www.samajalive.in
Saturday, December 13, 2025
26.1 C
Bhubaneswar

ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା ଘଟଣା : ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ, ବନ୍ଧୁକ ଜବତ

କଟକ  : କଟକ ପୁରୀଘାଟ ଥାନା ଅନ୍ତର୍ଗତ ପିଠାପୁର କୋଠାସାହି ଲେନ୍‍ରେ ଘଟିଥିବା ବ୍ୟବସାୟୀ ଦିଲ୍ଲୀପ କୁମାର ସାହୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ପରିବାରର ୩ ଜଣଙ୍କୁ ପୁଲିସ ଶନିବାର ଗିରଫ କରିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ପପୁ ଓରଫ ଅଜିତ୍‍ ଜେନା (୩୬), ତା’ର ବାପା ଗେଡା ଓରଫ ପ୍ରଦୀପ (୬୫) ଓ ସାନ ଭାଇ ମନୋଜ (୨୫)। ପୁଲିସ ଅଜିତ୍‍ ନିକଟରୁ ହତ୍ୟାରେ ବ୍ୟବହୃତ ବନ୍ଧୁକ ଓ ଏକ ବାଇକ୍‍ ଜବତ କରିଛି। ସୁଧ ଟଙ୍କା ମାଗିବାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି।

ପୁଲିସ ସୂଚନା ଅନୁଯାୟୀ, ଚଳିତମାସ ୨୩ ତାରିଖ ଅପରାହ୍ଣରେ ଭଗତପୁର ଅଞ୍ଚଳର ବ୍ୟବସାୟୀ ଦିଲ୍ଲୀପ ସୁଧ ଟଙ୍କା ମାଗିବା ପାଇଁ ପିଠାପୁର କୋଠାସାହି ଲେନ୍‍ର ଅଜିତ୍‍ଙ୍କ ଘରକୁ ଯାଇଥିଲେ। ଅଜିତ୍‍ ଘରେ ନଥିବା ତା’ର ପତ୍ନୀ ଦିଲ୍ଲୀପଙ୍କୁ କହିଥିଲେ। ମାତ୍ର ଦିଲ୍ଲୀପ ତାଙ୍କ କଥା ନଶୁଣି ଘର ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଦିଲ୍ଲୀପଙ୍କ ସହ ଅଜିତ୍‍ଙ୍କ ପତ୍ନୀ ଓ ତା’ର ବାପା ପ୍ରଦୀପଙ୍କ ସହ ପାଟିତୁଣ୍ଡ ହୋଇଥିଲା। ପ୍ରଦୀପ ଏକ ଠେଙ୍ଗା ଆଣି ଦିଲ୍ଲୀପଙ୍କୁ ଆକ୍ରମଣ କରିଥିଲେ। ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ଉଗ୍ରରୂପ ନେଇଥିଲା। ଘରଭିତରେ ଥାଇ ସବୁ ଶୁଣୁଥିବା ଅଜିତ୍‍ ହଠାତ୍‍ ବାହାରକୁ ବାହାରି ଆସି ଏକ ବନ୍ଧୁକରୁ ଦିଲ୍ଲୀପଙ୍କ ଉପରକୁ ୫ ରାଉଣ୍ଡ ଗୁଳି ଚଳାଇଥିଲା। ଗୁଳି ଦିଲ୍ଲୀପଙ୍କ ଛାତି ଓ ମୁଣ୍ଡରେ ବାଜିବାରୁ ସେ ସେହିଠାରେ ହିଁ ଟଳିପଡିଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁରୀଘାଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦିଲ୍ଲୀପଙ୍କୁ ଉଦ୍ଧାର କରି ବଡ ମେଡିକାଲ ପଠାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ସାଇଣ୍ଟିଫିକ୍‍ ଟିମ୍‍ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା।
ଦିଲ୍ଲୀପଙ୍କ ବଡଭାଇ ତ୍ରିଲୋଚନ ସାହୁଙ୍କ ଅଭିଯୋଗକ୍ରମେ ପୁରୀଘାଟ ଥାନା ପୁଲିସ ୧୫୯/୨୦୧୮ରେ ଏକ ହତ୍ୟା ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଘଟଣା ଘଟାଇବା ପରେ ଅଜିତ୍‍ଙ୍କ ପରିବାର ଲୋକେ ଘରେ ତାଲା ପକାଇ କେଉଁଆଡେ ଫେରାର ହୋଇଯାଇଥିଲେ। ଘଟଣାର ୩ ଦିନ ପରେ ପୁଲିସ ଅଜିତ୍‍ଙ୍କ ପତ୍ନୀଙ୍କୁ ନିଆଳି ଅଞ୍ଚଳରୁ ଠାବ କରିଥିଲା। ଏହା ପରଦିନ ପୁଲିସ୍‍ ଭୟରେ ଅଜିତ୍‍ର ବାପା ପ୍ରଦୀପ ଓ ସାନଭାଇ ମନୋଜ ଥାନାରେ ଆସି ହାଜର ହୋଇଥିଲେ। ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରି ସେହିଦିନ ଛାଡ଼ି ଦେଇଥିଲା। ମାତ୍ର ମୁଖ୍ୟ ଅଭିଯୁକ୍ତ ଅଜିତ୍‍କୁ ପୁଲିସ ଧରିବାରେ ବିଫଳ ହୋଇଥିଲା। ଅଜିତ୍‍ ଶନିବାର ସକାଳେ କଟକ ହଜାରୀଲେନ୍‍ସ୍ଥିତ ତାଙ୍କ ଭଉଣୀ ଘରକୁ ଆସିଥିବା ଖବର ପାଇ ପୁଲିସ ସେଠାରୁ ତାଙ୍କୁ ଗିରଫ କରିଛି। ଏଥିସହ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ତା’ ବାପା ପ୍ରଦୀପ ଓ ସାନଭାଇ ମନୋଜଙ୍କୁ ସେମାନଙ୍କ ଘର ପିଠାପୁର କୋଠାସାହି ଲେନ୍‍ରୁ ଗିରଫ କରିଛି। ହତ୍ୟାକାଣ୍ଡ ଘଟାଇବା ପରେ ଅଜିତ୍‍କୁ ତାଙ୍କ ସାନଭାଇ ମନୋଜ ଏକ ବାଇକ୍‍ରେ ନେଇ ନିଆଳୀ ଅଞ୍ଚଳର ଜଣେ ସମ୍ପର୍କୀୟଙ୍କ ଘରେ ଛାଡି ଆସିଥିଲେ। ସେ ସେଠାରୁ ପିପିଲି ଓ ପରେ ପୁରୀକୁ ପଳାଇଥିଲେ। ପାଖରେ ଟଙ୍କା ସରିଯିବାରୁ ଅଜିତ୍‍ ଆଜି ତା ଭଉଣୀ ଘରକୁ ଆସିଥିବା ଖବର ପାଇ ପୁଲିସ ତାକୁ ଗିରଫ କରିଥିବା ସହରାଞ୍ଚଳ ପୁଲିସ୍‍ ମୁଖ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିସିପି ସିଂହ କହିଛନ୍ତି।
ଦିଲ୍ଲୀପ ମାଲ୍‍ଗୋଦାମରେ ଅଟା ଓ ହଳଦୀ ବ୍ୟବସାୟ କରନ୍ତି। ଅଜିତ୍‍ ତାଙ୍କଠାରୁ ସୁଧ ଆକାରରେ ୫ଲକ୍ଷ ଟଙ୍କା ନେଇଥିଲା। ମାତ୍ର ନିର୍ଦ୍ଧାରିତ ସମୟରେ ଟଙ୍କା ଫେରାଇ ନଥିଲା। ଅଜିତ୍‍ କେବଳ ଦିଲ୍ଲୀପ ନୁହେଁ, ଅନ୍ୟ କେତେକଙ୍କ ଠାରୁ ଟଙ୍କା କରଜ କରିଥିଲେ। ସେମାନେ ଟଙ୍କା ମାଗିବାରୁ ଅଜିତ୍‍ ପାରାଦ୍ୱୀପ ପଳାଇ ଯାଇଥିଲା। ବକେୟା ଟଙ୍କା ମାଗୁଥିବା ବ୍ୟକ୍ତିଙ୍କୁ ଧମକ ଦେବା ପାଇଁ ଅଜିତ୍‍ ତା’ର ଜଣେ ବନ୍ଧୁଙ୍କଠାରୁ ଏକ ଚୋରା ବନ୍ଧୁକ ଆଣି କିଛିଦିନ ହେବ ନିଜ ପାଖରେ ରଖିଥିଲା। ଏହି ବନ୍ଧୁକରେ ହିଁ ଅଜିତ୍‍ ଦିଲ୍ଲୀପଙ୍କ ଉପରକୁ ଗୁଳି ଚଳାଇଥିଲା। ପୁଲିସ୍‍ ଗୁଳି ଭର୍ତ୍ତି ଥିବା ଏହି ବନ୍ଧୁକକୁ ଆଜି ଜବତ କରିଛି। ତେବେ ଅଜିତ୍‍କୁ ବନ୍ଧୁକ ଯୋଗାଇଥିବା ବନ୍ଧୁଙ୍କୁ ପୁଲିସ ଏପର୍ଯ୍ୟନ୍ତ ଠାବ କରି ପାରି ନାହିଁ। ଏହି ଘଟଣା ପରେ କଟକ ସହରରେ ଚୋରା ବନ୍ଧୁକ ଓ ବେଆଇନ୍‍ ସୁଧ କାରବାର ବୃଦ୍ଧି ପାଉଥିବା ନେଇ ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ୍‍ ଆଜି କୋର୍ଟ ଚାଲାଣ କରିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories