www.samajalive.in
Sunday, December 14, 2025
26.1 C
Bhubaneswar

‘ବିଜେପି ବୁଡ଼ି ବୁଡ଼ି ଯାଉଛି’

-ମେଣ୍ଟ ସମ୍ପର୍କରେ ଚିନ୍ତା କରିନୁ, -ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବନି

ଭୁବନେଶ୍ୱର : ବିଜେପି ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟରେ ବଡ଼ ଧରଣର ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ଏହି ଦଳ ପ୍ରତି ନବୀନ ପ୍ରଥମକରି ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିଛନ୍ତି। ବୁଧବାର ଉତ୍ତରପ୍ରଦେଶର ଦୁଇ ଲୋକସଭା ଓ ବିହାରର ତିନିଟି ବିଧାନସଭା ଉପନିର୍ବାଚନର ଫଳାଫଳ ସମ୍ପର୍କରେ ଗୁରୁବାର ଗଣମାଧ୍ୟମ ପ୍ରତିନିଧିମାନେ ନବୀନଙ୍କ ପ୍ରତିକ୍ରିୟା ଚାହିଁବାରେ ‘ବିଜେପି ତୀବ୍ର ବେଗରେ ବୁଡ଼ୁଛି’ ବୋଲି କହି ସେ ନୂଆ ରଣକୌଶଳର ସଂକେତ ଦେଇଛନ୍ତି। ଏଥିସହିତ ସେ ପୁରୁଣା କଥା- କୌଣସି ଦଳ ସହିତ ମେଣ୍ଟ ବିଷୟ ଚିନ୍ତା କରି ନଥିବା ବିଷୟକୁ ଦୋହରାଇଛନ୍ତି। ନବୀନଙ୍କ ଏହି ମନ୍ତବ୍ୟ ଜାତୀୟ ରାଜନୀତିରେ ମଧ୍ୟ ଶିରୋନାମା ପାଲଟିଛି। ପ୍ରାୟ ବର୍ଷକ ତଳେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିରୋଧୀ କଂଗ୍ରେସ, ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିକୁ ମାଟି ଚଟାଇଥିବା ବିଜେପି ବୁଧବାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଲୋକସଭା ଉପନିର୍ବାଚନରେ ପରାଜିତ ହେବା ପରେ ଏହାକୁ ନେଇ ଜାତୀୟ ରାଜନୀତିରେ ବେଶ ହଟଚମଟ ସୃଷ୍ଟି ହୋଇଛି। ବିଜେପିର ଗଡ଼ ଭାବେ ପରିଚିତ ଉଭୟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀରେ ପରାଜୟ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଶକ୍ତ ଧକ୍କା ଦେଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ସମ୍ପର୍କରେ ରଖିଥିବା ପ୍ରତିକ୍ରିୟା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ନିକଟରେ ଅନୁଷ୍ଠିତ ତିନିଟି ରାଜ୍ୟ ବିଧାନସଭା ନିର୍ବାଚନରେ ବିଜୟଲାଭ କରି ଉତ୍‌ଫୁଲ୍ଲିତ ବିଜେପି ଗୋରଖପୁର ଓ ଫୁଲପୁରରେ ଅନୁଷ୍ଠିତ ଉପନିର୍ବାଚନରେ ବିଏସପି ଓ ସମାଜବାଦୀ ପାର୍ଟି ମେଣ୍ଟ ଦ୍ୱାରା ପରାସ୍ତ ହେବା ଘଟଣା ଉପରେ ସାମ୍ବାଦିକମାନେ ତାଙ୍କର ପ୍ରତିକ୍ରି୍ରୟା ଜାଣିବାକୁ ଚାହିଁବାରୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ବିଜେପି ବୁଡ଼ୁଛି, ଦ୍ରୁତ ଗତିରେ ବୁଡ଼ି ବୁଡ଼ି ଯାଉଛି।’
ମୁଖ୍ୟମନ୍ତ୍ରୀଙ୍କ ଏଭଳି ଉତ୍ତରରେ ଉତ୍ସାହିତ ସାମ୍ବାଦିକମାନେ ବିଜେପି ବିରୋଧୀ ରାଜନୈତିକ ଦଳଗୁଡ଼ିକ ସହିତ ଅଗାମୀ ଦିନରେ ବିଜେଡି ମେଣ୍ଟ କରିବାର ଯୋଜନା ଅଛି କି ବୋଲି ପଚାରିବାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘କୌଣସି ଦଳ ସହିତ ମେଣ୍ଟ କରିବା ପାଇଁ ଆମେ ଏବେ ଚିନ୍ତା କରିନୁ; ସେଭଳି ସମୟ ଆସିନାହିଁ। ମେଣ୍ଟ ପ୍ରସଙ୍ଗ ନେଇ ଦଳର ଏବେ କୌଣସି ଯୋଜନା ରଖିନାହିଁ।’ ଏପରି କହି ସେ ମେଣ୍ଟ ପ୍ରସଙ୍ଗରେ ସିଧା ସଳଖ କିଛି କହିନାହାନ୍ତି।
୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ସହିତ ବିଜେଡିର ମେଣ୍ଟ ଥିଲା। ମେଣ୍ଟରୁ ଓହରିବା ପରେ କଂଗ୍ରେସ ଓ ବିଜେପିଠାରୁ ବିଜେଡି ସମଦୂରତା ବଜାୟ ରଖିଆସୁଥିବା ମୁଖ୍ୟମନ୍ତ୍ରୀ ବାରମ୍ବାର କହିଆସୁଛନ୍ତି। ବିଜେଡ଼ି ଆଗାମୀ ଦିନରେ ଜାତୀୟସ୍ତରର କୌଣସି ଦଳ ସହିତ ମେଣ୍ଟ କରିବା ନେଇ ଚର୍ଚ୍ଚା ଚାଲିଥିବାବେଳେ ବିଜେଡ଼ି ମୁଖିଆ ଏଥିନେଇ ସ୍ପଷ୍ଟ କରିନାହାନ୍ତି। ଏହି ପରିପ୍ରେକ୍ଷୀରେ ରାଜନୈତିକ ପାଣିପାଗକୁ ଦେଖି ଦଳ ଆଗକୁ ମେଣ୍ଟ ସମ୍ପର୍କରେ କୌଣସି ପ୍ରକାର ନିଷ୍ପତ୍ତି ନେବାର ସମ୍ଭାବନାକୁୁ ଏଡ଼ାଇ ଦିଆଯାଇ ନପାରେ।
ତେବେ ଓଡ଼ିଶାରେ କଂଗ୍ରେସର ଦୁର୍ବଳ ସ୍ଥିତିର ଫାଇଦା ନେଇ ବିଜେପି ଆଗକୁ ବଢ଼ିବାକୁ ଉଦ୍ୟମ କରୁଥିବାବେଳେ ଆଗାମୀ ଦିନରେ ବିଜେଡ଼ି ସହିତ ବିଜେପି ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତାକୁ ଆସିବାର ସମ୍ଭାବନା ରହିଛି। ସେ ଦୃଷ୍ଟିରୁ ବିଜେଡ଼ି ବିଜେପି ସହିତ ମେଣ୍ଟରେ ସାମିଲ ନ ହେଲେ ବି ବିଜେପି ବିରୋଧୀ ଶକ୍ତି ସହିତ ଯୋଗସୂତ୍ର ରଖିବା ନେଇ କଳ୍ପନାଜଳ୍ପନାକୁୁ ରାଜନୈତିକ ପର୍ଯ୍ୟବେକ୍ଷକ ଗୁରୁତ୍ୱ ଦେଉଛନ୍ତି।
ଅନ୍ୟପକ୍ଷରେ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଚାଲିଥିବା ଚର୍ଚ୍ଚା ଉପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ ଏବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ କୌଣସି ଯୋଜନା ନାହିଁ।
କିଛି ମନ୍ତ୍ରୀଙ୍କ ବିଭାଗ ଅଦଳବଦଳ ପରେ ରାଜ୍ୟରେ ଖାଲି ପଡ଼ିଥିବା ତିନି ମନ୍ତ୍ରୀପଦ ପୂରଣ ନେଇ ଚର୍ଚ୍ଚା ଜୋର ଧରିଥିଲା ଏବଂ କିଛି ଆଶାୟୀଙ୍କୁ ମନ୍ତ୍ରିପଦ ମିଳିପାରେ ବୋଲି ଦଳ ଭିତରେ ଆଲୋଚନା ହେଉଥିଲା। ତେବେ ବର୍ତ୍ତମାନ ପାଇଁ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ ନାହିଁ ବୋଲି କହିବା ପରେ ଏ ପ୍ରକାର ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories