ମାନ୍ୟତାରେ ସୀମିତ ଧରଣୀଧର ବିଶ୍ୱବିଦ୍ୟାଳୟ

୧୬୪ ଅଧ୍ୟାପକ ପଦ ଖାଲି,ସ୍ନାତକୋତ୍ତରରେ ନାହାନ୍ତି ଜଣେହେଲେ ଅଧ୍ୟାପକ

କେନ୍ଦୁଝରଗଡ଼ : ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପରେ ଚଳିତବର୍ଷ ଅଗଷ୍ଟ ୧ ତାରିଖରୁ ବିଶ୍ୱବିଦ୍ୟାଳୟ ଭାବେ କାର୍ଯ୍ୟକ୍ଷମ ହୋଇଆସୁଛି । ବିଶ୍ୱବିଦ୍ୟାଳୟ ଘୋଷଣା ସହ ଚଳିତ ଶିକ୍ଷାବର୍ଷ ଠାରୁ ଏଠାରେ ନୂତନ ଭାବେ ୧୩ଟି ବିଷୟରେ ସ୍ନାତକୋତ୍ତର ବିଭାଗକୁ ମିଶାଇ କଳାରେ ୧୦ଟି ବିଷୟରେ ୧୭୬ ସିଟ୍‌‌ ମଧ୍ୟରୁ ୧୬୩ଜଣ, ବିଜ୍ଞାନରେ ୬ଟି ବିଷୟରେ ୯୬ ସିଟ୍‌‌ ମଧ୍ୟରୁ ୮୯ଜଣ ଏବଂ ବାଣିଜ୍ୟରେ ୩୨ ସିଟ୍‌‌ ମଧ୍ୟରୁ ୩୨ଜଣଙ୍କୁ ମିଶାଇ ମୋଟ ୨୮୪ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ଶିକ୍ଷାଦାନ ଆରମ୍ଭ ହୋଇଛି । ପୂର୍ବରୁ କେବଳ ରାଜନୀତିବିଜ୍ଞାନ, ଭୂତତ୍ତ୍ୱ, ରସାୟନବିଜ୍ଞାନ ଓ ବାଣିଜ୍ୟକୁ ମିଶାଇ ୪ଟି ବିଷୟରେ ସ୍ନତକୋତ୍ତର ଶିକ୍ଷାଦାନ ଚାଲି ଆସୁଥିବା ବେଳେ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ୧୩ଟି ନୂତନ ବିଷୟରେ ସ୍ନାତକୋତ୍ତର ବିଷୟ ଖୋଲାଯାଇ ଚଳିତବର୍ଷ ଠାରୁ ନାମଲେଖା ଯାଇ ଶିକ୍ଷାଦାନ ହୋଇଆସୁଛି। ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ପୂର୍ବରୁ ୪ଟି ବିଷୟରେ ସ୍ନାତକୋତ୍ତର ଶିକ୍ଷାଦାନ ପାଇଁ ଜଣେହେଲେ ଅଧ୍ୟାପକ ନିଯୁକ୍ତି ହୋଇନଥିବା ବେଳେ ଚଳିତବର୍ଷ ଠାରୁ ନୂତନ ଭାବେ ଶିକ୍ଷାଦାନ ଆରମ୍ଭ ହୋଇଥିବା ସ୍ନାତକୋତ୍ର ଶିକ୍ଷାଦାନ ପାଇଁ ମଧ୍ୟ ଜଣେହେଲେ ଅଧ୍ୟାପକ ନିଯୁକ୍ତି ହୋଇନାହାନ୍ତି। ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅଧ୍ୟାପକ ପଦ ଖାଲି ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଆସୁଛି।
ସେହିଭଳି ସ୍ନାତକ ଶିକ୍ଷା ପାଇଁ କଳାରେ ୧୦୫୬ ଛାତ୍ରଛାତ୍ରୀଙ୍କ ପାଇଁ ୪୬ଜଣ ସହକାରୀ ପ୍ରାଧ୍ୟାପକ ପଦ ମଧ୍ୟରୁ ମାତ୍ର ୨୨ଜଣ ଅଧ୍ୟାପକଙ୍କୁ ନେଇ ଶିକ୍ଷାଦାନ ଚାଲିଥିବା ବେଳେ ଶିକ୍ଷା ଓ ରାଜନୀତି ବିଜ୍ଞାନ ବିଷୟରେ ଜଣେହେଲେ ଅଧ୍ୟାପକ ନଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇ ଆସୁଛି। ବାଣିଜ୍ୟରେ ୪୮୦ ଛାତ୍ରଛାତ୍ରୀଙ୍କ ପାଇଁ ୧୬ଜଣ ଅଧ୍ୟାପକ ମଧ୍ୟରୁ ୨ଜଣ ସ୍ଥାୟୀ ଓ ୩ଜଣ ଆଡହକ୍‌‌ ଅଧ୍ୟାପକଙ୍କୁ ମିଶାଇ ୫ଜଣ ଶିକ୍ଷାଦାନ କରୁଥିବା ବେଳେ ୧୧ ଅଧ୍ୟାପକ ପଦ ଖାଲି ପଡିଛି। ବିଜ୍ଞାନରେ ୭୬୮ ଛାତ୍ରଛାତ୍ରୀଙ୍କ ପାଇଁ ୩୨ଜଣ ଅଧ୍ୟାପକ ପଦ ମଧ୍ୟରୁ ଗଣିତରେ ଜଣେହେଲେ ଅଧ୍ୟାପକ ନଥିବାବେଳେ ଜଣେ ଆଡହକ୍‌‌ ଅଧ୍ୟାପକଙ୍କୁ ମିଶାଇ ମୋଟ ୨୨ଜଣ ଶିକ୍ଷାଦାନ କରି ଆସୁଥିବା ବେଳେ ୧୦ ଅଧ୍ୟାପକ ପଦ ଖାଲି ପଡିଛି। ସେହିଭଳି ବିଇଡି ୧୦୦ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୭ଜଣ ଅଧ୍ୟାପକ ପଦ ମଧ୍ୟରୁ ୪ଜଣ ସ୍ଥାୟୀ ଅଧ୍ୟାପକ ଓ ୩ଜଣ ଅନ୍ୟ ମହାବିଦ୍ୟାଳୟରୁ ଅଧ୍ୟାପକ ନିଯୁକ୍ତ ହୋଇ ଶିକ୍ଷାଦାନ ଜାରି ରହିଛି।
ସ୍ନାତକ ଶିକ୍ଷା ପାଇଁ ମୋଟ ୧୦୧ ଅଧ୍ୟାପକ ପଦ ମଧ୍ୟରୁ ମାତ୍ର ୫୬ଜଣ ଥିବାବେଳେ ୪୫ପଦ ଖାଲି ପଡିଛି। ସେହିଭଳି ୧୭ଟି ବିଷୟରେ ସ୍ନାତକୋତ୍ତର ଶିକ୍ଷାଦାନ ପାଇଁ ୟୁଜିସି ଗାଇଲାଇନ ଅନୁଯାୟୀ ୧୭ଜଣ ପ୍ରଫେସର, ୩୪ଜଣ ଆସୋସିଏଟ ପ୍ରଫେସର ଓ ୬୮ଜଣ ଆସିଷ୍ଟାଣ୍ଟ ପ୍ରଫେସର ପଦକୁ ମିଶାଇ ମୋଟ୧୧୯ଜଣ ଅଧ୍ୟାପକ ନିଯୁକ୍ତି କରିବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ଜଣେହେଲେ ଅଧ୍ୟାପକ ନିଯୁକ୍ତି ହୋଇନଥିବାରୁ ସ୍ନାତକୋତ୍ତର ଶିକ୍ଷାଦାନ ଘୋର ବାଧ୍ୟାପ୍ରାପ୍ତ ହୋଇଛି। ନବଗଠିତ ଧରଣୀଧର ବିଶ୍ୱବିଦ୍ୟାଳୟର ସ୍ନାତ୍ତକ ଓ ସ୍ନାତକୋତ୍ତରକୁ ମିଶାଇ ମୋଟ ୨୨୦ଜଣ ଅଧ୍ୟାପକ ମଧ୍ୟରୁ ସ୍ନାତକରେ ମାତ୍ର ୫୬ଜଣ ନିଯୁକ୍ତି ହୋଇଥିବା ବେଳେ ୪୫ପଦ ଖାଲି ଏବଂ ସ୍ନାତକୋତ୍ତରରେ ୧୧୯ଟି ପଦକୁ ମିଶାଇ ମୋଟ ୧୬୪ ଅଧ୍ୟାପକ ପଦ ଖାଲି ପଡିଛି। ସେହିଭଳି ବିଶ୍ୱବିଦ୍ୟାଳୟ ପରିଚାଳନା ପାଇଁ ଜଣେ ଓଏସ୍‌‌ଡିଙ୍କୁ ନିଯୁକ୍ତି କରାଯାଇ କୁଳପତି ଦାୟିତ୍ୱ ଅତିରିକ୍ତ ଭାବେ ତୁଲାଇବାକୁ ନିର୍ଦ୍ଦେଶ ହୋଇଥିବା ବେଳେ କୁଳସଚିବ, ବିତ୍ତ ନିୟନ୍ତ୍ରଣକାରୀ ଓ ପରୀକ୍ଷା ନିୟନ୍ତ୍ରକ ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ କାହାରିକୁ ସ୍ଥାୟୀ ନିଯୁକ୍ତି ଦିଆନଯିବା ଧରଣୀଧର ବିଶ୍ୱବିଦ୍ୟାଳୟ କେବଳ ମାନ୍ୟତାରେ ସୀମିତ ରହିଥିବା ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ନୈରାଶ୍ୟ ଖେଳାଇ ଦେଇଛି। ଖାଲି ସେତିକିନୁହେଁ, ବିଶ୍ୱବିଦ୍ୟାଳୟର ଶିକ୍ଷା କର୍ମଚାରୀ, ଖେଳ ପ୍ରଶିକ୍ଷକ ଓ ଚତୁର୍ଥଶ୍ରେଣୀ କର୍ମଚାରୀ ପଦ ଖାଲି ପଡିଥିବା ବେଳେ ବିଶ୍ୱବିଦ୍ୟାଳୟର ଦୈନଦିନ କାର୍ଯ୍ୟ ପରିଚାଳନା କଷ୍ଟସାଧ୍ୟ ହୋଇପଡିଛି। ଏହି ସମସ୍ତ ଖାଲି ପଡିଥିବା ପଦ ପୁରଣ ନେଇ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ତଥା ଓଏସ୍‌‌ଡି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗକୁ ବହୁବାର ଚିଠି ଲେଖି ଆସିଥିଲେ ହେଁ କୌଣସି ସୁଫଳ ମିଳୁନଥିବାରୁ ଛାତ୍ର ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱବିଦ୍ୟାଳୟ ଘୋଷଣା ହୋଇ କାର୍ଯ୍ୟକ୍ଷମ ହେବା ୪ମାସ ପରେ ମଧ୍ୟ ସମ୍ମୁଖ ଫାଟକ ଓ ବିଶ୍ୱବିଦ୍ୟାଳୟ ପରିସରରେ ବର୍ତ୍ତମାନ ସୁଦ୍ଧା ବିଶ୍ୱବିଦ୍ୟାଳୟ ସୂଚନାଫଳକ ସ୍ଥାନୀତ ହୋଇନପାରିବା କାରଣରୁ ଏବେବି ଏହା ସ୍ୱୟଂଶାସିତ ମହାବିଦ୍ୟାଳୟ ସୂଚନାଫଳକ ଥାଇ କାର୍ଯ୍ୟକ୍ଷମ ହେବା ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି। ଏଭଳିସ୍ଥିତିରେ ବିଶେଷକରି ସ୍ନାତକୋତ୍ତର ଶିକ୍ଷାଦାନ ନିମେନ୍ତ ତୁରନ୍ତ ଅଧ୍ୟାପକ ପଦ ପୂରଣ ସାଙ୍ଗକୁ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମି ବିକାଶ ଦିଗରେ ଉଚ୍ଚ ଶିକ୍ଷା ବିଭାଗ ବେଳ ଥାଉଁ ଥାଉଁ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଛାତ୍ର ଅସନ୍ତୋଷ ଯେ, ଆନ୍ଦୋଳନର ରୂପ ଗ୍ରହଣ ନକରିବ ଏହି ଆଶଙ୍କାକୁ ଏଡାଇ ଦିଆଯାଇନପାରେ।

Comments are closed.