ଭାସୁଛି କଟକ

0

କଟକ : ଘୂର୍ଣ୍ଣିବାତ୍ୟା ତିତ୍‍ଲିର ପ୍ରଭାବ କିପରି ରହିବ ସେ ନେଇ ରାଜ୍ୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଜିଲାରେ ଆଗୁଆ ପଦକ୍ଷେପ ନେଇଥିଲେ। କଟକ ସହରବାସୀଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଜିଲା ପ୍ରଶାସନ ଓ କଟକ ମହାନଗର ନିଗମ (ସିଏମସି) ପ୍ରସ୍ତୁତି ବୈଠକ କରି ବିଭିନ୍ନ ନିର୍ଦେଶନାମା ଜାରି କରିଥିଲେ। ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠରେ ଅଧିକାରୀଙ୍କ ଘନଘନ ସମୀକ୍ଷା ବୈଠକ ହେଲା। ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କଲେ। ମୁଖ୍ୟାଳୟ ଛାଡି ନ ଯିବାକୁ ସିଏମ୍‍ସି କର୍ତ୍ତୃପକ୍ଷଙ୍କ କଡା ନିର୍ଦେଶ ଦେଲେ। ଜଳ ନିଷ୍କାସନ ପାଇଁ ପର୍ଯ୍ୟାପ୍ତ ମୋଟର ପମ୍ପ ମହଜୁଦ ରଖାଗଲା। ସାମ୍ଭାବ୍ୟ ବର୍ଷା ବିତ୍ପାତର ମୁକାବିଲା ପାଇଁ କଟକ ସିଏମସି କର୍ତ୍ତୃପକ୍ଷ ପ୍ରସ୍ତୁତ ବୋଲି ସୂଚନା ଦେଇଥିଲେ। ସହରବାସୀ ଭୟଭୀତ ନ ହେବାକୁ ଜିଲା ପ୍ରଶାସନ ଓ ସିଏମସି ପକ୍ଷରୁ ଆଶ୍ୱାସନା ଦିଆଯାଇଥିଲା। ବାସ୍ତବରେ ଜିଲା ପ୍ରଶାସନ ଓ ସିଏମସି ଅଧିକାରୀ ‘ତିତ୍‍ଲି’ର ମୁକାବିଲା କିପରି କଲେ ତାହା ଅଣ୍ଟାଏ ପାଣିରେ ଛିଡ଼ା ହୋଇଥିବା ଜଣେ କଟକିଆ ହିଁ ହୃଦୟଙ୍ଗମ କରିପାରିବ।
ଗୁରୁବାର ରାତିରୁ ଲଗାଣ ବର୍ଷାରେ ସିଏମ୍‍ସିର ପୂର୍ବ ପ୍ରସ୍ତୁତି ବିଫଳ ହୋଇ ଯାଇଥିଲା। ସବୁଥର ବର୍ଷାରେ ଯେପରି ସହର ଉବୁଟୁବୁ ହୁଏ, ଏଥରର ଅବସ୍ଥା ଠିକ୍‍ ସେହିପରି ହେଲା। ଲଗାଣ ବର୍ଷାରେ ପ୍ରତିବର୍ଷ ସହରବାସୀ ଭାସୁଥିଲେ ହେଁ ଜିଲା ପ୍ରଶାସନ ଓ ସିଏମସି ଉପରେ ଏହାର ପ୍ରଭାବ ପଡ଼ୁନାହିଁ। କେବଳ ଲୋକ ଦେଖାଣିଆ ଭାବେ ହେଉ ଅଥବା ରାଜ୍ୟ ସରକାରଙ୍କ ଛାଟକୁ ଡରି, ଏସବୁକୁ ଦୃଷ୍ଟିରେ ରଖି କାଗଜପତ୍ରରେ ବର୍ଷା ଓ ବାତ୍ୟା ମୁକାବିଲାର ପ୍ରାକ୍‍ ପ୍ରସ୍ତୁତି ବୈଠକ ହେଉଛି। ବାସ୍ତବରେ କୌଣସି ପଦକ୍ଷେପ ନିଆଯାଉନି। ପୂର୍ବପରି ଏଥର ମଧ୍ୟ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଫେଲ ମାରିଛି। ମୋଟର ପମ୍ପ ସଠିକ ସମୟରେ ଚାଲିଲାନି କି ସ୍ଲୁଇସଫାଟକ ବି ଖୋଲିଲାନି। ବର୍ଷାଜଳ ନିଷ୍କାସିତ ହୋଇପାରିଲାନି। ଘରେ ବାହାରେ ସବୁଠି ପାଣି। ଯେଉଁ ଆଡକୁ ଚାହିଁବ ପାଣି ହିଁ ପାଣି। ରାସ୍ତା ଓ ଜଳାଶୟଏକାକାର। ସିଏମ୍‍ସି କର୍ତ୍ତୃପକ୍ଷ ଅସହାୟ ହୋଇ ହାତ ଟେକିଦେଇଛନ୍ତି। ୫୫ମିଲିମିଟରରୁ ଅଧିକ ବର୍ଷା ହେଲେ ସିଏମ୍‍ସି ନିକଟରେ ଉଦ୍‍ବୃତ୍ତ ବର୍ଷାଜଳ ନିଷ୍କାସନ ପାଇଁ ସୁବିଧା ନାହିଁ। ଗୁରୁବାର ରାତିରୁ ଶୁକ୍ରବାର ସଂଧ୍ୟା ପର୍ଯ୍ୟନ୍ତ ୧୬୬ମିଲିମିଟର ବର୍ଷା ରେକର୍ଡକରାଯାଇଛି। ଯଦି ଆମେ ୫୫ ମିମି.କୁ ବିପଦ ସଙ୍କେତ ଧରିବା ତେବେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩ଗୁଣ ବର୍ଷା ହୋଇଛି। ପମ୍ପ ଠିକ୍‍ ଥିଲେ ହେଁ କେଉାଁରୁ ପାଣି କାଢି କେଉଁଠାକୁ ଛଡ଼ାଯିବ ତାହା ସ୍ଥିର ହୋଇ ପାରୁ ନାହିଁ। କାରଣ ସାରା ସହର ଜଳମଗ୍ନ। ବର୍ଷାଜଳ ନିଷ୍କାସିତ ନ ହୋଇପାରିବାରୁ ସହରର ପରିସ୍ଥିତି ଶୋଚନୀୟ ହୋଇପଡିଛି। ତଳିଆ ଅଞ୍ଚଳ ସମେତ ହଜାର ହଜାର ଲୋକଙ୍କ ଘରେ ବର୍ଷା ଓ ନର୍ଦମା ପାଣି ପ୍ରବେଶ କରି ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିଛି।
ଲୋକେ ଜଳବନ୍ଦୀ ହୋଇ ଭୋକଉପାସରେ ପଡିରହିଛନ୍ତି। ସିଏମ୍‍ସି ପକ୍ଷରୁ ୨୪୪ ମୋଟର ପମ୍ପ ବ୍ୟବସ୍ଥା କରାଯାଇଥିବା ନେଇ ବାହାସ୍ପୋଟ ସୂଚନା ଦିଆଯାଇଥିଲେ ମଧ୍ୟ ବାସ୍ତବରେ ପରିସ୍ଥିତି ଅନ୍ୟ କିଛି ଦର୍ଶାଯାଉଛି। ଅଧିକାଂଶ ସ୍ଥାନରେ ମୋଟରପମ୍ପ ଅଚଳ ହୋଇପଡିଛି। ଏହାର ଅନୁଧ୍ୟାନ କରିବାକୁ କୌଣସି ଅଧିକାରୀଙ୍କ ଦେଖାଦର୍ଶନ ନାହିଁ। ଦିନ ତମାମ ସହରବାସୀ ଜଳବନ୍ଦୀ ହୋଇ ରହିଥିବାବେଳେ ସିଏମସି କର୍ତ୍ତୃପକ୍ଷ ଏକପ୍ରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇରହିଥିଲେ। ଏମିତିକି ବର୍ଷାଜଳ ନିଷ୍କାସନ ପାଇଁ ସଠିକ ସମୟରେ ବି ମତ୍ତଗଜପୁର କିମ୍ବା ମାତୃଭବନ ସ୍ଲୁଇସ ଫାଟକ ଖୋଲାଯାଇ ନ ଥିଲା। ଗତକାଲି ରାତିରୁ ବର୍ଷା ଲାଗି ରହିଥିବାବେଳେ ହଠାତ ସ୍ଲୁଇସ ଫାଟକ ଖୋଲା ନ ଯାଇ ଆଜି ଦିନ ୧୧ଟାରେ ମାତୃଭବନ ସ୍ଲୁଇସଫାଟକ ଖୋଲାଯାଇଥିଲା। ତାଳଦଣ୍ଡା କେନାଲକୁ ସଂଯୋଗ କରୁଥିବା ମାତୃଭବନ ସ୍ଲୁଇସଫାଟକକୁ ଦିନତମାମ ବନ୍ଦ ରଖାଯାଇଥିଲା। ସ୍ଲୁଇସ ଫାଟକ ସହିତ ଜାଇକା କବ୍‍ଜାରେ ରହିଥିବା ମୁଖ୍ୟଡ୍ରେନରୁ ଅବରୋଧ ନ ହଟାଯିବାରୁ ସହରର ପରିସ୍ଥିତି ଅଧିକ ଗମ୍ଭୀର ହୋଇପଡିଥିବା କୁହାଯାଉଛି। ଚଳିତବର୍ଷ ବର୍ଷା ଋତୁରେ ବାରମ୍ବାର ସମାନ ଅବସ୍ଥା ସୃଷ୍ଟି ହେଇଥିବାବେଳେ ସିଏମସି କର୍ତ୍ତୃପକ୍ଷ କେବଳ ସମୀକ୍ଷା ଓ ପ୍ରସ୍ତୁତି ବୈଠକରେ ମୁକାବିଲା କରିଚାଲିଛନ୍ତି। କର୍ତ୍ତୃପକ୍ଷଙ୍କ ଏପ୍ରକାର ପଦକ୍ଷେପକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Leave A Reply