ଦେବଗଡ଼: ଅତୀତରେ ମନରେଗା ଦୁର୍ନୀତି ଠାରୁ ଆରମ୍ଭ କରି ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ଅର୍ଥ ଆତ୍ମସାତ ଆଦି ଦୁର୍ନୀତି ପାଇଁ ବିବାଦୀୟ ହୋଇପଡିଥିବା ବାରକୋଟ ବ୍ଲକ ଅନ୍ତର୍ଗତ ଦଣ୍ଡାସିଂହା ଗ୍ରାମ ପଞ୍ଚାୟତ ଏବେ ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥ କମିଶନ ଓ ଚତୁର୍ଥ ରାଜ୍ୟ ଅର୍ଥ କମିଶନ ଅର୍ଥର ଦୁରୁପଯୋଗ ଓ ଆତ୍ମସାତ ପାଇଁ ପୁଣିଥରେ ଚର୍ଚ୍ଚାକୁ ଆସିଛି। ତେବେ ସମସ୍ତ ସରକାରୀ ନୀତି ନିୟମକୁ ଉଲ୍ଲଙ୍ଘନ କରି ସ୍ପଷ୍ଟ ଦିବାଲୋକରେ ଉଭୟ ଅର୍ଥ କମିଶନ ଅର୍ଥକୁ ବିଭିନ୍ନ ସାମଗ୍ରୀ କ୍ରୟ ଏବଂ ମରାମତି ନାମରେ ବ୍ୟୟ କରାଯାଇଥିଲେ ମଧ୍ୟ ପଂଚାୟତ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଫଳରେ ସମ୍ପୃକ୍ତ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଏ ଘଟଣାରେ ସମ୍ପୃକ୍ତ ପଂଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀ ଓ ସରପଂଚଙ୍କ ଉପରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନିର୍ବାଚିତ ପ୍ରତିନିଧିଙ୍କର ଆଶୀର୍ବାଦ ଓ ସମର୍ଥନ ରହିଥିବାରୁ ସେମାନଙ୍କ ଉପରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହେଉଛି। ଏଣୁ ଏ ଘଟଣାର ଭିଜିଲାନ୍ସ ତଦନ୍ତ କରାଗଲେ ଉକ୍ତ ପଞ୍ଚାୟତରେ ହୋଇଥିବା ସମସ୍ତ ପ୍ରକାର ଦୁର୍ନୀତିର ପର୍ଦ୍ଦାଫାଶ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥ କମିଶନ ଓ ଚତୁର୍ଥ ରାଜ୍ୟ ଅର୍ଥ କମିଶନ ପାଣ୍ଠିରୁ ଅର୍ଥରୁ ଏଲ୍ଇଡି ଟିଭି, ସିସିଟିଭି କ୍ୟାମେରା, ଆଲମାରୀ ଓ ପମ୍ପସେଟ ଆଦି କ୍ରୟ କରିବାର ବିଧି ବ୍ୟବସ୍ଥା ନାହିଁ। ମାତ୍ର ପଞ୍ଚାୟତ ଆଇନକୁ ଉଲ୍ଲଙ୍ଘନ କରି ଦଣ୍ଡାସିଂହା ଗ୍ରାମ ପଂଚାୟତ କର୍ତ୍ତୃପକ୍ଷ ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥ କମିଶନ ଓ ଚତୁର୍ଥ ରାଜ୍ୟ ଅର୍ଥ କମିଶନ ଅର୍ଥରେ ଗତ ୨୦୧୮ ମସିହା ଫେବୃୟାରୀ ୨୮ ତାରିଖରେ ଅନୁଗୁଳ ଜିଲା ତାଳଚେର ହାଟତୋଟାରୁ ୪୬ ହଜାର ୪୦୦ ଟଙ୍କାରେ ସିସିଟିଭି କ୍ୟାମେରା କ୍ରୟ କରାଯାଇଛି। ୨୦୧୮ ମସିହା ମାର୍ଚ୍ଚ ୨୮ ତାରିଖରେ ଦେବଗଡ ସ୍ଥିତ ମହାନ୍ତି ଟ୍ରେଡର୍ସରୁ ୪୬ହଜାର ୫୦୦ ଟଙ୍କାରେ ଏକ ଏୟାର କଣ୍ଡିଶନର କିଣାଯାଇଛି। ଅନୁରୂପ ଭାବେ କଣ୍ଢଳ ସ୍ଥିତ ଗାୟତ୍ରୀ ଏଣ୍ଟର ପ୍ରାଇଜେସରୁ ୪୬ ହଜାର ୫୦୦ ଟଙ୍କାରେ ଏକ ଏଲଇଡି ଟିଭି କ୍ରୟ କରାଯାଇଛି। କେବଳ ଏତିକି ନୁହେଁ, ୨୦୧୮ ମସିହା ମାର୍ଚ୍ଚ ୩ ତାରିଖରେ ରିଆମାଳ ସ୍ଥିତ ଶ୍ରୀଗୁରୁ ଏଣ୍ଟର ପ୍ରାଇଜେସରୁ ୧୨ ହଜାର ଟଙ୍କା ବ୍ୟୟରେ ସବ ମର୍ସିବଲ ପମ୍ପ(ପେନାଲ ବୋର୍ଡ ଓ ଅନ୍ୟାନ୍ୟ ସାମଗ୍ରୀ)କ୍ରୟ କରାଯାଇଛି। ୩୦ ହଜାର ଟଙ୍କାରେ ୨ଟି ଷ୍ଟିଲ ଆଲମାରୀ, ୧୭୦୦ ଟଙ୍କାରେ ସିଲିଂ ଫ୍ୟାନ, ୨୮୩୨ ଟଙ୍କାର ବିଦ୍ୟୁତ ତାର, ୭୦୮ ଟଙ୍କାରେ ଏମ୍ସିବି, ୭୬୦ ଟଙ୍କାରେ ୪ଟି ଏଲ୍ଇଡି ବଲ୍ବ ଆଦି କ୍ରୟ କରାଯାଇଛି। ସିଏଫ୍ସି ଓ ଏସ୍ଏଫ୍ସି ପାଣ୍ଠିରୁ ଉପରୋକ୍ତ ସାମଗ୍ରୀ କ୍ରୟ କରିବାର କୌଣସି ନିୟମ ନଥିଲେ ମଧ୍ୟ ଦଣ୍ଡାସିଂହା ପଞ୍ଚାୟତର ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଯୁଗଳ କିଶୋର ସାହୁ ଓ ସରପଞ୍ଚ ଅମିତ କୁମାର ଦେହୁରୀ ସମସ୍ତ ନୀତି ନିୟମ ଉଲ୍ଲଙ୍ଘନ କରି ମନଇଚ୍ଛା ଅର୍ଥ ବ୍ୟୟ କରିବାସହ ମିଥ୍ୟା ବିଲ ଓ ଭାଉଚର କରିଥିବା ସାଧାରଣରେ ଆଲୋଚନା ହେଉଛି।
ଏଠାରେ ସୂଚନା ଯୋଗ୍ୟ ଯେ, ପ୍ରତ୍ୟେକ ମାସ ୧ ତାରିଖରୁ ୫ ତାରିଖ ମଧ୍ୟରେ ବିଡିଓଙ୍କ ଦ୍ୱାରା ସିଏଫ୍ସି ଓ ଏସ୍ଏଫ୍ସି ପାଣ୍ଠି ଖର୍ଚ୍ଚ ସମ୍ବନ୍ଧୀୟ ସମୀକ୍ଷା କରାଯିବା ସହ ବିଡିଓଙ୍କ ଦ୍ୱାରା ପ୍ରସ୍ତୁତ ସମୀକ୍ଷା ରିପୋର୍ଟ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯିବାର ସରକାରୀ ବିଧି ବ୍ୟବସ୍ଥା ରହିଛି। ଅନ୍ୟପକ୍ଷରେ ଗ୍ରାମ ସଭାରେ ସିଏଫ୍ସି ଓ ଏସ୍ଏଫ୍ସି ପାଣ୍ଠି ଖର୍ଚ୍ଚ ସମ୍ବନ୍ଧୀୟ ୟୁଟିଲାଇଜେସନ ସାର୍ଟିଫିକେଟ (ୟୁସି) ଅନୁମୋଦିତ ହେବାପରେ ଡିପିଓଙ୍କ ନିକଟକୁ ପଠାଯିବାର ବ୍ୟବସ୍ଥା ରହିଛି। ମାତ୍ର ଏ କ୍ଷେତ୍ରରେ କୌଣସି ପ୍ରକାର ମାର୍ଗଦର୍ଶିକାକୁ ଅନୁସରଣ କରାନଯାଇ ଘୋର ବ୍ୟତି କ୍ରମ ଦେଖାଦେଇଛି। ଫଳରେ ଏହି ଅନିୟମିତତା ଘଟଣାରେ ପଂଚାୟତ ନିର୍ବାହୀ ଅଧିକାରୀ ଓ ସରପଂଚଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କ ପର୍ୟ୍ୟନ୍ତ ପ୍ରାୟ ସମସ୍ତଙ୍କର ସମ୍ପୃକ୍ତି ରହିଥିବା ସନ୍ଦେହ କରାଯାଉଛି। ସେହିପରି ୨୦୧୭-୧୮ ଆର୍ଥୀକ ବର୍ଷରେ କେତେକ ପାଉଣା ପଡିରହିଥିବାରୁ ୟୁସି ପ୍ରଦାନ କରାଯାଇପାରିନାହିଁ। କେବଳ ଏତିକି ନୁହେଁ, ନଳକୂପ ମରାମତି ନାମରେ ଏକାଧିକ ମିଥ୍ୟା ବିଲ କରାଯାଇ ଅର୍ଥ ଅତ୍ମସାତ କରାଯାଇଥିବା ଜଣାପଡିଛି। ନଳକୂପ ଯନ୍ତ୍ରାଂଶ କିଣିବା ପାଇଁ କ୍ରୟ କମିଟୀ ରହିଥିଲେ ହେଁ, କ୍ରୟ କମିଟୀର ଅଜାଣତରେ ୨୦୧୭-୧୮ ଆର୍ଥୀକ ବର୍ଷରେ ରାଉରକେଲାର କୋଶଳ ଉଦ୍ୟୋଗରୁ ୨ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ମୂଲ୍ୟର ନଳକୂପ ଯନ୍ତ୍ରାଂଶ କ୍ରୟ କରାଯାଇଛି। ଏଣୁ ଏ ଘଟଣାରେ ମଧ୍ୟ ସରପଂଚ ଓ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ଭୁମୀକା ସନ୍ଦେହ ଘେରରେ ରହିଛି। ଏଣୁ ଏ ଘଟଣାର ଭିଜିଲାନ୍ସ ତଦନ୍ତ କରାଯାଇ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି। ଏହି ଅନିୟମିତତା ସମ୍ପର୍କରେ ମତାମତ ପାଇଁ ଦଣ୍ଡାସିଂହା ଗ୍ରାମ ପଂଚାୟତର ତତ୍କାଳୀନ ପଂଚାୟତ ନିର୍ବାହୀ ଅଧିକାରୀ ଯୁଗଳ ସାହୁଙ୍କ ମତାମତ ଲୋଡିବା ନିମନ୍ତେ ମୋବାଇଲରେ ଯୋଗାଯୋଗ କରାଯାଇଥିଲା।ମାତ୍ର ସେ କଲ ରିସିଭ ନକରିବାରୁ ଏହା ସମ୍ଭବ ହୋଇନାହିଁ। ସରପଂଚ ଶ୍ରୀ ଦେହୁରୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ଉପରୋକ୍ତ ସାମଗ୍ରୀ ଓ ଉପକରଣ ଗୁଡିକ ସିଏଫ୍ସି ଓ ଏସ୍ଏଫ୍ସି ପାଣ୍ଠିରୁ କ୍ରୟ କରାଯାଇନଥିବା ପ୍ରକାଶ କରିବାସହ ସରକାରୀ ନୀତି ନିୟମ ଅନୁଯାୟୀ ପଂଚାୟତ ପାଣ୍ଠିରୁ କ୍ରୟ କରାଯାଇଛି ବୋଲି ଉତ୍ତର ଦେଇଛନ୍ତି। ଏ ସମ୍ପର୍କରେ ବାରକୋଟ ବ୍ଲକର ବିଡିଓ ଟୁନୁ ମେହେରଙ୍କ ମତାମତ ଲୋଡିବାରୁ ସେ ବାରକୋଟ ବ୍ଲକର ବିଡିଓ ଭାବେ ଯୋଗଦେବା ପୂର୍ବରୁ ଉପରୋକ୍ତ ସାମଗ୍ରୀ କ୍ରୟ ହୋଇଥିବା ଅଭିଯୋଗ ହୋଇଥିବାରୁ ଏ ସମ୍ପର୍କରେ ସେ କିଛି ଜାଣନ୍ତି ନାହିଁ ବୋଲି ସଫେଇ ଦେବାସହ ଯଦି ଏଭଳି ଅନିୟମିତତା ହୋଇଥାଏ ତେବେ ତଦନ୍ତ କରାଯାଇ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।



