ୍କୁ ଡାକି ଦୁଇଥର ତାଗିଦ କରାଯାଇଥିଲା ବୋଲି ଅଧ୍ୟକ୍ଷା ଡ. ଖାଡଙ୍ଗା କହିଛନ୍ତି । ଛାତ୍ରୀଙ୍କୁ ଖୋଲା ରାଗିଂ ଘଟଣା ପରେ ମହାବିଦ୍ୟାଳୟରେ ଅନ୍ୟ ଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛିା ଏପଟେ ମହାବିଦ୍ୟାଳୟ ପିଅନ, ୱାଚମ୍ୟାନ ଭଳି ବିଭିନ୍ନ ବର୍ଗର କର୍ମଚାରୀ ପଦ ଖାଲି ପଡ଼ିଥିବା ବେଳେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଛାତ୍ରଙ୍କ ଦୌରାତ୍ମ୍ୟ ବଢି ଚାଲିଛି ।
ସର୍ବସମ୍ମୁଖରେ କଲେଜ ଛାତ୍ରୀଙ୍କୁ ରାଗିଂ
Popular Categories



