ନୂଆଦିଲ୍ଲୀ : କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭା ଲାଗି ମଧ୍ୟପ୍ରଦେଶରୁ ନିଦ୍ୱର୍ନ୍ଦ୍ୱରେ ଗୁରୁବାର ନିର୍ବାଚିତ ହୋଇଛନ୍ତି। ମଧ୍ୟପ୍ରଦେଶରୁ ଧର୍ମେନ୍ଦ୍ରଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଥାୱରଚନ୍ଦ ଗେହେଲଟ୍, ଅଜୟ ପ୍ରତାପ ସିଂହ ଓ କୈଳାଶ ସୋନି ବିଜେପିରୁ ନିର୍ବାଚିତ ହୋଇଥିବାବେଳେ ରାଜମଣି ପଟେଲ କଂଗ୍ରେସରୁ ରାଜ୍ୟସଭା ସଦସ୍ୟ ରୂପେ ନିର୍ବାଚିତ ହୋଇଛନ୍ତି। ମନୋନୟନ ପତ୍ର ପ୍ରତ୍ୟାହାରର ଶେଷଦିନରେ ଏମାନେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।
ରାଜସ୍ଥାନରେ ବିଜେପିର ତିନିଜଣ ପ୍ରାର୍ଥୀ ମଧ୍ୟ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ କିରୋରି ମୀନା, ଭୂପେନ୍ଦ୍ର ଯାଦବ, ମଦନଲାଲ ସୋନି ଅନ୍ୟତମ। ସେହିଭଳି ଗୁଜରାଟରୁ ୪ ଜଣ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ବିଜେପିରୁ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲା, ମନସୁଖଭାଇ ମାଣ୍ଡଭିୟା ଏବଂ କଂଗ୍ରେସର ନାରାନ ରାଥୱା ଓ ଅମି ୟାଗ୍ନିକ୍ ରହିଛନ୍ତି। ଉତ୍ତରପ୍ରଦେଶରୁ ଅନ୍ୟମାନଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ, ଅଶୋକ ବାଜପେୟୀ, ବିଜୟପାଲ୍ ସିଂହ ତୋମାର, ସକଳଦୀପ ରାଜବାହାର, କାନ୍ତା କର୍ଦମ, ଅନୀଲ ଜୈନ, ହରନାଥ ସିଂହ ଯାଦବ, ଜିଭିଏଲ ନରସିଂହା ରାଓ ଏବଂ ଅନୀଲ କୁମାର ଯାଦବ ବିଜେପିରୁ ନିର୍ବାଚିତ ହୋଇଥିବାବେଳେ ସମାଜବାଦୀ ପାର୍ଟିରୁ ଜୟା ବଚ୍ଚନ ଏବଂ ବିଏସପିରୁ ଭୀମରାଓ ଆମ୍ବେଦକର ରହିଛନ୍ତି।



