ପାଟଣା: ସାମୁଦ୍ରିକ ଝଡ଼ ୟାସ ପ୍ରଭାବ ରେ କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ତୁହାକୁ ତୁହା ବର୍ଷା ହେବା ଫଳରେ ନଦୀ ନାଳ ଫୁଲିବା ସହିତ , ବିଲ ମାନଙ୍କରେ ପାଣି ର ସ୍ରୋତ ଚାଲୁଥିଲା । ପାଟଣା ବ୍ଲକ ତୁରୁମୁଙ୍ଗା ନିକଟସ୍ଥ ସରାସପସି ଗ୍ରାମର ଶୁକଦେଵ ମହାନ୍ତ ଙ୍କ ଚେମଣା ମୌଜା ର ଚାଷ ଜମି ନିକଟରେ ଥିବା ଏକ ଆଡି ବନ୍ଧ ଭୁଶୁଡି ପଡିଛି । ଫଳରେ ପାଣି ର ସ୍ରୋତ ରେ ତାଙ୍କ ଚାଷ ଜମିରେ ବାଲି ଚରି ଯାଇଛି । ତାଙ୍କ ୨ ଏକର ଚାଷ ଜମିରୁ ୨୫ ଡ଼ିସିମିଲ ଇଲାକା ରେ ବାଲି ଚରି ଯାଇଛି । ଫଳରେ ଚଳିତ ବର୍ଷ ଏଠାରେ ଆଉ ଚାଷ ହେବା ନେଇ ସନ୍ଦେହ ପ୍ରକାଶ କରି ସମ୍ପୃକ୍ତ କ୍ଷତିଗ୍ରସ୍ଥ ଚାଷୀ ଶୁକଦେଵ ମହାନ୍ତ ମୁଣ୍ଡରେ ହାତ ଦେଇ ବସିଛନ୍ତି।
ସେହିପରି କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ କାମେଶ୍ବରପୁର ଗ୍ରାମରେ ବାତ୍ୟା ୟାସ ପ୍ରଭାବ ରେ ଏକ ବଡ ଗଛ ଉପୁଡ଼ି ପଡ଼ିବାରୁ ଗ୍ରାମର ଭିକାରୀ ନାଏକ ଙ୍କ ଘର ଉପରେ ପଡି ଘର ଟି ଅଧା ଭାଙ୍ଗି ଯାଇଥିବା ବେଳେ ସୌଭାଗ୍ୟ କ୍ରମେ ପରିବାର ଲୋକେ ଅଳ୍ପକେ ବର୍ତ୍ତିଲେ ଯାଇଛନ୍ତି। ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଘର ଉପରେ ଉପୁଡ଼ି ପଡ଼ିଥିବା ଗଛକୁ କାଟି ସଫା କରିଛି।

କେନ୍ଦୁଝର ଜିଲା ପାଟଣା ବନାଞ୍ଚଳ ବଣମହୁଲଡିହା ମୁଖ୍ୟ ରାସ୍ତାରେ ବାତ୍ୟା ୟାସ ପ୍ରଭାବ ରେ ରାସ୍ତା ଉପରେ ଗଛ ଉପୁଡ଼ି ପଡିଥିଲା। ଫଳରେ ବଣମହୁଲଡିହା ରାସ୍ତା ଅବରୋଧ ହୋଇଯାଇଥିଲା। ଖବର ପାଇ ପାଟଣା ବାନାଞ୍ଚଳ ଅଧିକାରୀ ଟିକେଶ୍ବର ମହାନ୍ତ, ବନରଖି ତ୍ରିନାଥ ଜେନା ଓ ବନ ବିଭାଗ ର ପାରାଷ୍ଟାପ ପହଞ୍ଚି ଗଛ କାଟି ରାସ୍ତା ସଫା କରିଛନ୍ତି।

ଅପରପକ୍ଷରେ ଗତକାଲି ଦିନ ତମାମ ବୈତରଣୀ ପାଟଣା ବ୍ଲକ ଅଞ୍ଚଳରେ ତାହାର କରାଳ ରୂପ ଦେଖାଇ ଲୋକମାନଙ୍କୁ ଭୟଭୀତ କରିଥିଲା। ଗତକାଲି ସନ୍ଧ୍ୟା ସାଢ଼େ ସାତଟା ପରେ ୪୯ ନଂ ଜାତୀୟ ରାଜପଥ ଅନ୍ତର୍ଗତ ତୁରୁମୁଙ୍ଗା ପୋଲରୁ ଧୀରେ ଧୀରେ ଜଳସ୍ତର କମି ପୋଲ ତଳକୁ ୩ଫୁଟ ଖସିଯିବାରୁ ରାସ୍ତା ନିର୍ମାଣକାରୀ ସଂସ୍ଥା ଯୁଦ୍ଧ କାଳୀନ ଭିତ୍ତିରେ ପୋଲ ଉପର ମରାମତି କରି ଦେବାରୁ ଯାନବାହାନ ଚଳାଚଳ ଆରମ୍ଭ ହୋଇ ଯାଇଥିଲା। ସେହିପରି ରାତି ୮ଟା ବେଳକୁ ପାଟଣାରେ ବୈତରଣୀ ଜଳସ୍ତର ବିପଦ ସଂକେତ ତଳକୁ ଖସି ଆସିବା ସହ ପରମେଶ୍ବର ମନ୍ଦିର ସଂଲଗ୍ନ ଅନସ୍ଵୟା ଘାଟ ମଧ୍ୟ ଦୃଶ୍ୟମାନ ହୋଇଥିଲା। ମଧ୍ୟରାତ୍ର ବେଳକୁ ଭୀମକୁଣ୍ଡରେ ମଧ୍ୟ ଜଳସ୍ତର କମି ଯିବାରୁ ପାଟଣା ଅଞ୍ଚଳବାସୀ ବୈତରଣୀ ଚିନ୍ତାରୁ ଆଶ୍ବସ୍ତ ହୋଇଛନ୍ତି।
ବାତ୍ୟାରେ କ୍ଷତିଗ୍ରସ୍ତ ପରିବାରଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ବିଜେଡ଼ି ଛାତ୍ର ନେତା

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତର ନୂଆଗାଁ, ଢ଼ିପାସାହି, ମୁଣ୍ଡାସହି , ନୂଆଖମଣ ଆଦି ଗ୍ରାମରେ ବାତ୍ୟାରେ ଅଧିକାଂଶ ଘର ଭାଙ୍ଗି ଯାଇଥିବା ବେଳେ ଖାଦ୍ୟର ଅଭାବ ମଧ୍ୟ ଦେଖା ଦେଇଛି। ଏଭଳି ସ୍ଥିତିରେ ଆଜି ଛାତ୍ର ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ସୌମ୍ୟରଂଜନ ରାଉତ ଏବଂ ତାଙ୍କ ସହଯୋଗୀ ଲିପୁନ ରାଉତ, ଟୁକୁ ସିଂହ, କ୍ଷୀରୁ ସିଂହ, ଆଶିଷ ପାତ୍ର, ଶ୍ରଦ୍ଧାନନ୍ଦ ପାଣିଗ୍ରାହୀ, ଚେମୁଟୁ ନାଏକ, ଦୋଳ ଚକ୍ର, ପପୁ ସିଂହ ପ୍ରମୁଖ କ୍ଷତିଗ୍ରସ୍ତ ପରିବାର ନିକଟରେ ପହଁଚି ଚୂଡ଼ା ଚିନି ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ କରୋନା ସଚେତନତା ସୃଷ୍ଟି କରି ମାସ୍କ ବଣ୍ଟନ କରିଛନ୍ତି। ଏହା ସହ କ୍ଷତିଗ୍ରସ୍ତ ଲୋକଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ନେଇ ଆଶ୍ୱାସନା ଦେଇଛନ୍ତି।



