ନବରଙ୍ଗପୁର: ସାରାବିଶ୍ୱ ମହାମାରୀ କରୋନାର ନିୟନ୍ତ୍ରଣ ପାଇଁ ତାଲାବନ୍ଦକୁ ଉପଯୁକ୍ତ ପଦକ୍ଷେପ ଭାବେ ଲାଗୁ କରିଛନ୍ତି। ଆମ ଦେଶ ତଥା ରାଜ୍ୟ ଏହି ତାଲାବନ୍ଦକୁ ଲାଗୁ କରିଥିବା କାରଣରୁ ପ୍ରାୟ ସମସ୍ତ ଶ୍ରମିକ କର୍ମସଂସ୍ଥାନ ହରାଇ ଅତ୍ୟନ୍ତ ଦୁଃଖ ଓ କଷ୍ଟରେ ନିଜର ଜୀବନ ନିର୍ବାହ କରୁଛନ୍ତି। ଯାହାକି ଅଗାମୀ ଦିନରେ ଅନେକ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଆମ ରାଜ୍ୟ ଅନେକ ପ୍ରାକୃତିକ ସମ୍ପଦରେ ଭରପୁର ଥିଲେ ମଧ୍ୟ ଉପଯୁକ୍ତ ଯୋଜନା ପାଇଁ ରାଜନୈତିକ ଓ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ରାଜ୍ୟର ଲକ୍ଷଲକ୍ଷ ଶିକ୍ଷିତ ବେକାର ଓ ଶ୍ରମିକ ନିଯୁକ୍ତି ତଥା କର୍ମସଂସ୍ଥାନ ପାଇପାରୁ ନାହାନ୍ତି। ଯାହାଫଳରେ ପ୍ରବାସୀ ଶ୍ରମିକ ସଂଖ୍ୟା ବୃଦ୍ଧି ପାଇଛି। ବେରୋଜଗାରଙ୍କୁ ରୋଜଗାର ଓ ସହାୟତା ପ୍ରଦାନ ଦାବି କରି ସାରାଦେଶରେ ଭାରତୀୟ ମଜଦୂରସଂଘ (ବିଏମଏସ)ପକ୍ଷରୁ ଆନ୍ଦୋଳନ, ବିକ୍ଷୋଭ ଓ ଧାରଣା ମାଧ୍ୟମରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଜିଲା ଓ ବ୍ଳକସ୍ତରରେ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ନବରଙ୍ଗପୁର ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କର ଉଦ୍ଦେଶ୍ୟରେ ବିଡିଓ ଲଲିତ ମଣ୍ଡଳଙ୍କୁ ଭେଟି ଦାବି ପତ୍ରପ୍ରଦାନ କରାଯାଇଛି। ଦାବି ମଧ୍ୟରେ ପ୍ରବାସୀଶ୍ରମିକ ତଥା ବେକାର ଯୁବକ ଯୁବତୀ ମାନଙ୍କର ସର୍ବେକ୍ଷଣ କରାଯାଇ ଅନୁରୂପ ନିଯୁକ୍ତି ଓ କର୍ମସଂସ୍ଥାନ ଯୋଗାଇଦେବା, ଡାକ୍ତରଖାନା କର୍ମଚାରୀଙ୍କ ଭଳି ସମସ୍ତ ମହିଳା କରୋନା ଯୋଦ୍ଧା ଅଙ୍ଗନବାଡୀ କର୍ମୀ ଓ ଅଶାକର୍ମୀ ଓ ଆଶସାଥୀଙ୍କୁ ଦୈନିକ୫୦୦ ଟଙ୍କାକରେ।।ନ ସହାୟତା ଭତ୍ତା ପ୍ରଦାନ କରିବା, ଅର୍ଥଭାବ ଦର୍ଶାଇ କୈାଣସି ଠିକା ଓ ଅସ୍ଥାୟୀ କର୍ମଚାରୀଙ୍କୁ ଛଟେଇ କରାନଯାଉ , ବନ୍ଦ ରହିଥିବା ସମସ୍ତ ସରକାରୀ ନିଯୁକ୍ତି ତୁରନ୍ତ କରାଯିବା, ନିର୍ମାଣ ଶ୍ରମିକ, ବିଡି ଶ୍ରମିକ ଓ ଟ୍ୟାକ୍ସିଚାଳକ,ସ୍ୱରୋଗାରୀ ଓ ଉଠାଦୋକାନୀ ଇତ୍ୟାଦି ଅଣସଂଙ୍ଗଠିକତ ଶ୍ରମିକଙ୍କୁ ତାଲାବନ୍ଦ ସମୟରେ ମାସିକ ୨ହଜାର ଟଙ୍କା କରୋନା ସହାୟତା ରାଶି ପ୍ରଦାନ କରାଯିବା। ସମସ୍ତ ପ୍ରବାସୀ ଓ ଦାଦନ ଶ୍ରମିକଙ୍କୁ ନିଶ୍ଚିତ ପଞିକରଣ କରାଯିବା ଇତ୍ୟାଦି ଦାବି କରାଯାଇଛି। ଏହି ଦାବି ପତ୍ର ପ୍ରଦାନ ସମୟରେ ମଜଦୂର ସଂଘର ଜିଲା ସଭାପତି ବାଙ୍କ ବିହାରୀ ବିଷୋୟୀ, ସମ୍ପାଦକ ପରମେଶ୍ୱର ବିଷାୟୀ, ଜିଲା ଅଙ୍ଗନବାଡୀ ସଂଘ କୋଷାଧ୍ୟକ୍ଷା ମମତା ବ୍ରହ୍ମା, ଓଡିଶା କୋଠାବାଡୀ ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ମଜଦୂରସଂଘର ଜିଲା ସମ୍ପାଦକ ରାମ ବିଷୋୟୀ ପ୍ରମୂଖ ନେତୃତ୍ୱ ନେଇଥିଲେ।



