ନୂଆଦିଲ୍ଲୀ: କରୋନା ମହାମାରୀ ଦିନକୁ ଦିନ ଅଧିକ ଘାତକ ହେବାରେ ଲାଗିଛି। ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଥିବାବେଳେ ଶନିବାର ସୁଦ୍ଧା ଏହା ୨.୩୪ ଲକ୍ଷ ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୩୪ ହଜାର ୬୯୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ଆଉ ୧୩୪୧ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି।
ଶନିବାର ତଥ୍ୟକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୪୫ ଲକ୍ଷ ୨୬ ହଜାର ୬୦୯କୁ ବୃଦ୍ଧି ପାଇଛି। ସେହିପରି ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୫ ହଜାର ୬୪୯ରେ ପହଞ୍ଚିଛି। ଦେଶରେ ଏବେ ୧୬ ଲକ୍ଷ ୭୯ ହଜାର ୭୪୦ ସକ୍ରିୟ ରୋଗୀ ରହିଥିବାବେଳେ ୧ କୋଟି ୨୬ ଲକ୍ଷ ୭୧ ହଜାର ୨୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଅନ୍ୟପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ୧୧ କୋଟି ୯୯ ଲକ୍ଷ ୩୭ ହଜାର ୬୪୧ ଜଣଙ୍କୁ କରୋନା ଟିକା ଦିଆଯାଇ ସାରିଛି। ଗତ କାଲି ୩୦ ଲକ୍ଷ ୪ ହଜାର ୫୪୪ ଜଣଙ୍କୁ ଟିକା ପ୍ରଦାନ କରାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।



