କର୍ଣ୍ଣାଟକକୁ ଝଟ୍‍କା : କାବେରୀ ପରିଚାଳନା ଯୋଜନା ରଦ୍ଦ ସମ୍ବନ୍ଧୀୟ ଆବେଦନ ଖାରଜ

0

ନୂଆଦିଲ୍ଲୀ : କର୍ଣ୍ଣାଟକରେ ନୂତନ ସରକାର ଗଠନ ପ୍ରକ୍ରିୟା ଜାରି ରହିଥିବାରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କାବେରୀ ପରିଚାଳନା ଯୋଜନାକୁ ରଦ୍ଦ କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ଏଥିସହ ୨୪ ଘଣ୍ଟା ମଧ୍ୟରେ ଏହି ଯୋଜନାରେ ଆବଶ୍ୟକ ପରିବର୍ତ୍ତନ କରି ଏହାକୁ ମଞ୍ଜୁରି ନିମନ୍ତେ ଗୁରୁବାର ଅଦାଲତରେ ଉପସ୍ଥାପନ କରିବାକୁ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆଟର୍ଣ୍ଣି ଜେନେରାଲ କେ. କେ. ବେଣୁଗୋପଳଙ୍କୁ ନିର୍ଦେଶ ଦେଇଛନ୍ତି।
କର୍ଣ୍ଣାଟକରେ ସରକାର ଗଠନ ନେଇ ଛକାପଞ୍ଝା ଲାଗି ରହିଥିବାରୁ କାବେରୀ ପରିଚାଳନା ଯୋଜନା ସମ୍ବନ୍ଧୀୟ ଶୁଣାଣିକୁ ଜୁଲାଇ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ରାଜ୍ୟ ସରକାରଙ୍କ ଓକିଲ ଶ୍ୟାମ ଦିବାନ ନିବେଦନ କରିଥିଲେ। ଏହି ଯୋଜନା ୧୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବ। ଏଣୁ ଏହା ଉପରେ ପ୍ରସ୍ତାବ ଦେବାର ଅଧିକାର କର୍ଣ୍ଣାଟକର ମଧ୍ୟ ରହିଛି ବୋଲି ସେ ଦର୍ଶାଇଥିଲେ। ମାତ୍ର ତାଙ୍କ ଯୁକ୍ତିକୁ ତାମିଲନାଡୁର ବରିଷ୍ଠ ଓକିଲ ଶେଖର ନାଫାଡେ ବିରୋଧ କରିଥିଲେ। ଜୁନ୍‍ରେ କାବେରୀ ନଦୀ ଜଳ ପ୍ରଥମ ପର୍ଯ୍ୟାୟରେ ଛଡାଯିବାର କାର୍ଯ୍ୟସୂଚୀ ରହିଥିବାରୁ ଯୋଜନାର ମଞ୍ଜୁରି ନିମନ୍ତେ ଜୁଲାଇ ପର୍ଯ୍ୟନ୍ତ ଅପେକ୍ଷା କରିବା ସମ୍ଭବ ନୁହେଁ ବୋଲି ସେ ଦର୍ଶାଇଥିଲେ। ଖଣ୍ଡପୀଠ ଦିବାନଙ୍କ ଯୁକ୍ତିକୁ ଗୁରୁତ୍ୱ ନଦେଇ ତାମିଲନାଡୁ, କେରଳ ଏବଂ ପୁଦୁଚେରୀ ସରକାରଙ୍କ ଚାରୋଟି ପ୍ରସ୍ତାବ ଅନୁଯାୟୀ କାବେରୀ ପରିଚାଳନା ଯୋଜନା-୨୦୧୮ରେ ପରିବର୍ତ୍ତନ କରିବାକୁ କେନ୍ଦ୍ରକୁ ନିର୍ଦେଶ ଦେଇଥିଲେ। କର୍ଣ୍ଣାଟକ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀ ମଧ୍ୟରେ ନିର୍ବିବାଦୀୟ ଭାବେ କାବେରୀ ଜଳ ଆବଣ୍ଟନ ଲାଗି ଏହି ଯୋଜନା ପ୍ରସ୍ତୁତ କରିବାକୁ ଫେବୃଆରୀ ୧୬ରେ ସର୍ବୋଚ୍ଚ ଅଦାଲତ ନିର୍ଦେଶ ଦେଇଥିଲେ। ମେ’ ୧୪ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ଯୋଜନା ସମ୍ବନ୍ଧୀୟ ସତ୍ୟପାଠ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା।

Leave A Reply